Home Environment ଜଙ୍ଗଲ ଜବରଦଖଲରେ ଓଡିଶାର ସ୍ଥାନ ପଞ୍ଚମ

ଜଙ୍ଗଲ ଜବରଦଖଲରେ ଓଡିଶାର ସ୍ଥାନ ପଞ୍ଚମ

ଭୁବନେଶ୍ୱର : ବେଆଇନ୍‍ ଭାବେ ଜଙ୍ଗଲ ଜମି ଜବରଦଖଲ କରିବାରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ପଞ୍ଚମ । ଓଡିଶାରେ ୩୩ହଜାର ହେକ୍ଟରରୁ ଅଧିକ ଜମଙ୍ଗଲ ଜମି ବେଆଇନ୍‍ ଭାବେ ଦଖଲ ହୋଇଥିବାବେଳେ ଆସାମ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି ।

ଆସାମରେ ୩,୭୭,୫୩୨ ହେକ୍ଟର ଜଙ୍ଗଲ ଜମି ବେଆଇନ୍‍ ଭାବେ ଜବରଦଖଲ ହୋଇଥିବାବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ ଜବରଦଖଲ ଜଙ୍ଗଲ ଜମିର ପରିାଣ ୫୪,୧୭୩ ହେକ୍ଟର ରହିଛି । ଅରୁଣାଚଳପ୍ରଦେଶରେ ୫୩,୪୫୦ ହେକ୍ଟର ଜଙ୍ଗଲ ଜମିକୁ ବେଆଇନ୍‍ ଭାବେ ମାଡି ବସିଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହି ପରିମାଣ ୩୪,୩୫୮ ହେକ୍ଟରରୁ ଅଧିକ ରହିଛି । ତେବେ ଓଡିଶାରେ ଜବରଦଖଲ ହୋଇଥିବା ମୋଟ୍‍ ଜଙ୍ଗଲ ଜମିର ପରିମାଣ ୩୩,୧୫୪.୧୯ ହେକ୍ଟର ରହିଥିବା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଦେଇଥିବା ଉତ୍ତରରୁ ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୧୦,୨୧୪ ହେକ୍ଟର ଜମି ଜବରଦଖଲ ହୋଇଥିବାବେଳେ ଝାଡଖଣ୍ଡରେ ଏହି ପରିମାଣ ୨୯ହଜାର ହେକ୍ଟରରୁ ଅଧିକ ରହିଛି । ଛତିଶଗଡରେ ବେଆଇନ୍‍ ଭାବେ ଜବରଦଖଲ ହୋଇଥିବା ଜଙ୍ଗଲ ଜମିର ପରିମାଣ ୭୬୪୫ ହେକ୍ଟର ଥିବାବେଳେ ତେଲେଙ୍ଗାନାରେ ଏହା ୨୦୦୪ ହେକ୍ଟର ରହିଛି । ତେବେ ଗୋଆ, ପୁଡୁଚେରୀ ଓ ଲକ୍ଷାଦ୍ୱୀପରେ କୌଣସି ଜଙ୍ଗଲ ଜମି ବେଆଇନ୍‍ ଭାବେ ଜବରଦଖଲ ହୋଇନଥିବାବେଳେ ଲଦାଖରେ ଏହା ମାତ୍ର ଗୋଟିଏ ହେକ୍ଟର ରହିଛି ।

ଏହି ସୂଚନା ଅନୁଯାୟୀ ଓଡିଶାର ଆୟତନ ମୋଟ୍‍ ୧,୫୫,୭୦୭ ବର୍ଗ କିଲୋମିଟର ହୋଇଥିବାବେଳେ ଏଥିରେ ଜଙ୍ଗଲ ପରିମାଣ ହେଉଛି ୬୧,୨୦୪ ବର୍ଗକିଲୋମିଟର । ଏଥି ମଧ୍ୟରୁ ସଂରକ୍ଷିତ ଜଙ୍ଗଲର ପରିମାଣ ୩୬,୦୪୯ ବର୍ଗକିଲୋମିଟର ଥିବାବେଳେ ସୁରକ୍ଷିତ ଜଙ୍ଗଲର ପରିମାଣ ୨୫,୧୩୩ ବର୍ଗକିଲୋମିଟର ରହିଛି । ବର୍ଗୀକରଣ ହୋଇନଥିବା ଜଙ୍ଗଲ ପରିମାଣ ହେଉଛି ୨୨ ବର୍ଗକିଲୋମିଟର ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତିଯେ ଜଙ୍ଗଲର ସୁରକ୍ଷା ହେଉଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କର । ଭାରତୀୟ ଜଙ୍ଗଲ ଆଇନ୍‍ ୧୯୨୭, ବନ୍ୟଜନ୍ତୁ ସୁରକ୍ଷା ଆଇନ୍‍ ୧୯୭୨, ଜଙ୍ଗଲ ସୁରକ୍ଷା ଆଇନ୍‍ ୧୯୮୦ ବଳରେ ରାଜ୍ୟ ସରକାରମାନେ ବେଆଇନ୍‍ ଜବରଦଖଲକୁ ମୁକୁଳାଇ ପାରିବେ । କେନ୍ଦ୍ର ସରକାର ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ସହିତ ଜଙ୍ଗଲର ସୁରକ୍ଷା, ବିକାଶ ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଆର୍ଥିକ ସହାୟତା ବି ଯୋଗାଇ ଦେଉଛନ୍ତି । ତେବେ ଜଙ୍ଗଲ ସମ୍ପଦର ବେଆଇନ୍‍ ଜବରଦଖଲ ବୃଦ୍ଧି ପାଇବା ନେଇ ରାଜ୍ୟମାନଙ୍କ ଠାରୁ କେନ୍ଦ୍ରକୁ କୌଣସି ରିପୋର୍ଟ ମିଳିନଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)