Home Agriculture ଚାଷୀ ଆୟରେ ୭୩ ପ୍ରତିଶତ ବୃଦ୍ଧି

ଚାଷୀ ଆୟରେ ୭୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ଓ ନାବାର୍ଡର ସକରାତ୍ମକ ପଦକ୍ଷେପ ଯୋଗୁଁ ପାଇଲଟ ପ୍ରକଳ୍ପ ଭାବେ ହାତକୁ ନିଆଯାଇଥିବା ୭ଟି ଗାଁର କଷକଙ୍କ ଆୟ ଗତ ୫ବର୍ଷ ମଧ୍ୟରେ ୭୩.୧୦ ପ୍ରତିଶତ ବୃଦ୍ଧି ପାଇଛି । କୃଷି ସମୃଦ୍ଧି ନାଁରେ ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ସହାୟତା କରାଯାଇଥିବାବେଳେ ଏହି ପ୍ରକଳ୍ପ ୨୦୧୭ ମସିହାରେ କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ତିଲକଣା, ଦେମାଣ୍ଡୋ, ତେଣ୍ଟାପୁର, ବାଲିଆପଡା, ପି.ବଳରାମପୁର, ସଙ୍କିଲୋ ଓ କତରାପଡା ଗାଁରେ ଆରମ୍ଭ ହୋଇଥିଲା ।

ଏହି ପ୍ରକଳ୍ପରେ ୧୪୩୯ ହିତାଧିକାରୀ ଥିବାବେଳେ ଏମାନେ ଉଭୟ ଫାର୍ମ ଓ ଅଣଫାର୍ମ କାର୍ଯ୍ୟ ହାତକୁ ନିଆଯାଇଥିଲା । ପ୍ରଥମ ବର୍ଷ ଚାଷୀଙ୍କର ଆୟ ୪୧,୧୪୫ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୭୧,୨୩୮ ଟଙ୍କାରେ ପହଞ୍ଚିଛି ଯାହାକି ୭୩.୧୦ ପ୍ରତିଶତ ବଢିଛି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରୁ ଏହା ଜଣାଯାଇଛି ।

ଏହି ପ୍ରକଳ୍ପ ଅଧିନରେ ବିଭିନ୍ନ କାର୍ଯ୍ୟ ମଧ୍ୟରୁ ସମନ୍ୱିତ କୃଷି, ଫସଲ ବିବିଧକରଣ, ଯାନ୍ତ୍ରିକ କୃଷି, ପର୍ଯ୍ୟାପ୍ତ ଜଳସେଚନ, ଆନୁଷଙ୍ଗିକ କାର୍ଯ୍ୟକଳାକୁ ପ୍ରୋତ୍ସାହନ ଏବଂ ନୂତନ କୌଶଳ ବିକାଶ ଆଦି ଅର୍ନ୍ତଭୁକ୍ତ ଥିଲା । ଅଧିକାରୀମାନେ କହିଛନ୍ତି ଯେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଉତ୍ପାଦନ ଖର୍ଚ୍ଚ ହ୍ରାସ, ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଅଧିକ ଅମଳ, ଚାଷୀଙ୍କ ପାଇଁ ବିପଦ ହ୍ରାସ କରିବା, ସମ୍ବେଦନଶୀଳ ଚାଷୀଙ୍କ ସଂଖ୍ୟା ହ୍ରାସ, ବଜାର ସୁବିଧା ସହିତ କୃଷକଙ୍କ ଉତ୍ପାଦନ ସାମଗ୍ରୀର ସୁଲଭ ଦର ଆଦି ଅନ୍ତଭୁକ୍ତ ରହିଛି ।

ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ମହାମାରୀ ସତ୍ୱେ ଏହି ପ୍ରକଳ୍ପରେ ଭଲ ସଫଳତା ମିଳିଛି । ଅନ୍ୟ ପକ୍ଷରେ ବିଭିନ୍ନ ବିଭାଗର ସଫଳତା ଏବଂ ଜିଲ୍ଲାର ସମନ୍ୱିତ କୃଷି ମଡେଲକୁ ଜିଲ୍ଲା ଋଣ ଯାଜନାର ଅଧିକ ଅର୍ଥ ଯୋଗାଇବାକୁ ସେମାନେ ମତ ଦେଇଛନ୍ତି ।

ଚାଷୀଙ୍କ ଆୟ ଦୁଇଗଣ ଲାଗି ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ସହିତ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପାଇଁ ଦାବି କରୁଛନ୍ତି । ନିକଟରେ ରାଜ୍ୟ କ୍ୟାବିନେଟ୍‍ ଫସଲ ବିବିଧତା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି । ୨୦୨୨-୨୩ ରୁ ୨୦୨୪-୨୫ ମଧ୍ୟରେ ୯୨୯.୫୫ କୋଟି ଟଙ୍କା ବ୍ୟୟରେ ଏହା ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏ କ୍ଷେତ୍ରରେ ଏହା ହେଉଛି ସମ୍ପୂର୍ଣ୍ଣ ଭାବେ ନୂତନ ପଦକ୍ଷେପ । ତିନି ବର୍ଷ ମଧ୍ୟରେ ୩.୭ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଶସ୍ୟ, ଧାନ ଚାଷ ହେଉଥିବା ୧.୫ ଲକ୍ଷ ହେକ୍ଟର ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଏବଂ ଅଧିକ ଲାଭ ଜନକ ପସଲ ଏବଂ ନିୟମିତ ଚାଷ ହେଉଥିବା ୦.୫ ଲକ୍ଷ ହେକ୍ଟର ଜମିରେ ରପ୍ତାନି ଭିତ୍ତିକ ଦେଶୀ ବାସ୍ନାଧାନ ଚାଷ କରାଯିବାର ଯୋଜନା ରହିଛି । (ତଥ୍ୟ)