Home News in Odia ଚାରି ମାସରେ ୩ପ୍ରତିଶତଙ୍କୁ ଟୀକା

ଚାରି ମାସରେ ୩ପ୍ରତିଶତଙ୍କୁ ଟୀକା

ଭୁବନେଶ୍ୱର : ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ  ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରୁଛି । ଅସଲରେ ଗତ ଜାନୁଆରୀ ୧୬ ରୁ ଟୀକା ଅଭିଯାନ ଆରମ୍ଭ ହେବାଠାରୁ ଏବେ ଯାଏ ଗତ ଚାରିମାସ ମଧ୍ୟରେ ଭାରତର ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ପାରିଛି ।

ଅନ୍ୟପଟେ ଆମେରିକାରେ ୩୭ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟୀକା ଡୋଜ ନେଇ ସାରିଲେଣି । ଭାରତର ମୋଟ ୧୭ କୋଟି ୮୦ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇଥିବା ବେଳେ ଆମେରିକାରେ ୨୬ କୋଟି ୭୦ ଲକ୍ଷ, ଚୀନ ୩୭ କୋଟି ଲୋକଙ୍କୁ ଟୀକା ଦେଇସାରିଲାଣି । 

ତେଣୁ ବିଜେପି ଏଭଳି ମିଛ ବାହାସପୋଟ ମାରିବାରୁ ଖ୍ୟାନ୍ତ ରହୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ପ୍ରେସ ବାର୍ତାରେ କହିଛନ୍ତି । ୨୦୨୧ -୨୨ ଦେଶରେ କେନ୍ଦ୍ର ସରକାର କେବଳ ଟୀକା ପାଇଁ ୩୫ ହଜାର କୋଟି ଟଙ୍କା ପ୍ରାବଧାନ କରିଥିଲେ ।

ଏଯାବତ ମାତ୍ର ୪୭୦୦ କୋଟି ଟଙ୍କା ଟୀକା ବାବଦରେ ଖର୍ଚ୍ଚ ହୋଇଛି । ବାକି ୩୦ ହଜାର ୩ଶହ କୋଟି ଟଙ୍କାର ଟୀକା ଖର୍ଚ୍ଚ ନକରି କେନ୍ଦ୍ର ସରକାର କାହିଁକି ଚୁପ ବସିପଡ଼ିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ବିହାର, ବେଙ୍ଗଲ ନିର୍ବାଚନ ବେଳେ ଏବଂ ମନକିବାତରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣାରେ ଟୀକା ଦିଆଯିବ । କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କ ଉପରକୁ ଟୀକାର ଦାୟିତ୍ୱ ଠେଲି ଦେଲେ ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ମୋଟ ୯୪ କୋଟି ବୟସ୍କଙ୍କୁ ଟୀକା ଦେବା ପାଇଁ ଏବେ ଆଉ ୧୮୮ କୋଟି ଟୀକା ଡୋଜର ଆବଶ୍ୟକତା ଅଛି । ସେଥିପାଇଁ ମୋଟ ୨୫ ହଜାର ୫୯୮ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଟୀକା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ୩୫ ହଜାର କୋଟିରୁ ଏହି ଅର୍ଥ ପାଇଁ ଅର୍ଥ ଅଛି । କିନ୍ତୁ ମୋଦି ସରକାର ଏହି ଦାୟିତ୍ୱରୁ ଚୁପଚାପ ହଟିଗଲେ ।

ଅଥଚ ବିଜେପି ନେତାମାନେ  ଓଲଟା ବିରୋଧି ଦଳ ମାନଙ୍କୁ ସମାଲୋଚନାରେ ବ୍ୟସ୍ତ ବୋଲି ସତ୍ୟପ୍ରକାଶ କହିଛନ୍ତି । ଯଦି ରାଜ୍ୟମାନେ ନିଜ ସମ୍ବଳରୁ ଟୀକା କିଣିବେ ତେବେ ସେମାନଙ୍କର ସ୍ୱାସ୍ଥ୍ୟ ବଜେଟର ୩୦ ପ୍ରତିଶତ କେବଳ ଟୀକାରେ ଖର୍ଚ୍ଚ ହୋଇଯିବ ।

ଓଡ଼ିଶାର ଚଳିତ ସ୍ୱାସ୍ଥ୍ୟ ବଜେଟ ହେଉଛି ୯ ହଜାର ୩୪୦ କୋଟି ଟଙ୍କା ଏବଂ ଟୀକା ଟୀକା କିଣାରେ ପାଖାପାଖି ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ । ଯାହାଦ୍ୱାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ଅର୍ଥଭାବ ଦେଖାଦେବ ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି ।