Home News in Odia ଜଗଦେବ ବିଜେଡିରୁ ନିଲମ୍ବିତ

ଜଗଦେବ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଜି ବିଜେଡି ଦଳରୁ ନିଲମ୍ବିତ କରିଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଶ୍ରୀ ଜଗଦେବଙ୍କ ନିଲମ୍ବନ ଆଦେଶ ଜାରି ହୋଇଛି ।

ଉଲ୍ଲେଖନୀୟ ଯେ ନିଜ ର୍ନିବାଚନୀ ମଣ୍ଡଳୀ ଚିଲିକାରେ ଜଣେ ବିଜେପି କର୍ମୀଙ୍କୁ ରାସ୍ତା ମଝିରେ ବାଡେଇବାର ଭିଡିଓ ଭାଇରାଲ ହେବାପରେ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଚିଲିକାରେ ଆନ୍ଦୋଳନ ଚାଲିଛି । ତାଙ୍କୁ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଥାନା ଘେରାଉ କରିଛନ୍ତି ।

ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଧାୟକଙ୍କ ଏଭଳି ଆଚରଣକୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଏଭଳି ଅନେକ ଅଭିଯୋଗ ରହିଛି । ଏପରିକି ପୁରୀ ମନ୍ଦିର ଭିତରେ ଏଭଳି ଆଚରଣ କରିଥିବାର ନଜିର ଅଛି ।

ପ୍ରଥମଥର ପାଇଁ ବେଗୁନିଆରୁ ବିଜେଡି ଟିକଟରେ ବିଧାୟକ ହୋଇଥିବା ଶ୍ରୀ ଜଗଦେବ ଗତ ନିର୍ବାଚନରେ ଚିଲିକା ଆସନରୁ ଲଢି ଜିଣିଥିଲେ ।