Home Agriculture ଛତୁଚାଷରେ ୧୦ଲକ୍ଷ ନିଯୁକ୍ତି ସମ୍ଭାବନା

ଛତୁଚାଷରେ ୧୦ଲକ୍ଷ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର : କମ୍‍ ପୁଞ୍ଜି ବିନିଯୋଗରେ ତ୍ୱରିତ ଉତ୍ପାଦନ ଓ ଭଲ ଲାଭ ହେଉଥିବାରୁ ଓଡ଼ିଶାର ଗାଁ ଗହଳର ଅନେକ ଚାଷୀ ଛତୁଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ୩୦ ବର୍ଷ ମଧ୍ୟରେ ଓଡ଼ିଶା ପାଳଛତୁ ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସ୍ଥାନରେ ପହଞ୍ଚିଥିବା ବେଳେ ଅନ୍ୟ କେତେକ ରାଜ୍ୟକୁ ଛତୁ ରତ୍ପାନି କରୁଛି । ଏହି କ୍ଷେତ୍ରକୁ ସୁସଙ୍ଗଠିତ କରାଯାଇପାରିଲେ ଅନ୍ୟୁନ ୧୦ ଲକ୍ଷ ଲୋକ କର୍ମନିଯୁକ୍ତି ପାଇପାରିବେ ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି କିଛି ପରିମାଣରେ ସୁଦୃଢ଼ ହୋଇପାରିବ ବୋଲି ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ ପ୍ରଫେସର ଅଦ୍ୱୈତ ଚରଣ ପାତ୍ର କହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୭୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦୁଇଜଣ ପ୍ରଫେସର ନରେନ୍ଦ୍ର ମହାନ୍ତି ଓ ଗୋରାଚାନ୍ଦ ରଥ ଛତୁ ଉପରେ ଗବେଷଣା ଆରମ୍ଭ କରିଥିଲେ । ପ୍ରଫେସର ଅଦ୍ୱୈତ ପାତ୍ର ୧୯୮୫ ମସିହାରେ ଛତୁ ଗବେଷଣା କାମ ହାତକୁ ନେବା ବେଳକୁ ଏଥିଲାଗି ବାର୍ଷିକ ମାତ୍ର ୫୦୦ ଟଙ୍କା ଅନୁଦାନର ବ୍ୟବସ୍ଥା ଥିଲା ।

ତେବେ ପ୍ରଫେସର ପାତ୍ରଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ଛତୁଚାଷ ବିଶ୍ୱବିଦ୍ୟାଳୟର ଗବେଷଣାଗାରରୁ ଚାଷୀର କ୍ଷେତରେ ପହଞ୍ଚିପାରିଲା ଏବଂ ୧୯୮୮ ମସିହାରୁ ଚାଷୀମାନେ ଖୋଲା ବଜାରରେ ଛତୁ ବିକ୍ରି ଆରମ୍ଭ କଲେ । ପ୍ରଫେସର ପାତ୍ରଙ୍କ ଉଦ୍ୟମ କ୍ରମେ ୧୯୯୨ ମସିହାରେ ଓୟୁଏଟିରେ ଗ୍ରୀଷ୍ମମଣ୍ଡଳୀୟ ଛତୁ ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବା ପରେ ଓଡ଼ିଶାରେ ଛତୁଚାଷର ଦ୍ରୁତ ବିକାଶ ଘଟିଥିବା ବହୁ ଛତୁଚାଷୀ ସ୍ୱୀକାର କରୁଛନ୍ତି ।

କେବଳ ସେତିକି ନୁହେଁ ଏବେ ଦେଶର ଅନ୍ୟ ରାଜ୍ୟରୁ ଗବେଷକ ଓ ଚାଷୀମାନେ ଛତୁଚାଷ ସମ୍ପର୍କରେ ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି ଏବଂ ସନ୍ତୋଷ ମିଶ୍ରଙ୍କ ଭଳି ଛତୁଚାଷୀମାନେ ଭାରତର ଅନ୍ୟୁନ ୧୦ଟି ରାଜ୍ୟରେ ତାଲିମ୍‍ ଦେଇ ଛତୁଚାଷକୁ ଆଗଉଛନ୍ତି ।

