Home Finance ଚିନ୍ତା ବଢାଉଛି କେନ୍ଦ୍ରୀୟ ଅନୁଦାନ ହ୍ରାସ

ଚିନ୍ତା ବଢାଉଛି କେନ୍ଦ୍ରୀୟ ଅନୁଦାନ ହ୍ରାସ

ଭୁବନେଶ୍ୱର : ଅର୍ଥନୀତିରେ ସୁଧାର ଆସିବା ସତ୍ୱେ କେନ୍ଦ୍ରରୁ ମିଳୁଥିବା ଅର୍ଥ ନିୟମିତ ଭାବେ ହ୍ରାସ ପାଇବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‍ରେ ରାଜ୍ୟ ସରକାର ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିବାବେଳେ ସେଥିରେ କେନ୍ଦ୍ରୀୟ ଅଂଶଧନ ଓ ଅନୁଦାନ ଆକାରରେ ୬୮,୧୦୦ କୋଟି ଟଙ୍କା ରହିଛି ।

ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରରୁ ମାତ୍ର ୨୩,୫୨୮.୭୩ କୋଟି ଟଙ୍କା ପାଇଛନ୍ତି ଯାହାକି ଗତବର୍ଷ ତୁଳନାରେ ୧୫.୨୫ ପ୍ରତିଶତ କମ୍‍ ରହିଛି । ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ସରକାର ଗତ ଆର୍ଥିକବର୍ଷ ତୁଳନାରେ ୪୨୩୮.୬୮ କୋଟି ଟଙ୍କା କମ୍‍ ପାଇଛନ୍ତି । ଗତବର୍ଷ ଅକ୍ଟୋବର ଶେଷସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରରୁ ୨୭,୭୬୩.୪୧ କୋଟି ଟଙ୍କା ପାଇଥିଲେ ।

ଚଳିତ ଆର୍ଥିକବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ଅନୁଦାନ ଆକାରରେ ୩୭,୯୬୩.୩୨କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟ ରଖିଥିବାବେଳେ ଅକ୍ଟୋବର ସୁଦ୍ଧା ପାଇଛନ୍ତି ମାତ୍ର ୯୫୯୬.୫୭ କୋଟି ଟଙ୍କା, ଯାହାକି ଗତବର୍ଷ ତୁଳନାରେ ୩୧.୪୯ ପ୍ରତିଶତ କମ୍‍ ରହିଛି । ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ଅଂଶଧନ ଭାବରେ ୩୦,୧୩୬.୬୮ କୋଟି ଟଙ୍କା ପାଇବାର ଆକଳନ କରିଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ମିଳିଛି ମାତ୍ର ୧୩,୯୩୨.୧୬ କୋଟି ଟଙ୍କା ।

ଅଂଶଧନ ଟିକସ ବାବଦରେ ଯଦିଓ ରାଜ୍ୟ ସରକାର ଗତବର୍ଷ ତୁଳନାରେ ୧.୨୮ ପ୍ରତିଶତ ଅଧିକ ଅର୍ଥ ପାଇଛନ୍ତି ତାହା କିନ୍ତୁ ସନ୍ତୋଷଜନକ ନୁହେଁ । କାରଣ ୨୦୧୯ରେ ଓଡିଶାକୁ ମିଳିଥିବା ରାଶି ତୁଳନାରେ ଏହା ୧୯.୨୨ ପ୍ରତିଶତ କମ୍‍ ରହିଛି । ୨୦୨୦-୨୧ ବର୍ଷରେ ଓଡିଶା ସରକାର ଅଂଶଧନ ଟିକସ ଓ ଅନୁଦାନ ବାବଦରେ କେନ୍ଦ୍ରରୁ ୫୦,୨୯୫.୯୦ କୋଟି ଟଙ୍କା ପାଇଥିଲେ । ତେବେ ରାଜ୍ୟ ସରକାର କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ଆଶା କରିଥିବାବେଳେ ପୂର୍ବବର୍ଷ ତୁଳନାରେ କିନ୍ତୁ କମ୍‍ ଅର୍ଥ ମିଳିବାରେ ଲାଗିଛି । ଏହା ଏବେ ରାଜ୍ୟ ସରକାରଙ୍କ ବିତ୍ତୀୟ ପରିଚାଳନା ପାଇଁ ସମସ୍ୟା ସୃଷ୍ଟି କଲାଣି ।

କେନ୍ଦ୍ରରୁ ଅଂଶଧନ ଓ ଅନୁଦାନ ମିଳିବା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଠିକଣା ଯୋଜନା ପ୍ରସ୍ତୁତ ସହିତ ପଦକ୍ଷେପ ଗ୍ରହଣ କରି ନିଜସ୍ୱ ଟିକସ ଓ ନିଜସ୍ୱ ଅଣଟିକସ ଆଦାୟ ବୃଦ୍ଧି କରିଛନ୍ତି । ୨୦୨୧-୨୨ ବର୍ଷରେ ଟିକସ ଓ ଅଣଟିକସ ଆଦାୟ ପାଇଁ ୫୭,୫୦୦ କୋଟିର ଲକ୍ଷ୍ୟ ଥିବାବେଳେ ଏଥି ମଧ୍ୟରେ ନିଜସ୍ୱ ଟିକସ ବାବଦରେ ୩୭,୫୦୦ ଏବଂ ଅଣଟିକସ ବାବଦରେ ୨୦,୦୦୦ କୋଟି ରହିଛି । ତେବେ ଅକ୍ଟୋବର ଶେଷ ସୁଦ୍ଧା ଉଭୟ ଟିକସ ବାବଦରେ ରାଜ୍ୟ ସରକାର ୪୫,୫୧୬ କୋଟି ଟଙ୍କା ଆଦାୟ କରିଛନ୍ତି ଯାହାକି ଗତବର୍ଷ ତୁଳନାରେ ୭୫.୩୭ ପ୍ରତିଶତ ଅଧିକ ।

ଗତବର୍ଷ ତୁଳନାରେ ନିଜସ୍ୱ ଟିକସ ଆଦାୟରେ ୨୯.୪୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ଅଣଟିକସ ଆଦାୟ ୧୫୨.୫୯ ପ୍ରତିଶତ ବୃଦ୍ଧି ପାଇଛି । ଚଳିତବର୍ଷ ଅକ୍ଟୋବର ଶେଷସୁଦ୍ଧା ନିଜସ୍ୱ ଟିକସ ବାବଦରେ ୯୬୮୧.୩୨ କୋଟି ଏବଂ ଅଣଟିକସ ବାବଦରେ ୨୪,୪୫୪.୩୨ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ଏହା ଯଥାକ୍ରମେ ୧୬,୨୭୩.୮୪କୋଟି ଓ ୯୬୮୧.୩୨ କୋଟି ଟଙ୍କା ଥିଲା । ତେଣୁ ରାଜ୍ୟ ସରକାରଙ୍କ ଅଧିକରୁ ଅଧିକ ଟିକସ ଆଦାୟ ଏବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚଳାଇବାରେ ବେଶ୍‍ ସହାୟକ ହୋଇଛି । (ତଥ୍ୟ)