Home Energy ଚିଟଫଣ୍ଡ୍‍ ଦୁର୍ନୀତିକୁ ବଳିଗଲାଣି ବିଜୁଳି କାରନାମା

ଚିଟଫଣ୍ଡ୍‍ ଦୁର୍ନୀତିକୁ ବଳିଗଲାଣି ବିଜୁଳି କାରନାମା

ଭୁବନେଶ୍ୱର : ଚିଟ୍‍ଫଣ୍ଡ ଦୁର୍ନୀତିକୁ ବଳି ଗଲାଣି ରାଜ୍ୟରେ ବିଜୁଳି କାରନାମା । ସହରଠୁ ଗାଁ ପର୍ଯ୍ୟନ୍ତ ଲୋକେ ବିଜୁଳି କାଟ୍‍ରେ ଅଣନିଶ୍ୱାସୀ । ବିଦ୍ୟୁତ ସଂସ୍କାର ଆଣିବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ଆଜି ସଂସ୍କାର ନାମରେ କୋଟି କୋଟି ଟଙ୍କା ଉପଭୋକ୍ତାଙ୍କଠାରୁ ଲୁଟ୍ କରାଯାଉଛି ।

ଓଡ଼ଶା କୋଇଲା ଉତ୍ପାଦନରେ ଏକ ନମ୍ବର ରାଜ୍ୟ ହୋଇ ମଧ୍ୟ ଗ୍ରାହକମାନେ ବିଦ୍ୟୁତ ପାଇବାରୁ ବଂଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶାରରୁ ଜମି, କୋଇଲା, ପାଣି ନେବା ସହ ଓଡ଼ିଶାକୁ ପ୍ରଦୂଷିତ ମଧ୍ୟ କରାଯାଉଛିି । ବିଭିନ୍ନ କମ୍ପାନୀମାନେ ଓଡ଼ିଶାରୁ ସବୁ ସଂପଦ ନେଇ ମଧ୍ୟ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଉନାହାନ୍ତି । ଚଳିତ ଶତାବ୍ଦୀର ସବୁଠୁ ବଡ ଦୁର୍ନୀତି ହେଉଛି ବିଜୁଳି ଦୁର୍ନୀତି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯୯୯ରେ ଯେତେବେଳେ ନବୀନ ବାବୁ କ୍ଷମତାକୁ ଆସିଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ସାଧାରଣ ଗ୍ରାହକଙ୍କ ପାଇଁ ୧୩୭% ବିଦ୍ୟୁତ ଶୁଳ୍କ ବୃଦ୍ଧି ଘଟିଛି । ୧୯୯୯-୨୦୦୦ ମସିହାରେ ୫୦ୟୁନିଟ୍ ପର୍ଯ୍ୟନ୍ତ ଲୋକେ ୧ଟଙ୍କା ୨୦ପଇସା କିନ୍ତୁ ୨୦୨୨ବେଳକୁ ୩ଟଙ୍କା ୟୁନିଟ୍ ପ୍ରତି ଦେଉଛନ୍ତି । ସେହିପରି ୪୦୦ ୟୁନିଟ୍‌ରୁ ଅଧିକ ବ୍ୟବହାର କଲେ ୨ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇଁ ୬ଟଙ୍କା ୨୦ପଇସାରେ ପହଚିଂଲାଣି ।

