Home Judiciary ଚିନ୍ତା ବଢାଇଲାଣି ଅଦାଲତ ନିରାପତ୍ତା

ଚିନ୍ତା ବଢାଇଲାଣି ଅଦାଲତ ନିରାପତ୍ତା

ଭୁବନେଶ୍ୱର : ମୁକୁଳା ପଡିଥିବା ଓଡିଶାର ଆଇନ୍‍ ଅଦାଲତ ଗୁଡିକ ପାଇଁ ଏବେ ନିରାପତ୍ତା ଚିନ୍ତା ବଢିଯାଇଛି । ଦିଲ୍ଲୀର ଏକ ଅଦାଲତରେ ଓକିଲ ବେଶରେ ଆସି ଦୁଇଜଣ ଅପରାଧି ଅନ୍ୟଜଣେ ଅପରାଧିଙ୍କୁ ବିଚାରପତିଙ୍କ ସମ୍ମୁଖରେ କୋର୍ଟ ପ୍ରକୋଷ୍ଠରେ ଗୁଳି କରିବା ଏବଂ ପୁଲିସ୍‍ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତତାୟୀମାନଙ୍କୁ ମାରିଥିବା ପରିପ୍ରେକ୍ଷୀରେ ଓଡିଶାରେ ଏବେ ଏଥିଘେନି ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ଜଣେ ବିଚାରପତିଙ୍କୁ ରାଜରାସ୍ତାରେ ଅଟୋ ଚଢାଇ ହତ୍ୟା କରାଯାଇଥିଲା । ଏହାଛଡା ଓଡିଶା ସମେତ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦିରେ ପୁଲିସ୍‍ ଏନକାଉଣ୍ଟରରେ ଜଣାଶୁଣା ଅପରାଧି ବି ମରିଛନ୍ତି । ଭୁବନେଶ୍ୱର ସମତେ ରାଜ୍ୟର ଆଉ କେତେକ କୋର୍ଟ କଚେରୀ ପରିସର ମଧ୍ୟରେ ପୂର୍ବରୁ ଅପରାଧିଙ୍କ ଗୁଳି ଫୁଟିଛି । ତେଣୁ ଏବେ ବିଚାରପତି, ଆଇନ୍‍ଜୀବୀ, ଅପରାଧିକ ମାମଲାର ଅଭିଯୋଗକାରୀ ଓ ସାକ୍ଷୀ ଏବଂ ସ୍ଥଳ ବିଶେଷରେ ଅଭିଯୁକ୍ତମାନଙ୍କର ନିରାପତ୍ତା ଏବେ ବଡ ପ୍ରଶ୍ନବାଚୀ ହୋଇଛି ।

ବରିଷ୍ଠ ଆଇନ୍‍ଜୀବୀ ଓ ଅବସରପ୍ରାପ୍ତ ବିଚାରପତିମାନେ କହୁଛନ୍ତି ଯେ ଅପରାଧିକ ମାମଲାଗୁଡିକରେ ତୁରନ୍ତ ଚାର୍ଜସିଟ୍‍ ଦାଖଲ ସହ ସୀମିତ ସମୟ ମଧ୍ୟରେ ଏହାର ଫଏସଲା ଏବଂ ଏହା ବିରୁଦ୍ଧରେ ଉପର ଅଦାଲତଗୁଡିକରେ ହେଉଥିବା ଅପିଲ ମାମଲା ଗୁଡିକର ଫଏସଲା ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଏହାଛଡା ସମ୍ପୂର୍ଣ୍ଣ ଅଦାଲତ ପରିସର, ବିଚାରପତିମାନଙ୍କ ବାସଭବନ ଓ ପରିବହନ, ଅପରାଧିକ ମାମଲା ପରିଚାଳନା କରୁଥିବା ଆଇନ୍‍ଜୀବୀମାନଙ୍କ ସୁରକ୍ଷା ଆଦି ପ୍ରସଙ୍ଗକୁ ସରକାର ଗୁରୁତ୍ୱର ସହ ନେବା ଆବଶ୍ୟକ ।

ବରିଷ୍ଠ ପୁଲିସ୍‍ ଅଧିକାରୀମାନେ କହୁଛନ୍ତି ଯେ ଜଣାଶୁଣା ଗ୍ୟାଙ୍ଗଷ୍ଟାର ଓ ଅନ୍ୟ ଅପରାଧିମାନଙ୍କୁ କୋର୍ଟରେ ହାଜର କରାଯିବା ପରିବର୍ତ୍ତେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲ ଭିତରେ ବି ସେମାନଙ୍କର ବିଚାର କରାଯାଇ ପାରିବ । ସଂଖ୍ୟାଧିକ ଜେଲରେ ନିରାପତ୍ତା ବ୍ୟବସ୍ଥା ଢିଲା ରହୁଥିବା, ଅଭିଯୁକ୍ତ ଅପରାଧିମାନଙ୍କୁ ମୋବାଇଲ ଫୋନ୍‍, ନିଶା ସାମଗ୍ରୀ ଓ ଅନ୍ୟାନ୍ୟ ଆପତ୍ତିଜନକ ପଦାର୍ଥ ଉପଲବ୍ଧ ହେବା ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏ ଦିଗରେ ବି ଦୃଷ୍ଟି ଦିଆଯିବା ଦରକାର ।

ରାଜ୍ୟରେ ସଂଖ୍ୟାଧିକ କୋର୍ଟ ପରିସରକୁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପଥ ରହିଥିବାରୁ ସେଗୁଡିକୁ ନିୟନ୍ତ୍ରଣ କରାଯିବା ସହ ଆଇନ୍‍ଜୀବୀ ଓ କୋର୍ଟ କର୍ମଚାରୀମାନଙ୍କୁ ପାଶ୍‍ ପ୍ରଦାନ, କୋର୍ଟରେ ଯେଉଁମାନଙ୍କର କାମ ରହୁଛି ସେମାନଙ୍କୁ ଆବେଦନ ଭିତ୍ତିରେ ଅନୁମତି ପ୍ରଦାନ, କୋର୍ଟ ପରିସରକୁ ଆସୁଥିବା ସମସ୍ତଙ୍କ ନିରାପତ୍ତା ଯାଞ୍ଚ, ମେଟାଲ ଡିଟେକ୍ଟର ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ସଂଖ୍ୟକ ସଶସ୍ତ୍ର ସୁରକ୍ଷାବଳ ଯୋଗାଇ ଦିଆଯିବା ଆବଶ୍ୟକ ।

ନିରାପତ୍ତା ଯୋଗୁଁ କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ବିଚାରପତି ଓ ଆଇନଜୀବୀମାନେ ଚାପରେ ରହୁଥିବା, ସଂଖ୍ୟାଧିକ କ୍ଷେତ୍ରରେ ସାକ୍ଷୀମାନେ ଧମକ ଚମକ ଓ ପ୍ରଲୋଭନର ବଶବର୍ତ୍ତୀ ହେଉଥିବା ଏମିତିକି ଅନେକ ତଦନ୍ତକାରୀ ଅଧିକାରୀ ମଧ୍ୟ ଚାପଗ୍ରସ୍ତ ଅବସ୍ଥାରେ ରହୁଥିବାରୁ ସମସ୍ୟା ବଢୁଛି । ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ଏବେ ପ୍ରାୟ ୧୫ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପାଖାପାଖି ୧୨ଲକ୍ଷ ହେଉଛି ଅପରାଧିକ ମାମଲା । (ତଥ୍ୟ)