Home Election ଛଅ ପରିବାରକୁ ୨ଟି କରି ଟିକଟ

ଛଅ ପରିବାରକୁ ୨ଟି କରି ଟିକଟ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ରାଜ୍ୟର ଛଅଟି ରାଜନୈତିକ ପରିବାର ଦୁଇ ଦୁଇଟି ଟିକଟ ହାତେଇ ନେଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଅଛନ୍ତି ।

ଆଜି ସୁଦ୍ଧା ରାଜ୍ୟର ତିନି ପ୍ରମୁଖଦଳ ବିଜେଡି, ବିଜେପି ଓ କଂଗ୍ରେସ ଯେତିକି ଆସନ ପାଇଁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡି ନେତା ସୁଦାମ ମାରାଣ୍ଡି ରହିଛନ୍ତି । ଓଡିଶା ସରକାରରେ ମନ୍ତ୍ରୀ ଥିବା ଶ୍ରୀ ମାରାଣ୍ଡିଙ୍କୁ ବିଜେଡି ଚଳିତଥର ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ବାଙ୍ଗିରିପୋଷି ଆସନରୁ ଦଳ ଶ୍ରୀ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ।

ସେହିଭଳି ଚଳିତ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନ ପାଇଁ ସାଂସଦ ସଙ୍ଗୀତା ସିଂହଦେଓ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂହଦେଓ ପାଟଣାଗଡ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଏହି ରାଜ ପରିବାର ମଧ୍ୟ ଦୁଇଟି ଟିକଟ ହାତେଇଛନ୍ତି ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ପରିବାରକୁ ଦୁଇଟି ଟିକଟ ମିଳିଛି । ନିଜେ ଭକ୍ତ ଦାସ ନର୍ଲା ଆସନରୁ ଛିଡା ହୋଇଥିବାବେଳେ ତାଙ୍କ ପୁଅ ସାଗର ଦାସ ଭବାନୀପାଟଣା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଉଭୟ ବାପ ପୁଅ ବିଧାନସଭା ପାଇଁ ଲଢୁଛନ୍ତି । ଅନ୍ୟତମ କଂଗ୍ରେସ ନେତା ଭୁଜବଳ ମାଝିଙ୍କ ଘରେ ମଧ୍ୟ ଦୁଇଟି ଟିକଟ । ନିଜେ ଭୁଜବଳ ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବାବେଳେ ଝିଅ ଡାକ୍ତର ଲିପିକା ମାଝି ଡାବୁଗାଁ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନରେ ଅଛନ୍ତି ।

ଯଦିଓ ସ୍ୱଘୋଷଣା ଅନୁଯାୟୀ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଚଳିତ ଥର ନିର୍ବାଚନ ଲଢୁ ନାହାନ୍ତି, କିନ୍ତୁ ତାଙ୍କ ଘରେ ମଧ୍ୟ ଦୁଇ ଦୁଇଟି ଟିକଟ । ଦୁଇ ପୁଅ ଦୁଇ ଦଳରୁ ଲଢୁଛନ୍ତି । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା ଆସନରୁ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢୁଥିବାବେଳେ ସାନପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଇତି ମଧ୍ୟରେ ବିଜେଡି ପ୍ରାର୍ଥୀ ହୋଇଥିବା ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରି ସୁରେଶ ରାଉତରାୟ କଂଗ୍ରେସରୁ ଛଅ ବର୍ଷ ପାଇଁ ବିଦା ହୋଇଛନ୍ତି ।

ସେହିଭଳି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଘରେ ମଧ୍ୟ ଦୁଇ ଦୁଇଟି ଟିକଟ । ଯଦିଓ ଶ୍ରୀ ଦ୍ୟାନ ସାମନ୍ତରାୟ ନିଜେ ନିର୍ବାଚନ ଲଢୁନାହାନ୍ତି, କିନ୍ତୁ ତାଙ୍କର ଦୁଇ ପୁଅ ଗୋଟିଏ ବିଧାନସଭା ଆସନରୁ ଦୁଇ ଦଳର ପ୍ରାର୍ଥୀ ହୋଇଛନ୍ତି । ପୁଅ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ବିଜେପି ପ୍ରାର୍ଥୀ ଭାବେ ଚିକିଟି ବିଧାନସଭା କ୍ଷେତ୍ରରୁ ଲଢୁଥିବାବେଳେ ସେହି ଆସନରେ ଆଉଜଣେ ପୁଅ ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ କଂଗ୍ରେସ ଟିକଟରେ ଲଢୁଛନ୍ତି । ତେବେ ଚିନ୍ତାମଣି କୌଣସି ପୁଅଙ୍କ ପାଇଁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଇତି ମଧ୍ୟରେ ବିଜେଡି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ବିଜେପି ୧୬ଟି ଓ କଂଗ୍ରେସ ୯ଟି ବିଧାନସଭା ସହିତ ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବେ । ଚଳିତ ନିର୍ବାଚନରେ ଏକାଧିକ ନେତାଙ୍କ ପୁତ୍ର, କନ୍ୟା ଓ ପତ୍ନୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬ଟି ପରିବାର ଦୁଇ ଦୁଇଟି କରି ଟିକଟ ହାତେଇ ନେଲେଣି । ସମସ୍ତ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏହି ସଂଖ୍ୟା ଆହୁରି ବଢିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କା କରୁଛନ୍ତି । (ତଥ୍ୟ)