କ୍ଷୁଦ୍ର ଓ ଅଣୁ ସଂସ୍ଥାଗୁଡ଼ିକ ଉପରେ ୧୧୧%, ଶିଳ୍ପରେ ୧୦୬% ବୃଦ୍ଧି ଘଟିଛି । ଏନେଇ ଓଡିଶାବାସୀ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣବତାର ନିରବଚ୍ଛିନ୍ନ ବିଦ୍ୟୁତ ପାଇବାରୁ ବଂଚିତ ହେଉଛନ୍ତି । ଏଥି ସକାଶେ ଶିଳ୍ପକାରଖାନାମାନ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି । କୃଷି କ୍ଷେତ୍ର ପାଇଁ ମାତ୍ର ୩% ବିଜୁଳି ଶକ୍ତି ବ୍ୟବହାର ହେବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଗତ ୧୦ବର୍ଷ ଭିତରେ ଓଡ଼ିଶା ବିଦ୍ୟୁତ ବଂଟନ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ ହୋଇଥିବା ୨୦ହଜାର କୋଟି ସଠିକ ଭାବେ ବ୍ୟୟ ହୋଇନାହିଁ । ମାତ୍ର ୭୦୦ କୋଟି ଟଙ୍କାରେ ୫୧ ପ୍ରତିଶତ ମାଲିକାନା ହୋଇଛି ଟାଟା ପାୱାର । ସିଏଜି ଏହି ପୁଞ୍ଜିବ୍ୟୟ ଉପରେ ଆପତି ଆଣିଛି । ବିଦ୍ୟୁତ ଶୁଳ୍କରେ ଅନିୟମିତତା ଏବଂ ଜାଣିଶୁଣି ନିଅଂଟିଆ ପରିସସ୍ଥିତି ସୃଷ୍ଟି କରାଯାଇ ଅଘୋଷିତ ବିଦ୍ୟୁତ କାଟ୍ କରାଯାଉଛି । ଏପ୍ରିଲ-ମେ ମାସରେ ଓଡ଼ିଶାର ଗ୍ରାମାଂଚଳରେ ୪ଘଂଟା ୧୦ମିନିଟ୍ ଏବଂ ସହରାଂଚଳରେ ୧ଘଂଟା ୧୦ମିନିଟ୍ ବିଦ୍ୟୁତକାଟ ହେଉଛି । ବିଜୁ ଜନତା ଦଳର ସରକାର ଗ୍ରାମାଂଚଳ ଓ ସହରାଚଂଳ ମଧ୍ୟରେ ସୃଷ୍ଟି କରିଥିବା ଏହି କୃତିମ ବୈଷମ୍ୟ ଉପରେ ମତଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

ରାଜ୍ୟରେ ବିଦ୍ୟୁତ ଦର କମିବାରେ ନାଁ ନେଉନାହିଁ । ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ସଚିବ ଶକ୍ତି ବିଭାଗରୁ ଡେପୁଟେସନରେ ନିଯୁକ୍ତ ଅଛନ୍ତି । ଅନ୍ୟ ପକ୍ଷରେ ବାହାର ରାଜ୍ୟମାନଙ୍କରେ ଆଇଏଏସ୍ ଅଫସରମାନେ ଏହି ପଦବୀରେ କାର୍ଯ୍ୟ କରିଥାନ୍ତି । ୧୯୯୭ମସିହାରେ ଏହି ଆୟୋଗର ଚାକିରି ସଂସ୍ଥାବଳୀ ଅନୁଯାୟୀ ଆୟୋଗରେ ୨୭ଟି ପଦବୀ ରଖାଯାଇଥିଲା । ଏବେ ଗ୍ରାହକଙ୍କ ସଂଖ୍ୟା ୧୦ଗୁଣ ବୃଦ୍ଧି ଘଟିଛି କିନ୍ତୁ ପଦବୀ ସଂଖ୍ୟା ୨୭ରୁ ୧୩କୁ ଖସିଛି । ବିଦ୍ୟୁତ ବଂଟନକାରୀ ସଂସ୍ଥାର ଅର୍ଥରେ ବିଦ୍ୟୁତ ନିୟାମକ ଆୟୋଗ ଚାଲିଛି । ନିରପେକ୍ଷତା ଅବଲମ୍ବନ କରୁନଥିବାରୁ ଆୟୋଗର ବଜେଟ୍ ବଳକା ରହୁଛି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବଂଟନକାରୀ କମ୍ପାନୀର ସ୍ୱାର୍ଥରେ ରାୟ ଶୁଣାଉଛନ୍ତି । ଏହା ଅତ୍ୟନ୍ତ ଜନବିରୋଧୀ ଆଭିମୁଖ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ବିଜୁଳି ବିଲ୍‌ରେ ୩ଟି ସ୍ଲାବ ଥାଏ ଏବଂ ପ୍ରତ୍ୟେକ ସ୍ଲାବ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ ହୋଇଛି । ଗ୍ରାହକମାନେ ମାସିକିଆ ବଦଳରେ ୨୫-୨୭ ଦିନିଆ ହିସାବରେ ବିଲ୍ ପାଉଛନ୍ତି । ଫଳରେ ଉଚ୍ଚତର ସ୍ଲାବରେ ଦେୟ ପୈଠ କରି ପ୍ରତି ଗ୍ରାହକ ପ୍ରାୟ ମାସିକ ପାଖାପାଖି ୪୨ଟଙ୍କାର କ୍ଷତି ସହୁଛନ୍ତି । ୯୫ଲକ୍ଷ ଗ୍ରାହକଙ୍କୁ ହିସାବକୁ ନେଲେ ମାସିକ ଏବାବଦରେ ହାରାହାରି ୪୦କୋଟି ଟଙ୍କାର ହରିଲୁଟ୍ ହେଉଛି । ଏଭଳି ହରିଲୁଟରେ ରାଜ୍ୟ ସରକାରଙ୍କ ଭାଗ ଜେତେ ରହିି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

