Home Finance ଚିନ୍ତା ବଢାଉଛି କେନ୍ଦ୍ରୀୟ ଅର୍ଥ ହ୍ରାସ

ଚିନ୍ତା ବଢାଉଛି କେନ୍ଦ୍ରୀୟ ଅର୍ଥ ହ୍ରାସ

ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ରରୁ ପାଖାପାଖି ୭୦ହଜାର କୋଟି ଟଙ୍କା ପାଇବାର ଆଶା ରଖଥିବାବେଳେ କେନ୍ଦ୍ର ସରକାର ଏବେ ଅର୍ଥ ଯୋଗାଣକୁ ମନ୍ଥର କରିଛନ୍ତି ଯାହା କି ରାଜ୍ୟର ଚିନ୍ତା ବଢାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରରୁ ବିଭିନ୍ନ ବାବଦରେ ୬୯,୭୬୬.୫୨ କୋଟି ଟଙ୍କା ପାଇବାର ଆଶା ରଖିଛନ୍ତି ।

କେନ୍ଦ୍ରୀୟ ଅଂଶଧନ ଟିକସ ବାବଦରେ ରାଜ୍ୟ ସରକାର ୩୬,୯୭୭.୮୮ କୋଟି ଏବଂ ଅନୁଦାନ ବାବଦରେ ୩୨,୭୮୮.୬୪ କୋଟି ଟଙ୍କା ୨୦୨୨-୨୩ ବର୍ଷରେ ପାଇବାର ଆକଳନ କରିଛନ୍ତି । ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟ ସରକାର ଏ ବାବଦରେ ମୋଟ୍‍ ୨୩,୧୩୦.୭୫ କୋଟି ଟଙ୍କା ପାଇଛନ୍ତି ଯାହାକି ମୋଟ ବଜେଟ୍‍ ଆକଳନର ମାତ୍ର ୩୩.୧୫ ପ୍ରତିଶତ ।

ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କେନ୍ଦ୍ରରୁ ମିଳିବାକୁ ଥିବା ଅର୍ଥର ଅତି କମ୍‍ରେ ୫୦ ପ୍ରତିଶତ ମିଳିଯିବ ବୋଲି ରାଜ୍ୟ ଯୋଜନାବିତ୍‍ମାନେ ଆଶା ବାନ୍ଧିଥିଲେ । କେନ୍ଦ୍ରରୁ ମିଳୁଥିବା ଅନୁଦାନ ଅର୍ଥ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି ଏବଂ ସେପ୍ଟେମ୍ବର ଶେଷସୁଦ୍ଧା ଏ ବାବଦରେ ୩୧ ପ୍ରତିଶତରୁ କମ୍‍ ଅର୍ଥ ମିଳିଛି । ମିଳିଥିବା ମୋଟ୍‍ ୩୨,୭୮୮.୬୪ କୋଟି ଟଙ୍କାରୁ ଅନୁଦାନ ଆକାରରେ ମାତ୍ର ୬୧୦୦ କୋଟି ଟଙ୍କା ମିଳିଛି ଯାହା କି ବଜେଟ୍‍ ଆକଳନର ୧୮.୬୧ ପ୍ରତିଶତ ।

ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶଧନ ଟିକସ ବାବଦରେ କେନ୍ଦ୍ର ସରକାରଙ୍କୁ ୧୭,୦୩୦ କୋଟି ଟଙ୍କା ମିଳିଛି ଯାହା କି ବଜେଟ୍‍ ଆକଳନର ୪୬ ପ୍ରତିଶତ । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ରାଜସ୍ୱ ପ୍ରାପ୍ତି ବାବଦରେ ମୋଟ୍‍ ୧,୬୩,୯୬୬.୫୨ କୋଟି ଟଙ୍କା ପାଇବେ ବୋଲି ବଜେଟ୍‍ରେ ଆକଳନ କରିଥିବାବେଳେ ଏଥି ମଧ୍ୟରେ କେନ୍ଦ୍ରରୁ ୬୯,୭୬୬.୫୨ କୋଟି ଟଙ୍କା ମିଳିବ ବୋଲି ଉଲ୍ଲେଖ ରହିଛି । ଗତ ଛଅ ମାସ ଧରି କେନ୍ଦ୍ରରୁ ଯେଉଁ ହାରରେ ଅର୍ଥ ମିଳୁଛି ସେଥିରୁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ କମିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଗତ କିଛିବର୍ଷ ଧରି କେନ୍ଦ୍ରରୁ ମିଳୁଥିବା ଅର୍ଥ ବିଶେଷକରି ଅନୁଦାନ ପରିମାଣ ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି ।

ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଗ୍ରଗାମୀ ଯୋଜନା ପ୍ରଭାବିତ ହେଉଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ରାଜ୍ୟ ସରକାର ତାଙ୍କର ଅଂଶଧନ ଠିକଣା ସମୟରେ ପ୍ରଦାନ କରୁଥିବାବେଳେ କେନ୍ଦ୍ରୀୟ ଅର୍ଥ କିନ୍ତୁ ମିଳୁପାରୁ ନାହିଁ । ପୂର୍ବରୁ ରାଜ୍ୟ ସରକାର ବଜେଟ୍‍ ପ୍ରସ୍ତୁତି ସମୟରେ କେନ୍ଦ୍ର ଅର୍ଥକୁ ଦୃଷ୍ଟିରେ ରଖିଥାନ୍ତି ଯାହାକି ବଜେଟ୍‍ର ସିଂହଭାଗ ଅଟେ । ବର୍ତ୍ତମାନ ବଜେଟ୍‍ର ଢାଞ୍ଚା ବଦଳିବା ସହିତ ରାଜ୍ୟ ସରକାର ଅଧିକରୁ ଅଧିକ ନିଜସ୍ୱ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାର ଅର୍ଥ ନଦେଲେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଶେଷକରି ସାମାଜିକ ଯୋଜନାଗୁଡିକ ପ୍ରଭାବିତ ହେବ ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

୨୦୨୨-୨୩ ବର୍ଷର ବଜେଟ ଆକଳନରେ ରାଜ୍ୟ ସରକାର ୯୪,୨୦୦ କୋଟି ଟଙ୍କାର ନିଜସ୍ୱ ଟିକସ ଓ ଅଣ ଟିକସ ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି । ଅଧିକାରୀମାନଙ୍କ ସକରାତ୍ମକ ପଦକ୍ଷେପ ଯୋଗୁଁ ଆର୍ଥିକ ବର୍ଷର ପ୍ରଥମ ଛଅମାସ ମଧ୍ୟରେ ଏ ବାବଦରେ ୪୨,୬୩୦.୬୦ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ରାଜ୍ୟ ସରାକରଙ୍କ ଖର୍ଚ୍ଚ ପାଇଁ ବଡ ସହାୟକ ହୋଇପାରିଛି । (ତଥ୍ୟ)