Home Education ଛାତ୍ରବୃତ୍ତି ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ

ଛାତ୍ରବୃତ୍ତି ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଛାତ୍ରବୃତ୍ତି ପାଇଁ ଆବେଦନ କରିବା ସକାଶେ ଛାତ୍ରଛାତ୍ରୀମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ବିଶେଷକରି ବାସସ୍ଥାନ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ପାଇବାପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ଏହି ଛାତ୍ରବୃତ୍ତି ପାଇବା ସକାଶେ ବାସସ୍ଥାନ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀମାନେ ଏହାକୁ ପାଇବାପାଇଁ ତହସିଲଦାରଙ୍କ ନିକଟରେ ଅନ୍‍ଲାଇନ୍‍ରେ ଆବେଦନ କରୁଛନ୍ତି । ଏଥିପାଇଁ ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେବେ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ପ୍ରମାଣପତ୍ର ସହିତ ନିଜର ବାସସ୍ଥାନର ବୈଧ ପ୍ରମାଣପତ୍ର ଦାଖଲ କରୁଥିବାବେଳେ ତହସିଲଦାରଙ୍କ ପ୍ରମାଣପତ୍ର ଆଉ କ’ଣ ପାଇଁ ଆବଶ୍ୟକ ବୋଲି ଅଭିଭାବକମାନେ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ସରକାରୀ ଦପ୍ତର ଏପରିକି ପାସ୍‍ପୋର୍ଟ ଲାଗି ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍‍ ପାସ୍‍ବୁକ୍‍ରେ ଥିବା ବାସସ୍ଥାନ ଠିକଣା ବୈଧ ହେଉଥିବାବେଳେ କଲେଜ ଛାତ୍ରଛାତ୍ରୀଙ୍କୁ କିନ୍ତୁ ବାସସ୍ଥାନ ପ୍ରମାଣପତ୍ର ପାଇଁ ନିଜ ନିଜ ଅଞ୍ଚଳର ତହସିଲଦାରଙ୍କ ନିକଟରେ ଆବେଦନ କରିବାକୁ ପଡୁଛି ।

ସେହିଭଳି ଆୟ ପ୍ରମାଣପତ୍ର ପାଇଁ ବି ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଯୁକ୍ତ ତିନିର ଛାତ୍ରଛାତ୍ରୀଙ୍କ ଲାଗି ବୃତ୍ତି ପାଇବାକୁ ହେଲେ ଅଭିଭାବକଙ୍କ ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଉଲ୍ଲେଖ କରାଯାଇଛି । ଏ କ୍ଷେତ୍ରରେ ଯେଉଁ ଅଭିଭାବକମାନେ ୮ଲକ୍ଷ ଟଙ୍କାରୁ କମ୍‍ ପରିମାଣର ଆୟକର ଦାଖଲ କରୁଛନ୍ତି ସେମାନଙ୍କ ଆୟକରଣ ପ୍ରମାଣପତ୍ରକୁ ଉଚ୍ଚଶିକ୍ଷା ବିଭାଗ ବୃତ୍ତି ପାଇଁ ଗ୍ରହଣ କରୁନାହିଁ । ଏଥିପାଇଁ ରାଜସ୍ୱ ଅଧିକାରୀଙ୍କ ଠାରୁ ଆୟ ପ୍ରମାଣପତ୍ର ଆଣିବା ଆବଶ୍ୟକ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଆୟକର ବିଭାଗର ପ୍ରମାଣପତ୍ର କାହିଁକି ବୈଧ ନୁହେଁ ସେ ସଂକ୍ରାନ୍ତରେ ଛାତ୍ରବୃତ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଲା ଯାଇଥିବା ସେବା କେନ୍ଦ୍ରର କର୍ମଚାରୀମାନଙ୍କ ନିକଟରେ କୌଣସି ଠୋସ୍‍ ଉତ୍ତର ନାହିଁ । ଆଠ ଲକ୍ଷ ଟଙ୍କାରୁ କମ୍‍ ଆୟକର ଦାଖଲ କରୁଥିବା ବ୍ୟକ୍ତି ସେହି ପରିମାଣର ଆୟକର ପ୍ରମାଣପତ୍ର ପାଇବାପାଇଁ ପୁଣି ଥରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ବାଧ୍ୟ ହେଉଛି ଏବଂ ଏ ବାବଦରେ କିଛି ଅର୍ଥ ବି ଶ୍ରାଦ୍ଧ କରିବାକୁ ପଡୁଛି । ଏଥିରେ ତାଳମେଳ ନରହିଲେ ଆଇନ୍‍ଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଛାତ୍ରଛାତ୍ରୀମାନେ କିଭଳି ସହଜରେ ଛାତ୍ରବୃତ୍ତି ପାଇବେ ତାହା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ କିଛି ଅଧିକାରୀଙ୍କ ଖାମଖିଆଲ ନୀତିକୁ ଅଭିଭାବକମାନେ ଦାୟୀ କରୁଛନ୍ତି । ସେମାନଙ୍କ ମତରେ ବିଦ୍ୟୁତ୍‍ ବିଲ୍‍, ଟେଲିଫୋନ୍‍ ବିଲ୍‍, ପାସପୋର୍ଟ ଓ ବ୍ୟାଙ୍କ୍‍ ପାଶ୍‍ବୁକ୍‍ରେ ଥିବା ଠିକଣା ବିଭିନ୍ନ ସରକାରୀ ଦପ୍ତରେ ବାସସ୍ଥାନ ପ୍ରମାଣପତ୍ର ଭାବେ ବୈଧ ହେଉଥିବାବେଳେ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବୈଧ ନହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସେହିଭଳି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଆୟକର ବିଭାଗ ନିକଟରେ ନିଜର ଆୟର ନିକିନିଖି ବିବରଣୀ ଦାଖଲ କରି ମିଳୁଥିବା ପ୍ରମାଣପତ୍ର ବୈଧ ହେଉନଥିବାବେଳେ ସାଇବରକାଫେ ଜରିଆରେ ଦାଖଲ ହେଉଥିବା ଆୟ ଉପରେ ତହସିଲଦାରଙ୍କ ମୋହର ଥିବା ପ୍ରମାଣପତ୍ରକୁ ବୈଧ ବୋଲି ବିବେଚନା କରାଯାଉଛି । ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଦୁଇ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥାରେ ସଂଶୋଧନ ଆଣିବାପାଇଁ ଅଭିଭାବକମାନେ ମତପୋଷଣ କରିଛନ୍ତି । (ତଥ୍ୟ)