Home Education ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ଆବଶ୍ୟକ

ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ଆବଶ୍ୟକ

ଭୁବନେଶ୍ୱର : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ରବିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଛନ୍ତି ।

ଏହାଦ୍ୱାରା ସମାଜର ସ୍ଥିତିକୁ ସେମାନେ ଭଲ ଭାବରେ ବୁଝିବା ସହିତ ସେମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ ରେ ନୂତନ ଭାବେ ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଦ୍ୱାଦଶତମ ଓରିଏଟେଂନ୍‌ସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନ୍ୟାୟମୂର୍ତି ଦାଶ ମତ ରଖିଥିଲେ ।

ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ସହ ଏହାର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ । କେବଳ ଉତମ ମାର୍କ ରଖି ଅନୁଷ୍ଠାନରୁ ପାସ୍ କରିବା ଏକମାତ୍ର ଲକ୍ଷ୍ୟ ନ ହୋଇ ସମାଜରେ ଘଟୁଥିବା ବିଷୟ ଗୁଡିକୁ ମଧ୍ୟ ଅନୁଧ୍ୟାନ ଓ ଅନୁଶୀଳନ କରି ନିଜର ଜ୍ଞାନ ଓ ଅଭିଜ୍ଞତା କୁ ବଳିଷ୍ଠ କରିବା ଦରକାର । ଛାତ୍ରଛାତ୍ରୀମାନେ ବୁଝିବା ଆବଶ୍ୟକ ଯେ ସେମାନେ ପରୀକ୍ଷାରେ ପାଉଥିବା ମାର୍କ ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରେ ନାହିଁ । ମାତ୍ର ସେମାନେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନିର୍ଭର କରେ ।

ସୋଆରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ସେମାନେ ଏକ ଉତମ ଶିକ୍ଷାନୁଷ୍ଠାନକୁ ଅଧ୍ୟୟନ ନିମନ୍ତେ ଚୟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟପ୍ରସାଦ ମିଶ୍ର ଓ ଶ୍ରୀ ସଞ୍ଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ବରିଷ୍ଠ ପ୍ରଫେସର ଡକ୍ଟର ଜୟଦେବ ପତି ଓ ଡକ୍ଟର ପ୍ରବୀର କୁମାର ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବିଭିନ୍ନ ପାଠ୍ୟକ୍ରମ ଗୁଡିକ ହେଲା ବିଏ ଏଲଏଲ ବି (ସମ୍ମାନ), ବିବିଏ ଏଲଏଲ ବି (ସମ୍ମାନ), ଏଲଏଲ ବି (ସମ୍ମାନ) ଓ ଏଲଏଲ ଏମ ।

ଓଡିଶାର ପ୍ରାକ୍ତନ ଆଡଭୋକେଟ୍ ଜେନେରାଲ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର କହିଥିଲେ ଆଇନ ଶିକ୍ଷାର୍ଥୀମାନଙ୍କୁ ଜୀବନ ବ୍ୟାପୀ ଶିକ୍ଷା ଗ୍ରହଣ କରିବାକୁ ପଡିଥାଏ । ଜ୍ଞାନ, ଅଭିଜ୍ଞତାର ସହିତ ତାହାକୁ ବ୍ୟବହାର କରିବାର ଶକ୍ତି ଓ ବୁଦ୍ଧି ଦ୍ୱାରା ଜଣେ ଉତମ ଆଇନଜ୍ଞ ହୋଇପାରିବ ।

ସେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାକୁ ପରାମର୍ଶ ଦେଇ କହିଥିଲେ ଏହା ସେମାନଙ୍କର ଚିନ୍ତା ଶକ୍ତିକୁ ବଳିଷ୍ଠ କରିବ । ଏହାଛଡା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ସେମାନେ ଉପଦେଶ ଗ୍ରହଣ କରିବା ଆବଶ୍ୟକ ଓ ବିଭିନ୍ନ ଆଲୋଚନା ଚକ୍ର ଏବଂ ମୁଟ କୋର୍ଟ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବା ଜରୁରୀ ବୋଲି ସେ କହିଥିଲେ ।

ଶ୍ରୀ ମହାନ୍ତି କହିଥିଲେ ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଓକିଲାତି ଛଡା ସିଭିଲ୍ ସର୍ଭିସରେ ଯୋଗଦେଇ ପାରିବେ କିମ୍ବା କର୍ପୋରେଟ ସେକ୍ଟରରେ ମଧ୍ୟ କାର୍ଯ୍ୟ କରିପାରିବେ । ସେ ଛାତ୍ରଛାତୀମାନଙ୍କୁ ଏମ.କେ. ନମ୍ବିଆର, ପାଲକିଓ୍ୟାଲା, ସୋଲି ସୋରାବଜୀ ଓ ଫାଲି ନାରିମାନ ଭଳି ପ୍ରସିଦ୍ଧ ଆଇନ ବିଶାରଦ ମାନଙ୍କର ଜୀବନୀ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ ।