Home General ଚିନ୍ତାରେ ମଦ ବେପାରୀ

ଚିନ୍ତାରେ ମଦ ବେପାରୀ

149
0

ଭୁବନେଶ୍ୱର : ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନୀମାନଙ୍କର ଏବେ ଚିନ୍ତା ବଢ଼ି ଯାଇଛି । ସେମାନଙ୍କ ମଧ୍ୟରୁ କିଏ ମଦ ବେପାର କରିବେ ଓ ଆଉ କାହାର ମଦ ବେପାର ବନ୍ଦ ହୋଇଯିବ ତାହା ନିର୍ଭର କରୁଛି ଲଟେରୀ ଉପରେ । ଯାହାର ଭାଗ୍ୟ ଟାଣଥିବ ସେ ଅନ୍ୟମାନଙ୍କ ଦୁର୍ଭାଗ୍ୟର କାରଣ ବୋଲି କୁହାଯାଉଥିବା ମଦ ଦୋକାନ ଚଳାଇବା ଲାଗି ଲଟେରୀ ମାଧ୍ୟମରେ ଜିଣିବ ।

ରାଜ୍ୟର ପାଖାପାଖି ୧୪୦୦ ଦେଶୀ ଓ ବିଦେଶୀ ଠିପିବନ୍ଦ ମଦ ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣ ପାଇଁ ସରକାର ଏ ବର୍ଷ ଲଟେରୀ କରୁଛନ୍ତି । ଏଥିଲାଗି ପ୍ରାୟ ୨୫୦୦୦ ଆବେଦନ ଅନ୍‍ଲାଇନ୍‍ରେ ଆସିଛି । ଚଳିତମାସ ୯ ତାରିଖକୁ ଅର୍ଥାତ୍‍ ଆସନ୍ତା ଶୁକ୍ରବାର ଦିନ ହେବାକୁ ଥିବା ଜିଲ୍ଲାସ୍ତରୀୟ ଲଟେରୀରେ ମଦ ଦୋକାନୀମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରିତ ହେବ । ଲଟେରୀ ବିଜେତାମାନଙ୍କ ନାମ ଘୋଷଣା ପରେ ସେମାନଙ୍କ ନୂଆ ଲାଇସେନ୍ସ ଆସନ୍ତା ୧୫ ତାରିଖ ସୁଦ୍ଧା ମିଳିଯିବ । ଅର୍ଥାତ୍‍ ପଣା ସଂକ୍ରାନ୍ତି ପରଦିନଠାରୁ ମଦୁଆଙ୍କୁ ମଦ ଯୋଗାଇବାର ଭାର କେଉଁମାନଙ୍କ ଉପରେ ରହିବ ତାହା ଲୋକେ ଦେଖିବେ ।

ବର୍ଷ ବର୍ଷ ଧରି ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନ ଜରିଆରେ ମଦ ବେପାର କରୁଥିବା ସଂଖ୍ୟାଧିକ ମଦ ବେପାରୀ ଏଥିଘେନି ଏବେ ଆଶଙ୍କାରେ ଅଛନ୍ତି । ଯେଉଁମାନଙ୍କର ଲଟେରୀ ଉଠିବ ନାହିଁ ସେମାନେ ଆଉ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବିକି ପାରିବେ ନାହିଁ । ବାଘ ମୁହଁରେ ମଣିଷ ରକ୍ତ ଲାଗିଲେ ସେ ଯେମିତି ଶିକାର ପାଇଁ ତତ୍ପର ହୋଇଉଠେ ସେହିଭଳି ସମସ୍ତ ଦୁଷ୍କୃତିର ଜନନୀ ବୋଲି କୁହାଯାଉଥିବା ମଦ ବେପାର କରି ବେଶ୍‍ ମୁନାଫା ଉଠାଉଥିବା ବେପାରୀମାନେ ତେଣୁ ଚିନ୍ତିତ ରହିବା ସ୍ୱାଭାବିକ ।

ପୂର୍ବରୁ ଆପୋଷ ବୁଝାମଣା ଭିତ୍ତିରେ ମଦ ଦୋକାନ ଲାଇସେନ୍ସ ନବୀକରଣ କରାଯାଉଥିଲା । ତେବେ ବିଜୁ ପଟ୍ଟନାୟକଙ୍କ ସରକାରରେ ଅବକାରୀ ମନ୍ତ୍ରୀ ଥିବା ସୁରେନ୍ଦ୍ର ନାଥ ନାୟକଙ୍କ ଜିଦ୍‍ ଯୋଗୁ ମଦ ଦୋକାନ ସଂଖ୍ୟା ବୃଦ୍ଧି କରାନଯାଇ ଏଗୁଡ଼ିକର ୧୯୯୦ ମସିହାରେ ଖୋଲା ନିଲାମ କରାଯିବାରୁ ଅବକାରୀ ରାଜସ୍ୱ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ ଖୋଲା ନିଲାମ ପ୍ରକ୍ରିୟା ବନ୍ଦ କରାଯାଇ ପ୍ରତିବର୍ଷ ଲାଇସେନ୍ସ ଫି’ରେ ସାମାନ୍ୟ ବୃଦ୍ଧି କରି ପୁରୁଣା ମଦ ଦୋକାନୀଙ୍କୁ ସରକାର ପୁଣି ଲାଇସେନ୍ସର ନବୀକରଣ କରୁଥିଲେ ।

ଏବେ ଓଡ଼ିଶା ସରକାର ଏହି ପ୍ରଥାର ବିଲୋପ ଘଟାଇ ଲଟେରୀ ମାଧ୍ୟମରେ ମଦ ଦୋକାନ ନିଲାମ କରିବାକୁ ଯାଉଛନ୍ତି । ପୁରୁଣା ବ୍ୟବସ୍ଥା ଅନୁଯାୟୀ ଯେଉଁ ଠିପିବନ୍ଦ ମଦ ଦୋକାନ ଲାଗି ସର୍ବନିମ୍ନ ଯେତେ ପରିମାଣର ମଦ ଉଠାଣ ବା ମିନିମମ୍‍ ଗ୍ୟାରେଣ୍ଟ କୋଟା ରଖାଯାଇଥିଲା ଏବେ ଲଟେରୀ ମାଧ୍ୟମରେ ଯେଉଁମାନେ ମଦ ଦୋକାନ ଲାଇସେନ୍ସ ପାଇବେ ସେମାନେ ଏହି କୋଟା ପ୍ରତିବର୍ଷ ୫ ପ୍ରତିଶତ କରି ବଢ଼ାଇବେ । ବର୍ଷକୁ ବର୍ଷ ଲାଇସେନ୍ସ ନବୀକରଣ କରାନଯାଇ ଲଟେରୀ ବିଜେତାମାନଙ୍କୁ ୫ ବର୍ଷ ଲାଗି ମଦ ଦୋକାନ ଦିଆଯିବ । ତେବେ ପ୍ରତିବର୍ଷ ଏମାନଙ୍କ ଲାଇସେନ୍ସ ଫି’ ୨୦ ପ୍ରତିଶତ କରି ବଢ଼ାଇବା ପାଇଁ ବ୍ୟବସ୍ଥା ରହିଛି ।

ବାର୍ଷିକ ୨୦ ପ୍ରତିଶତ ଲାଇସେନ୍ସ ଫି’ ବୃଦ୍ଧିକୁ ପ୍ରଥମେ କିଛିଟା ବିରୋଧ ହେଉଥିଲା । ତେବେ ପରବର୍ତ୍ତୀ ସମୟରେ ପ୍ରାୟ ୧୪୦୦ ମଦ ଦୋକାନ ପାଇଁ ପାଖାପାଖି ୨୫ହଜାର ଆବେଦନ ମିଳିବାରୁ ଅତି ଲାଭଜନକ ମଦ ବେପାର ପାଇଁ ଅଧିକରୁ ଅଧିକ ଲୋକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଗୋଟିଏ ଗୋଟିଏ ମଦ ଦୋକାନର ଲଟେରୀ ଉଠାଣ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଜଣେ ଜଣେ ମଦ ବେପାରୀ ବିଭିନ୍ନ ନାମରେ ବହୁ ଆବେଦନ କରିଥିବା କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ଚଳିତ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ ପରିମାଣ ୫୪୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here