Home General ଚୁମ୍ବକୀୟ ଶକ୍ତିକୁ ବୈଜ୍ଞାନିକଙ୍କ ଅଗ୍ରାହ୍ୟ

ଚୁମ୍ବକୀୟ ଶକ୍ତିକୁ ବୈଜ୍ଞାନିକଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର : କୋଭିଡ ଟିକା ନେବାପରେ କେତେକଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ପ୍ରକାଶ ପାଉଥିବା ଘେନି ଗଣମାଧ୍ୟମରେ ଯେଉଁ ସଚିତ୍ର ସମ୍ବାଦ ପ୍ରକାଶ ପାଉଛି ତାହାକୁ ବୈଜ୍ଞାନିକମାନେ ଗ୍ରହଣ କରିପାରୁ ନାହାନ୍ତି ।

ଭାରତ ସମେତ ସମଗ୍ର ବିଶ୍ୱରେ ଯେତେ ସବୁ କୋଭିଡ ଟିକା ଦିଆଯାଉଛି ସେଥିରୁ କୌଣସି ଟିକା ଶରୀରରେ ଇଲେକ୍ଟୋ ମ୍ୟାଗ୍ନେଟିକ୍‍ ଫିଲ୍ଡ ସୃଷ୍ଟି କରିପାରିବ ନାହିଁ । ତେଣୁ ଟିକା ନେବାପରେ କିଛି ଲୋକଙ୍କ ଶରୀରରେ ଲୁହାକଣ୍ଟା ଠାରୁ ଆରମ୍ଭ କରି ଚାମଚ, ଥାଳିଆ ଆଦି ଲାଗି ରହୁଥିବା ଘେନି ଯେଉଁ ସମ୍ବାଦ ପ୍ରକାଶ ପାଉଛି ତାହାର କୌଣସି ବୈଜ୍ଞାନିକ ଭିତ୍ତିଭୂମି ନଥିବା ବୈଜ୍ଞାନିକ ଓ ଡାକ୍ତରମାନେ କହୁଛନ୍ତି ।

ସେମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ଟିକାକରଣ ଅଭିଯାନରେ ବ୍ୟାଘାତ ସୃଷ୍ଟିକରିବା କିମ୍ବା କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ବଦନାମ କରି ପ୍ରତିଦ୍ୱନ୍ଦି କମ୍ପାନୀ ଫାଇଦା ନେବାଲାଗି ହୁଏତ ଏଭଳି କରାଯାଇଥାଇପାରେ । ତେବେ କୋଭିଡ ପରିପ୍ରେକ୍ଷୀରେ ଏହି ଗୁଜବ ଓ ଅପପ୍ରଚାରକୁ ଗୁରତର ସହ ନେଇ ଯେଉଁମାନେ ଏଭଳି ଷଡଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ବୈଜ୍ଞାନିକମାନଙ୍କ ମତରେ ଯେଉଁ ଲୋକମାନଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ପ୍ରକାଶ ପାଉଥିବା ଘେନି ପ୍ରଚାର କରାଯାଉଛି ସେମାନଙ୍କୁ କର୍ତ୍ତୃପକ୍ଷ ଗବେଷଣାଗାର କିମ୍ବା ଡାକ୍ତରଖାନାକୁ ନେଇ ସତ୍ୟାସତ୍ୟ ପରଖିବା ଦରକାର । ଏଭଳି ଲୋକମାନଙ୍କୁ ଯଦି କେହି ଅପପ୍ରଚାରର ମାଧ୍ୟମ ବନାଇଥାନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଫୌଜଦାରୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୫ମାସ ଧରି ଓଡିଶା ସମେତ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିବା ଏବଂ ଏଥିଲାଗି ଲୋକେ ବେଶ୍‍ ଆଗ୍ରହ ପ୍ରକାଶ କରୁଥିବାବେଳେ କିଛିଦିନ ଧରି ଏହି ଚୁମ୍ବକୀୟ ଶକ୍ତି କଥା ବ୍ୟାପକ ଭାବେ ପ୍ରଚାର କରାଯାଉଛି । ଏଥିଯୋଗୁଁ ଲୋକଙ୍କ ମନରେ କୌତୁହଳ ପ୍ରକାଶ ପାଉଥିବାବେଳେ ଯେଉଁମାନେ ଟିକାନେଇ ସାରିଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ କଣ୍ଟା, ଚାମଚ ଆଦି ନିଜ ଦେହରେ ଲଗାଇ ପରୀକ୍ଷା କରୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କାହାଠାରେ ଚୁମ୍ବକୀୟ ଶକ୍ତି ଥିବା ଜଣାପଡୁ ନାହିଁ ।

ଦେଶର ଦୁଇ ତିନିଟି ରାଜ୍ୟରେ ଏବେ ଏହି ଚୁମ୍ବକୀୟ ଶକ୍ତିର ପ୍ରଭାବ ସଂକ୍ରାନ୍ତରେ ଗଣମାଧ୍ୟମରେ ସମାଚାରମାନ ପ୍ରକାଶ ପାଉଛି । ତେବେ ଯେଉଁ ଲୋକମାନଙ୍କ ଶରୀରରେ ଚାମଚ,କଣ୍ଟା ଆଦି ଲାଗିକରି ରହୁଛି ସେମାନଙ୍କ ମଧ୍ୟରୁ କାହାର ଅନ୍ୟ କୌଣସି ପ୍ରତିକ୍ରିୟା ସଂକ୍ରାନ୍ତରେ ଅଭିଯୋଗ ବି ନାହିଁ ।

ବୈଜ୍ଞାନିକମାନେ କହୁଛନ୍ତି ଯେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍‍ ଓ ଏଠାରେ ସେରମ ଇନଷ୍ଟିଟ୍ୟୁଟ ଉତ୍ପାଦନ କରୁଥିବା ଆଷ୍ଟ୍ରେଜେନିକାର କୋଭିସିଲ୍ଡ ଟିକାର ଗୁଣମାନ ଢେର ଅଧିକ । ଏହି ଟିକା ମୁଖ୍ୟତଃ ପ୍ରୋଟିନ ସ୍ପାଇକ୍‍ରେ ଭରପୂର । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇ କରୋନାକୁ ପ୍ରତିରୋଧ କରିବାରେ ସଫଳ ହେଉଛି । ତେବେ ଖୁବ୍‍ କ୍ୱଚିତ ସ୍ଥଳରେ ଏହି ଟିକା ନେଉଥିବା ଲୋକଙ୍କୁ କରୋନା ହେଉଥିବାବେଳେ ସେମାନଙ୍କ ରୋଗର ଗମ୍ଭୀରତା ଢେର କମ୍‍ ରହୁଛି ।

ଭାରତରେ ତିଆରି ହୋଇଥିବା ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଉନ୍ନତମାନର ଏବଂ ଏହା ସମ୍ପୂର୍ଣ୍ଣ ନିରାପଦବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ବାରମ୍ବାର କହୁଛନ୍ତି । ଇତି ମଧ୍ୟରେ କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକୁ ନେଇ ଗୁଜବ ପ୍ରଚାର କରାଯିବା ଫଳରେ ଲୋପେ ଆତଙ୍କିତ ହୋଇପଡିବା ସ୍ୱାଭାବିକ । ତୁରନ୍ତ ସରକାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ । (ତଥ୍ୟ)