Home News in Odia ଚୋରଙ୍କ ପାଇଁ ରାଜଧାନୀବାସୀ କଲବଲ

ଚୋରଙ୍କ ପାଇଁ ରାଜଧାନୀବାସୀ କଲବଲ

ଭୁବନେଶ୍ୱର : ରାଜଧାନୀବାସୀ ଚୋରଙ୍କ ଉତ୍ପାତରେ କଲବଲ ହେଉଥିବାବେଳେ ଗତବର୍ଷ କେବଳ ଭୁବନେଶ୍ୱରରେ ଚୋରି ଅଭିଯୋଗରେ ପୁଲିସ୍‍ ୫୯୧ଜଣଙ୍କୁ ଗିରଫ କରିଛି । ୨୦୨୦ରେ ରାଜଧାନୀରେ ଯେତେ ପ୍ରକାର ଅପରାଧିକ ମାମଲା ରୁଜୁ ହୋଇଛି ସେଥିରୁ ସର୍ବାଧିକ ରହିଛି ଚୋରି ।

ତେବେ ଗୋଟିଏ ବର୍ଷରେ ରାଜଧାନୀରେ ୧୮୬୨ଟି ଚୋରି ମାମଲା ଥାନାରେ ପହଞ୍ଚିଥିବାବେଳେ ବାସ୍ତବ ଚୋରି ସଂଖ୍ୟା ଏହାଠାରୁ ଢେର ଅଧିକ ବୋଲି କୁହାଯାଉଛି । କାରଣ ଅନେକ ଛୋଟକାଟର ଚୋରି ପାଇଁ ଲୋକେ ଥାନାକୁ ଯାଉନଥିବାବେଳେ ଆଉ କେତେକ ଚୋରି ମାମଲା ପୁଲିସ୍‍ ଖାତାରେ ଚଢୁ ନାହିଁ । ରାଜଧାନୀରେ ଚୋରି ଏଭଳି ସ୍ତରରେ ପହଞ୍ଚିଲାଣି ଯେ ରାତି ତ ଦୂରରକଥା ଦିନବେଳା ବି ଲୋକେ ଘରଦ୍ୱାର ଛାଡି ବାହାରକୁ ଯାଇପାରୁ ନାହାନ୍ତି । ଘଣ୍ଟାଏ ଦୁଇଘଣ୍ଟା ପାଇଁ ଯଦି ଘରେ କେହି ରହୁନାହାନ୍ତି ତେବେ ଚୋରମାନେ କଳାକନା ବୁଲାଇ ଦେଉଛନ୍ତି ।

ଏଭଳି ଚୋରି ରାଜଧାନୀର କୌଣସି ତଳିଆ ଅଞ୍ଚଳ ନୁହେଁ ଖୋଦ୍‍ ଲୋକସେବାଭବନ ଓ ରାଜଭବନ ଆଖପାଖରେ ଘଟୁଛି । ଏହିସବୁ ଅଞ୍ଚଳରେ ଲୋକେ ଚୋର ଓ ନିଶାଡିଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି । ପ୍ରତଦିନ ବିଭିନ୍ନ ୟୁନିଟ୍‍ରୁ ଚୋରି ହେବାରେ ଲାଗିଛି । ଏଭଳି ଚୋରି ପାଇଁ ବେଆଇନ୍‍ ବସ୍ତିକୁ ଲୋକେ ଦାୟୀ କରୁଥିବାବେଳେ ବସ୍ତିରେ ଥିବା ଅଧିକାଂଶ ଘରେ ସରକାରୀ କ୍ୱାଟର୍ସର କବାଟ, ଝରକା, ଇଟା, ଆଜବେଷ୍ଟସ ଆଦି ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ବସ୍ତିରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ପାଇଁ କମିଶନରେଟ ପୁଲିସ୍‍ର ଅଭିଯାନ କେବେ ଆରମ୍ଭ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

କେବଳ ଚୋରି ନୁହେଁ ଗତବର୍ଷ ରାଜଧାନୀରେ ୫୧୮ଟି ଆର୍ଥିକ ଠକେଇ, ୫୧୭ଟି ମୋଟରଯାନ ଦୁର୍ଘଟଣା, ୩୮୮ଟି ଲୁଟ୍‍, ୩୫୦ଟି ସିନ୍ଧିଚୋରି, ୩୪ଟି ଡକାୟତି, ୧୧୩ଟି ଧର୍ଷଣ ଓ ୪୯ଟି ହତ୍ୟାକାଣ୍ଡ ଘଟିଛି । ଯଦିଓ ୨୦୧୯ ତୁଳନାରେ ଅପରାଧ ସାମାନ୍ୟ ହ୍ରାସ ପାଇଥିବା ପୁଲିସ୍‍ ହିସାବରେ ଦର୍ଶାଯାଉଛି କିନ୍ତୁ ଅପରାଧିମାନେ ଦିନକୁ ଦିନ ରାଜଧାନୀବାସୀଙ୍କୁ ଅଧିକ କଲବଲ କରିବାରେ ଲାଗିଛନ୍ତି ।

ଅପରାଧିଙ୍କୁ ସାବାଡ ଓ ଅପରାଧ ହ୍ରାସ ପାଇଁ ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦ ଦୋକାନ ଉପରେ ନଜର ରଖିବାପାଇଁ ଯେଉଁ ନିୟମାବଳୀ ଜାରି କରିଥିଲେ ତାହାକୁ ପୁଲିସ୍‍ ଲାଗୁ କରୁନାହିଁ । ମଦ ଦୋକାନ ଉପରେ କଟକଣା ଲାଗିଲେ ରାଜଧାନୀରେ ଅପରାଧ ହ୍ରାସ ପାଇବ ବୋଲି ପୂର୍ବତନ ପୁଲିସ୍‍ ଅଧିକାରୀମାନେ ମତ ଦେଉଛନ୍ତି । ତେବେ ରାଜଧାନୀରେ ଏକାଧିକ ସ୍ଥାନରେ ସିସିଟିଭି ଲାଗିଥିବା କୁହାଯାଉଥିବାବେଳେ ଚୋରମାନେ କାହିଁକି ଏଭଳି ଉତ୍ପାତ କରୁଛନ୍ତି ତାହା ସାଧାରଣ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ହେବାରେ ଲାଗିଛି ।