ଛତୁ ମହାସଂଘର କୋଷାଧ୍ୟକ୍ଷ ସଞ୍ଜୟ ସ୍ୱାଇଁ, ଛତୁଚାଷୀ ଲକ୍ଷ୍ମର ବସ୍ତିଆ ଓ ମନୋରଞ୍ଜନ ସିଂହଙ୍କ ସୂଚନାନୁଯାୟୀ ଓଡ଼ିଶାରେ ଏବେ ବାର୍ଷିକ ୨୫ହଜାର ଟନ୍‍ରୁ ଅଧିକ ଛତୁ ଉତ୍ପାଦିତ ହେଉଛି ଏବଂ ସେଥିରୁ କେବଳ ପୁରୀ ଜିଲ୍ଲାରେ ପ୍ରାୟ ୧୦ହଜାର ଟନ୍‍ ଛତୁ ଉତ୍ପାଦିତ ହେଉଛି । ଢେଙ୍କାନାଳ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲାରେ ଛତୁଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ବି ଛତୁଚାଷ ହେଉଛି । ଏବେ ୩୦ଟି ଯାକ ଜିଲ୍ଲାର ଅନ୍ୟୁନ ୨୫୦ଟି ବ୍ଲକ୍‍ରେ ୪୦ହଜାର ପର୍ଯ୍ୟନ୍ତ ଲୋକ ଛତୁଚାଷ କରୁଥିବା ଜଣାପଡ଼ିଛି ।

ଓଡ଼ିଶାରେ ଯେଭଳି ପ୍ରଚୁର ପରିମାଣର ନଡ଼ା ଉପଲବ୍ଧ ହେଉଛି ଏବଂ ଏଠାକାର ଜଳବାୟୁ ସ୍ଥିତି ଯେପରି ରହିଛି ସେ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଛତୁଚାଷ ପାଇଁ ପ୍ରତି ଗାଁରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶାରେ ବାର୍ଷିକ ୧୦ ଲକ୍ଷ ଟନ୍‍ରୁ ଅଧିକ ଛତୁ ଉତ୍ପାଦିତ ହୋଇପାରିବ । ଏବେ ଓଡ଼ିଶାର ପ୍ରାୟ ୪୦ହଜାର ଲୋକ ଛତୁଚାଷ କରୁଥିବା ବେଳେ ଚାଷଠାରୁ ଆରମ୍ଭ କରି ଭାଡ଼ି ତିଆରି, ବିପଣନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ୧ଲକ୍ଷ ୨୦ହଜାରରୁ ଅଧିକ ଲୋକ ନିୟୋଜିତ ହେଉଛନ୍ତି ।

ପାଳଛତୁ ମାତ୍ର ୧୨ ଦିନ ମଧ୍ୟରେ ଉତ୍ପାଦିତ ହେଉଥିବା ପରିପ୍ରେକ୍ଷୀରେ ଏହା ଚାଷୀମାନଙ୍କୁ ବେଶ୍‍ ଲାଭ ଦେଉଛନ୍ତି । ନିଜ ଘର ଓ ବାଡ଼ିରେ ଅଳ୍ପ ଜାଗାରେ ଭାଡ଼ିକରି ଅନେକ ଦିନ ମଜୁରିଆ ଲୋକ ଛତୁ ଉତ୍ପାଦନ କରୁଛନ୍ତି । ହାରାହାରି ୨୦୦୦ ଶଯ୍ୟାର ଛତୁ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କାର ପୁଞ୍ଜି ଆବଶ୍ୟକ ପଡ଼ୁଥିବା ବେଳେ ୬ ମାସ ଭିତରେ ଏହା ଉଠିଯାଉଛି ।

ମଧ୍ୟାହ୍ନ ଭୋଜନରେ ଛତୁକୁ ସାମିଲ କରାଯିବା ସହ ଛତୁଭିତ୍ତିକ ଗ୍ରାମ୍ୟ ଶିଳ୍ପମାନ ପ୍ରତିଷ୍ଠା କରାଗଲେ ଏବଂ ଛତୁର ବିପଣନ ପାଇଁ ସରକାର ପଦକ୍ଷେପ ନେଲେ ଏହା ବେକାରୀ ସମସ୍ୟା ଦୂର ସହ ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ ସିଂହ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।