Home News in Odia ଚିର ନିଦ୍ରାରେ ମହାରଥୀ

ଚିର ନିଦ୍ରାରେ ମହାରଥୀ

ବିଜୁ ଜନତାଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାତ୍ର ୬୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।

୧୯୫୫ ମସିହାରେ ପିପିଲିର ଖୋରାପଡା ଗାଁରେ ଜନ୍ମ ହୋଇଥିଲେ ଶ୍ରୀ ମହାରଥୀ । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ନିଜର ଛାତ୍ରନୀତି ରାଜନୀତି ଜୀବନ ଆରମ୍ଭ କରିଥିବା ଶ୍ରୀ ମହାରଥୀ କଲେଜ ଛାତ୍ର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଉତ୍‍କଳ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ଥିଲେ ।

ଏହାପରେ ସେ ରାଜ୍ୟ ରାଜନୀତିରେ ଯୋଗଦେବା ସହିତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ପାର୍ଟିର ବିଧାୟକ ଭାବେ ୧୯୮୫ ମସିହାରେ ପ୍ରଥମଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଶ୍ରୀ ମହାରଥୀ ସମବାୟ ଆନ୍ଦୋଳନରେ ସକ୍ରିୟ ଥିଲେ । ମାର୍କଫେଡ୍‍, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନର ସଭାପତି ଥିଲେ । ୨୦୦୦ ପରଠାରୁ ସେ କ୍ରମାଗତ ଭାବେ ବିଜେଡି ଟିକଟରେ ପିପିଲିରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ ।

ବିଧାନସଭାରେ ଶ୍ରୀ ମହାରଥୀ ସରକାରୀ ଦଳ ମୁଖ୍ୟ ସଚେତକ ସହିତ ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଜାୟତିରାଜ ଓ କୃଷି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମହାରଥୀଙ୍କ ପରିବାର ଲୋକଙ୍କ ସହିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥି ସହିତ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସର୍ବଶ୍ରେଷ୍ଠ ଚିକିତ୍ସାସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସମସ୍ତ ଉଦ୍ୟମ ସତ୍ୱେ ଶ୍ରୀ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ ଦେହକୁ ଓଡିଶା ବିଧାନସଭା ପରିସରକୁ ନିଆଯାଇଥିଲା, ଯେଉଁଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବରିଷ୍ଠ ବିଜେଡି ବିଦାୟକ ଦେବୀ ପ୍ରସାଦ ମିଶ୍ର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ସଦସ୍ୟମାନେ ଦିବଙ୍ଗତ ମହାରଥୀଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମହାରଥୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ପିପିଲିରୁ ୭ଥର ବିଧାନସଭାକୁ ଜିଣିଥିବା ଶ୍ରୀ ମହାରଥୀ ଜଣେ ବାସ୍ତବବାଦୀ ନେତା ଥିଲେ ।

ଶ୍ରୀ ମହାରଥୀଙ୍କ ପାର୍ଥୀବ ଶରୀରକୁ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି ।