Home General ଚାରି ହଜାର ବୁଣାକାର ଜିଇଏମରେ ସାମିଲ

ଚାରି ହଜାର ବୁଣାକାର ଜିଇଏମରେ ସାମିଲ

ଭୁବନେଶ୍ୱର : ଓଡିଶାର ୪ହଜାରରୁ ଅଧିକ ବୁଣାକାର ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‍)ରେ ଯୋଡି ହୋଇଛନ୍ତି ଯାହାକି ସେମାନଙ୍କ ପାଇଁ ବଡ ବଜାର ଉପଲବ୍ଧ କରିଛି । ଜିଇଏମ୍‍ ପୋର୍ଟାଲରେ ସାମିଲ ହୋଇଥିବା ବୁଣାକାର ଓ କାରିଗରମାନେ ଏବେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ସରକାରୀ ସଂସ୍ଥାଗୁଡିକୁ ବିକ୍ରି କରିପାରିବେ ।

ହସ୍ତତନ୍ତ ଉତ୍ପାଦନ କ୍ଷେତ୍ରରେ ଓଡିଶା ପ୍ରମୁଖ ରାଜ୍ୟ ହୋଇଥିବାବେଳେ ଜିଇଏମରେ ସାମିଲ ପାଇଁ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ସର୍ବଶେଷ ରିପୋର୍ଟ ଅନୁଯାୟୀ ୪୧୪୫ ବୁଣାକାର ଦେଶର ଏହି ପୂର୍ବାଞ୍ଚଳ ରାଜ୍ୟରୁ ଜିଇଏମ୍‍ରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ସେମାନେ ନିଜର ଉତ୍ପାଦଗୁଡିକୁ ସିଧାସଳଖ ଭାବେ ପୋର୍ଟାଲ ଜରିଆରେ ସରକାରୀ ବିଭାଗ ଓ ସଂସ୍ଥାଗୁଡିକୁ ବିକ୍ରି କରିପାରିବେ । ବର୍ତ୍ତମାନ ଜିଇଏମ୍‍ ପୋର୍ଟାଲରେ ଦେଢ ଲକ୍ଷ ବୁଣାକାର ରହିଛନ୍ତି ।

ସରକାରୀ ସଂସ୍ଥାକୁ ସାମଗ୍ରୀ ବିକ୍ରି କ୍ଷେତ୍ରରେ ଆହ୍ୱାନର ସମ୍ମୁଖୀନ ହେଉଥିବା ବୁଣାକାର, କ୍ଷୁଦ୍ର ଉଦ୍ୟୋଗୀ, ମହିଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦନ କରୁଥିବା ଆଦିବାସୀ ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଆଦି ଜିଇଏମ୍‍ରେ ସାମିଲ ହେବା ଫଳରେ ପୋର୍ଟାଲରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ପାରମ୍ପାରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କ ବିକାଶପାଇଁ ବୟନଶିଳ୍ପ ମନ୍ତ୍ରାଳୟ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛି । ଏହି ଯୋଜନାରେ ଯୋଗ୍ୟ ହସ୍ତତନ୍ତ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ସହିତ କଞ୍ଚାମାଲ ଯୋଗାଣ ହେଉଛି ।

ଏଥି ସହିତ କଞ୍ଚାମାଲ ଉପଲବ୍ଧତାରେ ସହାୟତା, ଭିତ୍ତିଭୂମି ବିକାଶ, ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀ ପାଇଁ ଘରୋଇ ଏବଂ ବିଦେଶରେ ବଜାର ବ୍ୟବସ୍ଥା ସହିତ ବୁଣାକାର ମୁଦ୍ରା ଋଣ ଆଦି କ୍ଷେତ୍ରରେ ସହଯୋଗ କରାଯାଉଛି । ଏହାବାଦ୍‍ ଜାତୀୟ ହସ୍ତତନ୍ତ ଯୋଜନାର କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମରେ ଓଡିଶାର ୩୦ଟି ହସ୍ତତନ୍ତ କ୍ଲଷ୍ଟରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଓଡିଶା ସରକାର ମଧ୍ୟ ପାରମ୍ପାରିକ ବୟନଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ।

କୋରାପୁଟ ଜିଲ୍ଲାରେ ହସ୍ତତନ୍ତ ବିକାଶ ଯୋଜନାରେ ପାରମ୍ପରିକ କୋଟପାଡ ବସ୍ତ୍ରର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି । ବୁଣାକାର ମୁଦ୍ରାଋଣ ଯୋଜନାରେ ଋଣ ଅର୍ଥର ୨୦ ପ୍ରତିଶତ ଯାହାକି ସର୍ବାଧିକ ୨୫ହଜାର ଟଙ୍କା ତାହା ମାର୍ଜିନ ମନି ଆକାରରେ ବୁଣାକାରମାନଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଇ ଦିଆଯାଉଛି । ତନ୍ତୁବାୟ ସଂଗଠନଗୁଡିକୁ ୨୦ଲକ୍ଷ ଟଙ୍କା ସହିତ ତିନି ବର୍ଷ ପାଇଁ ଋଣ ଗ୍ୟାରେଣ୍ଟି ଓ ସୁଧର ୭ ପ୍ରତିଶତ ସରକାର ଯୋଗାଇ ଦେଉଛନ୍ତି ।

ମନ୍ଦିର ଢାଞ୍ଚା ପ୍ରକଳ୍ପ ଅଧିନରେ ବିଭିନ୍ନ ବୁଣାକାର ଅଞ୍ଚଳରେ ଶାଢୀ, ପୋଷାକପତ୍ର ଏବଂ ଘରକରଣା ସାମଗ୍ରୀର ପ୍ରସ୍ତୁତ କରୁଛନ୍ତି । ଏହାଦ୍ୱାରା ମନ୍ଦିର ସ୍ଥପତିମାନେ ଶାଢୀ ପ୍ରସ୍ତୁତ ପାଇଁ ଆବଶ୍ୟକ କଳାକୌଶଳ ବିଶେଷକରି ବାନ୍ଧକଳାର କୌଶଳ ଯୋଗାଇ ଦେଉଛନ୍ତି ଯେଉଁ ଢାଞ୍ଚାରେ ପ୍ରସ୍ତୁତ ଶାଢୀ ଓ ଅନ୍ୟାନ୍ୟ ହସ୍ତତନ୍ତ ସାମଗ୍ରୀ ଏବେ ଦେଶ ଭିତରେ ଓ ବାହାରେ ବେଶ୍‍ ଆଦୃତିଲାଭ କରୁଛି । (ତଥ୍ୟ)