Home News in Odia ଜଗତସିଂହପୁର ଜିଲ୍ଲାପାଳଙ୍କୁ ହଟାଅ

ଜଗତସିଂହପୁର ଜିଲ୍ଲାପାଳଙ୍କୁ ହଟାଅ

157
0

ଆଗକୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିଥିଲେ ।

ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ ଯେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଶଙ୍ଖେଶ୍ୱର ପଞ୍ଚାୟତରେ ଏବଂ ତାଙ୍କର ପିତା ଶରତ ଚନ୍ଦ୍ର ମହାପାତ୍ର ଜନତା ଦଳର ଜଣେ ସ୍ଥାନୀୟ ନେତା ଥିଲେ ଏବଂ ୧୯୯୭-୯୭ ମସିହା ପର୍ଯ୍ୟନ୍ତ ଶଙ୍ଖେଶ୍ୱର ପଞ୍ଚାୟତର ସରପଞ୍ଚ ମଧ୍ୟ ଥିଲେ ।

ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କର ମଧ୍ୟ ଅଭିଯୋଗ ରହିଛି ଯେ ଭୋଟରମାନଙ୍କୁ ନିର୍ବାଚନ ପୂର୍ବରୁ ପ୍ରଶାସନ ପ୍ରଲୋଭିତ କରୁଛି ଏବଂ ଶାସକ ଦଳକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛି । ଶ୍ରୀ ରାଉତରାୟଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗ୍ରହଣ କରିବା ସହ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ ଓ ଦୀପକ ମହାପାତ୍ର ପ୍ରମୁଖ ଥିଲେ ।  

LEAVE A REPLY

Please enter your comment!
Please enter your name here