Home Education ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ

ଛାତ୍ର ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।

ସଂପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊଦ୍ଧ୍ୱର୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦେଇଥା’ନ୍ତି ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏବଂ ଯୁବବୟସରୁ ଏହି ବର୍ଗର ପିଲାମାନଙ୍କ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଏଥି ପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ହାଇସ୍କୁଲର ମାଟି୍ରକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ ।

ଆଦିବାସୀ-ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ରହୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ କୋଚିଂ ସୁବିଧା ପାଇପାରିବେ ଓ ସେମାନଙ୍କର ପ୍ରତିଭା ସମେତ ପ୍ରତିଯୋଗୀ ମନୋଭାବ ବିକଶିତ ହୋଇପାରିବ ।

ଏହି ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ଦ୍ୱାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏକ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ ।
ଏହି ଅବସରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ନିମନ୍ତେ ମନୋନୀତ କୋଚିଂ ଏଜେନ୍ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏଜେନ୍ସିଗୁଡ଼ିକ ପ୍ରତ୍ୟକ୍ଷ ଭାବେ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ ।

ମାନ୍ୟବର ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବ୍‌ଲେଟ୍‌ ପ୍ରଦାନ କରିଥିଲେ । ଟାବ୍‌ଲେଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଜିଟାଲ୍‌ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସେମାନେ ଘରେ ଥିବା ସମୟରେ ସେମାନଙ୍କ ପ୍ରଶିକ୍ଷକଙ୍କ ସହିତ ସଂଯୁକ୍ତ ହୋଇପାରିବେ । ପୁଣି ସେମାନେ ଦେଶ ଓ ଦେଶ ବାହାରୁ ବିଷୟ ସଂପର୍କିତ ତଥ୍ୟ ଓ ସମ୍ବଳ ଏବଂ ଅନ୍ୟାନ୍ୟ ପାଠ୍ୟସାମଗ୍ରୀ ଆହରଣ କରିପାରିବେ । ଚଳିତ ବର୍ଷର ମନୋନୀତ ଛାତ୍ରଛାତ୍ରୀମାନେ ୨୦୨୩ ବର୍ଷର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବେ ।

ଆଜିର ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଭର୍ଚୁଆଲ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ (ରାଜ୍ୟସଭା) ଡ. ଅମର ପଟ୍ଟନାୟକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଆଇଟିଡିଏ ପ୍ରକଳ୍ପ ଅଧିକାରୀବୃନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀବୃନ୍ଦ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।