୨୦୨୧ ମସିହା ଏପ୍ରିଲ ତୁଳନାରେ ୨୦୨୨ ଏପ୍ରିଲରେ ହୀରାକୁଦ, ରେଙ୍ଗାଳୀ, ଅପରକୋଲାଭରେ ଜଳସ୍ତର ବୃଦ୍ଧି ପାଇଥିଲା । ବାଲିମେଳା, ଇନ୍ଦିରାବତୀ ଓ ମାଛକୁଣ୍ଡରେ ଜଳପତନ ସାମାନ୍ୟ ହ୍ରାସ ପାଇଥିଲା । ଅଥଚ ରାଜ୍ୟର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୦୯୯.୫ ମେଗାୱାଟର ମାତ୍ର ୩୩% ବିଜୁଳି ଉତ୍ପାଦନ ହେଲା । ସେହିପରି ତାପଜ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୨ଶହ ମେଗାୱାଟ ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୪୧% ବା ୯୦୩.୮୦ମେଗାୱାଟ । ଖରା ସମୟରେ ବିଦ୍ୟୁତ ଚାହିଦା ଅଧିକ ଥିବାବେଳେ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ଷ୍ଟେଜ-୨ର ମରାମତି ଆଳରେ ୬୬୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦିଆଯାଇଛି । ସ୍ୱାଧୀନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ଚୁକ୍ତି ଅନୁସାରେ ରାଜ୍ୟ ସରକାରଙ୍କୁ ଶସ୍ତାମୂଲ୍ୟର ବିଦ୍ୟୁତ ଯୋଗାଉ ନାହାନ୍ତି । ତେଣୁ କୃତିମ ବିଦ୍ୟୁତ ନିୟଂଟ ସୃଷ୍ଟି କରି ଜାତୀୟ ଗ୍ରୀଡରୁ ଉଚ୍ଚାଦରରେ ବିଦ୍ୟୁତ କିଣାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଜନସାଧାରଣଙ୍କଠାରୁ ବର୍ଷ ବର୍ଷ ଲୁଟ କରାଯାଇଥିବା ଅର୍ଥକୁ ଫେରସ୍ତ ଦେବାକୁ ଦାବୀ ଜଣାଇବା ସହିତ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାରକୁ ଠିକଣାଭାବେ କାର୍ଯ୍ୟକାରୀ କରି ଜନସାଧାରଣଙ୍କୁ ସୁଲଭ, ନିରବଚ୍ଛିନ. ଉଚ୍ଚ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେବାକୁ ବିଜେପି ଦାବୀ କରୁଛି । ନଚେତ ରାଜ୍ୟସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍‌ଧରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ଏହି ଅବସରରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।