Home General ଚା ଦୋକାନୀ ଦାନକଲେ ୧୮ ହଜାର

ଚା ଦୋକାନୀ ଦାନକଲେ ୧୮ ହଜାର

ଭୁବନେଶ୍ୱର :ଭୁବନେଶ୍ୱର ଆର.ଟି.ଓ ଅଫିସ ନିକଟ ଏକ ଓମ୍‌ଫେଡ୍‌ ବୁଥ୍‌ରେ ଚା ବିକ୍ରୀ କରୁଥିବା  ଦୋକାନୀ ଶ୍ରୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ  ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଲୋକସେବା ଭବନlର  ସେ ଆଜି  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି  ଏହି ରାଶିର  ଚେକ୍ ପ୍ରଦାନ  କରିଥିଲେ ।

ଏହି ଅବସରରେ  ଶ୍ରୀ ଜେନା ଜଣାଇଥିଲେ ଯେ  ସେ ଜଣେ କୋଭିଡ୍‌ ଯୋଦ୍ଧାଭାବେ  କାର୍ଯ୍ୟ କରିଥିଲେ ।  ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ  ନିଜ ଉପରେ କରାଇବା ପାଇଁ  ସେ ସ୍ୱେଚ୍ଛାକୃତଭାବେ  ଆଗଭର ହୋଇଥିଲେ ।  ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନପ୍ରକାର ଡ଼ାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍‌ ହସ୍‌ପିଟାଲକୁ  ଯିବା ଆସିବା କରୁଥିଲେ । ତାଙ୍କୁ ଯିବା  ଆସିବା ଖର୍ଚ୍ଚ  ବାବଦରେ ୬୭୫୦.୦୦ ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ  ସେ ବହୁତ  ଆନନ୍ଦିତ ହୋଇଥିଲେ ଓ ଆତ୍ମସନ୍ତୋଷ ଲାଭ କରିଥିଲେ ।

ସେହି ରାଶି ସହ ଚା ବେପାରରୁ ମିଳିଥିବା ୧ ମାସର ଲାଭ  ମିଶାଇ  ଶ୍ରୀ ଜେନା ସମୁଦାୟ  ୧୮,୩୫୦.୦୦ ର ଚେକ୍‌ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ ।  ପ୍ରତି ବର୍ଷ  ଦୋକାନରୁ  ୧ ମାସର  ରୋଜଗାର  ସେ କୌଣସି ନା କୌଣସି  ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିସହାୟଙ୍କ ସହାୟତା ବା ସମାଜ  କଲ୍ୟାଣ କାମରେ ବିନିଯୋଗ କରିଥାଆନ୍ତି ।  ପ୍ରାୟ ବିଗତ  ୧୦ ବର୍ଷରୁ  ଉର୍ଦ୍ଧ୍ଵକାଳ ଧରି  ସେ ଏ ପ୍ରକାର  ମାନବିକ  ସେବା  କାର୍ଯ୍ୟରେ  ବ୍ରତୀ ଅଛନ୍ତି ବୋଲି ତାଙ୍କ  ସଂପର୍କରେ  ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶିତ ସମ୍ୱାଦରୁ  ଜଣାପଡିଛି ।

ଶ୍ରୀ ଜେନାଙ୍କର ଏତାଦୃଶ ମାନବିକ  ଚେତନା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ  ମହାପାତ୍ର ଶିବଶଙ୍କରଙ୍କୁ  ସାଧୁବାଦ ଜଣାଇବା ସହ  ତାଙ୍କର ଉତ୍ତରୋତ୍ତର  ବିକାଶ କାମନା  କରିଥିଲେ ।  ଚେକ୍‌ ପ୍ରଦାନ ସମୟରେ ଭୁବନେଶ୍ୱର (ମଧ୍ୟ) ର ବିଧାୟକ ସଦସ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ  ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।