Home Education ଛପାହୋଇ ପାରୁନାହିଁ ବର୍ଣ୍ଣବୋଧ

ଛପାହୋଇ ପାରୁନାହିଁ ବର୍ଣ୍ଣବୋଧ

ଭୁବନେଶ୍ୱର : ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ପ୍ରସ୍ତୁତ ବର୍ଣ୍ଣବୋଧ ପୁସ୍ତକ ନିର୍ଭୁଲ ଭାବେ ୧୦ବର୍ଷ ଧରି ଛପା ହୋଇପାରୁନାହିଁ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନକୁ ଏହି ଦାୟିତ୍ୱ ଦିଆଯାଇଥିବାବେଳେ କେବେ ବର୍ଣ୍ଣବୋଧ ଛପାଯାଇ ପିଲାଙ୍କ ହାତକୁ ଆସିବ ସେ ସଂକ୍ରାନ୍ତରେ କେହି କିଛି କହିପାରୁ ନାହାନ୍ତି ।

ଓଡିଆ ଭାଷାରେ ମୂଳଦୂଆ ସୁଦୃଢକରିବା କ୍ଷେତ୍ରରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ୧୦ବର୍ଷ ତଳେ ଯେଉଁ ପିଲାଟି ପ୍ରଥମ ଶ୍ରେଣୀରେ ପଢୁଥିବାବେଳେ ୨୦୧୩ରେ ଏହା ପ୍ରକାଶ କରିବାପାଇଁ ଭାଷା ପ୍ରତିଷ୍ଠାନ ଦାୟିତ୍ୱ ନେଇଥିଲା ଏବେ ପିଲାଟି ୧୦ମ ପାଶ୍‍ କରିସାରିଲାଣି ।

ମଧୁସୂଦନ ରାଓଙ୍କ ମୂଳ ବର୍ଣ୍ଣବୋଧକୁ ଅବିକଳ ଭାବେ ନଛପାଇ ଏଥିରେ ଗୁଡିଏ ସଂଶୋଧନ ଅଣାଯିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହାଦ୍ୱାରା ଭକ୍ତକବିଙ୍କ ପ୍ରତି ଅସମ୍ମାନ କରାଯିବା ସଂଗେ ସଂଗେ ତାଙ୍କ ରଚିତ ବର୍ଣ୍ଣବୋଧକୁ ବିକୃତ କରାଯାଇଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏ ପ୍ରସଙ୍ଗରେ ଓଡିଶା ହାଇକୋର୍ଟରେ ମଧ୍ୟ ତିନିଟି ମାମଲା ରୁଜୁ ହୋଇଥିଲା । ଇତି ମଧ୍ୟରେ ହାଇକୋର୍ଟ ମାମଲାଗୁଡିକର ଫଏସଲା କରିସାରିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୁଖ୍ୟ ଶାସନ ସଚିବ ଏକ କମିଟି ଗଠନକରି ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବାକଥା । ପ୍ରାୟ ପାଞ୍ଚବର୍ଷ ତଳୁ ମୁଖ୍ୟ ଶାସନ ସଚିବ ମଧ୍ୟ ମଧୁସୂଦନ ରାଓଙ୍କ ମୂଳ ବର୍ଣ୍ଣବୋଧ ନିର୍ଭୁଲ ଭାବେ ଛପାଇବାପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ତାହା ସତ୍ୱେ ବି ବର୍ଣ୍ଣବୋଧ ଭାଷା ପ୍ରତିଷ୍ଠାନ ଦ୍ୱାରା ଛପାହୋଇ ପାରୁନାହିଁ ।

ବିଶେଷକରି ଅନ୍ୟ ରାଜ୍ୟରେ ରହିଯାଇଥିବା ଓଡିଆ ଭାଷାଭାଷି ଅଞ୍ଚଳରେ ବର୍ଣ୍ଣବୋଧର ଢେର ଚାହିଦା ରହିଥିବାରୁ ଓଡିଆ ଭାଷାର ସୁରକ୍ଷା ପାଇଁ ଓଡିଆ ଭାଷା ପ୍ରତିଷ୍ଠାନ ଏହି ପୁସ୍ତକ ଛାପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ଦେବାକୁ ପ୍ରସ୍ତାବ ଥିଲା । ଏଥିଲାଗି ମଧ୍ୟ ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିଛନ୍ତି । ଏସବୁ ସତ୍ୱେ ବର୍ଣ୍ଣବୋଧ ଭଳି ଚଟି ବହିଟିଏ ସରକାରୀ ସଂସ୍ଥା ନିର୍ଭୁଲ ଭାବେ ଛପେଇ ପାରୁନାହାନ୍ତି ।

ଓଡିଆ ଭାଷା ପ୍ରତିଷ୍ଠାନ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିଲା । ସେତେବେଳେ ଏହି ସଂସ୍ଥା ଲାଗି ପୂର୍ଣ୍ଣ ସମୟ ଦେଇପାରୁଥିବା ନିର୍ଦ୍ଦେଶକ ନିଯୁକ୍ତ ହେଉଥିଲେ । ପରବର୍ତ୍ତୀ ସମୟରେ ଏହି ସଂସ୍ଥାକୁ ସଂସ୍କୃତି ବିଭାଗ ଅଧିନରେ ରଖାଯାଇଛି । କେତେବେଳେ ସଂସ୍କୃତି ନିର୍ଦ୍ଦେଶକ ତ ଆଉ କେତେବେଳେ ସଂଗୀତ ନାଟକ କଲେଜ ଅଧ୍ୟକ୍ଷ ଆଦିଙ୍କୁ ଏହାର ନିର୍ଦ୍ଦେଶକ ଦାୟିତ୍ୱରେ ରଖାଯାଉଛି । ରାଜ୍ୟ ସଂଗ୍ରହାଳୟର ଅଧିକାରୀ ବି ଏଠାରେ ଭାରପ୍ରାପ୍ତ ନିର୍ଦ୍ଦେଶକ ରହିବାର ନଜିର ଅଛି ।

ମୋଟାମୋଟି ଭାବେ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ପୂର୍ଣ୍ଣ ସମୟ ନିର୍ଦ୍ଦେଶକ ରଖାଯାଉନାହିଁ । ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ପାଇଁ ଖାରବେଳନଗର ଅଞ୍ଚଳରେ ଜମି ସରକାର ବ୍ୟବସ୍ଥା କରିବା ସହ ଏଥିଲାଗି ପର୍ଯ୍ୟାପ୍ତ ଅର୍ଥ ଦେଇଥିଲେ ମଧ୍ୟ ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଘର ଖଣ୍ଡିଏ ହୋଇପାରୁ ନାହିଁ । ଏଭଳି ଦୟନୀୟ ସ୍ଥିତିରେ ଓଡିଆ ଭାଷା ପ୍ରତିଷ୍ଠାନ ରହିଥିବାବେଳେ ଅଳ୍ପ କେଇ ପୃଷ୍ଠାର ପିଲାଙ୍କ ପାଇଁ ଉପାଦେୟ ମଦୁସୂଦନ ରାଓଙ୍କ ବର୍ଣ୍ଣବୋଧ ପୁସ୍ତକଟିଏ ନିର୍ଭୁଲ ଭାବେ ଛାପିପାରୁ ନଥିବାବେଳେ ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଏହି ସଂସ୍ଥା ଯେ କିଭଳି କାମ କରୁଥିବ ସେ ସଂକ୍ରାନ୍ତରେ ଭାଷାପ୍ରେମୀମାନେ ପ୍ରଶ୍ନ ଉଠାଉଛନ୍ତି । (ତଥ୍ୟ)