Home Infrastructure ଛଅ ହଜାର ଗାଁରେ ମୋବାଇଲ୍‍ ସେବା ନାହିଁ

ଛଅ ହଜାର ଗାଁରେ ମୋବାଇଲ୍‍ ସେବା ନାହିଁ

ଭୁବନେଶ୍ୱର : ରାଜ୍ୟର ୬ହଜାରରୁ ଅଧିକ ଗାଁ ଏବେ ବି ମୋବାଇଲ୍‍ ସେବାରୁ ଦୂରରେ । ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ମୋବାଇଲ୍‍ ସେବାରୁ ବଞ୍ଚିତ ଲୋକଙ୍କ ସଂକ୍ରାନ୍ତରେ ବିଧାୟକ ଗଣେଶ ରାମ ସିଂ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୬୨୭୮ ଗ୍ରାମ ମୋବାଇଲ ସେବା ପରିସରଭୁକ୍ତ ହୋଇନାହିଁ । ମୋବାଇଲ ଟାୱାର ସ୍ଥାପନ କେନ୍ଦ୍ର ସରକାରଙ୍କର କ୍ଷମତା ପରିସରଭୁକ୍ତ ଅଟେ ।

ମୋବାଇଲ୍‍ ସେବାରୁ ବଞ୍ଚିତ ଗ୍ରାମରେ ସେବା ଉପଲବ୍ଧ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରି ଆସିଛନ୍ତି । ଏହି ଅନୁରୋଧ କ୍ରମେ କେନ୍ଦ୍ର ସରକାର ମାଓ ଅଧ୍ୟୁଷିତ ଅଞ୍ଚଳରେ ୪୮୩ଟି ନୂତନ ମୋବାଇଲ୍‍ ଟାୱାର ସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)