Home Finance ଚିନ୍ତା ବଢାଇଲାଣି କେନ୍ଦ୍ରୀୟ ଅନୁଦାନ ହ୍ରାସ

ଚିନ୍ତା ବଢାଇଲାଣି କେନ୍ଦ୍ରୀୟ ଅନୁଦାନ ହ୍ରାସ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟରେ ଅଧିକ ସମ୍ବଳର ଆବଶ୍ୟକତା ଥିବାବେଳେ କେନ୍ଦ୍ରରୁ ଉଦବେଗଜନକ ଭାବେ ଅନୁଦାନ ହ୍ରାସ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଚଳିତ ଆର୍ôଥକ ବର୍ଷର ଜୁନ୍‍ମାସ ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ ପ୍ରତିଶତ କମ୍‍ ଅର୍ଥ ମିଳିଛି ।

ଅନୁଧ୍ୟାନରୁ ଜଣାପଡିଛି ଯେ ଗତ ଆର୍ଥିକବର୍ଷ ଜୁନ୍‍ ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ପ୍ରାୟ ୮୫୦୦କୋଟି ଟଙ୍କା ମିଳିଥିବାବେଳେ ଚଳିତ ଆର୍ଥିକବର୍ଷର ଜୁନ୍‍ ଶେଷ ସୁଦ୍ଧା ଏ ବାବଦରେ ୫୭୦୦ କୋଟି ଟଙ୍କା ମିଳିଛି । ସେହିଭଳି କେନ୍ଦ୍ରୀୟ ଟିକସରୁ ଅଂଶଧନ ବାବଦରେ ଗତ ଆର୍ଥିକବର୍ଷର ଜୁନ୍‍ ଶେଷସୁଦ୍ଧା ପ୍ରାୟ ୬୨୦୦ କୋଟି ଟଙ୍କା ମିଳିଥିବାବେଳେ ଚଳିତବର୍ଷ ଏହି ସମୟ ମଧ୍ୟରେ ପ୍ରାୟ ୫୩୦୦ କୋଟି ଟଙ୍କା ମିଳିଛି ।

ମୋଟ କେନ୍ଦ୍ରୀୟ ଅନୁଦାନ ଓ ଅଂଶଧନ ବାବଦରେ ରାଜ୍ୟ ସରକାର ଗତ ଆର୍ଥିକ ବର୍ଷରେ ଜୁନ୍‍ ଶେଷସୁଦ୍ଧା ୧୪,୭୦୦ କୋଟି ଟଙ୍କା ପାଇଥିବାବେଳେ ଚଳିତବର୍ଷ ସମୟରେ ପ୍ରାୟ ୧୧ହଜାର କୋଟି ଟଙ୍କା ପାଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଗତ ଦୁଇ ତିନିବର୍ଷ ହେଲା ମିଳୁଥିବା କେନ୍ଦ୍ରୀୟ ଅନୁଦାନ ଓ ଅଂଶଧନ ପରିମାଣ ଧିରେ ଧିରେ ହ୍ରାସ ପାଇପାରେ ଲାଗିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟର ମୋଟ ରାଜସ୍ୱ ଆଦାୟ ପରିମାଣ ୧,୨୫,୬୦୦ କୋଟି ଟଙ୍କା ଆକଳନ କରାଯାଇଥିବାବେଳେ ଏହାର ସିଂହ ଭାଗ ଅର୍ଥାତ୍‍ ୬୮,୧୦୦ କୋଟି ଟଙ୍କା କେନ୍ଦ୍ରରୁ ଏବଂ ୫୭,୫୦୦ କୋଟି ଟଙ୍କା ରାଜ୍ୟର ନିଜସ୍ୱ ରାଜସ୍ୱରୁ ମିଳିବ ବୋଲି ହିସାବ ହୋଇଥିଲା । କରୋନା ମହାମାରୀ ସମୟରେ କେନ୍ଦ୍ରରୁ ଅଧିକରୁ ଅଧିକ ଅର୍ଥ ମିଳିବ ବୋଲି ରାଜ୍ୟ ସରକାର ଆଶାବାନ୍ଧି ବସିଥିବାବେଳେ ଜୁନ୍‍ମାସ ଶେଷସୁଦ୍ଧା ଏ କ୍ଷେତ୍ରରେ ଶତକଡା ୨୫ ପ୍ରତିଶତ ହ୍ରାସ ପାଇବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ପୂର୍ବରୁ ଏଭଳି ପରିସ୍ଥିତି କେବେ ହୋଇନଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷର ପ୍ରଥମ ତିନିମାସ ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ଓ ଅଂଶଧନ ଅଭିବୃଦ୍ଧିର ହାର ୧୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨୫ ପ୍ରତିଶତ କମିଯାଇଛି ।

ତେବେ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ୧୧୨ ପ୍ରତିଶତ ବଢିଥିବା ଯୋଗୁଁ ପରିସ୍ଥିତିକୁ ସମ୍ଭାଳିବାପାଇଁ ରାଜ୍ୟ ସରକାର କିଛିଟା ସକ୍ଷମ ହୋଇଛନ୍ତି । କିନ୍ତୁ ଆର୍ଥିକବର୍ଷ ଶେଷ ବେଳକୁ ଯଦି ଏହିଭଳି ପରିସ୍ଥିତି ଲାଗି ରହିଲା ତେବେ ରାଜ୍ୟ ସରକାର ବଜେଟ୍‍ରେ ଯେଉଁ ଆକଳନ କରି ଉନ୍ନୟନ ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡିବ ବୋଲି ବରିଷ୍ଠ ଅଧିକାରୀ ମାନେ ମତ ପ୍ରକାଶ କରୁଛନ୍ତି । (ତଥ୍ୟ)