Home General ଚାକିରି ଅପେକ୍ଷାରେ ନଅ ଲକ୍ଷ ବେକାର

ଚାକିରି ଅପେକ୍ଷାରେ ନଅ ଲକ୍ଷ ବେକାର

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୯ଲକ୍ଷ ଯୁବକ ଯୁବତୀ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ଥିବାବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ସ୍ନାତକ ଡିଗ୍ରୀଧାରୀ । ଏମାନଙ୍କ ସଂଖ୍ୟା ଏକ ଲକ୍ଷ ୮୨ହଜାରରୁ ଅଧିକ ରହିଛି ।

ସେହିଭଳି ଚାକିରି ଆଶାରେ ରାଜ୍ୟରେ ମାଟ୍ରିକ ପାଶ୍‍ କରିପାରିନଥିବା ୨୪ହଜାର ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବାବେଳେ ମାଟ୍ରିକ ପାଶ୍‍ କରିଥିବା ପିଲାଙ୍କ ସଂଖ୍ୟା ବି ଦୁଇ ଲକ୍ଷ ପାଖାପାଖି ରହିଛି । ଯୁକ୍ତ ଦୁଇ ପାଶ୍‍ କରି ନାମ ପଞ୍ଜିକରଣ କରିଥିବା ଯୁବକ ଯୁବତୀଙ୍କ ସଂଖ୍ୟା ୩ଲକ୍ଷ ୨୫ହଜାର ରହିଛି ।

ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରେ ସର୍ବାଧିକ ଏକ ଲକ୍ଷ ୪ହଜାର ହେଉଛନ୍ତି କଳା ପାଠ୍ୟକ୍ରମର । ନାମ ପଞ୍ଜିକରଣ କରିଥିବା ବିଜ୍ଞାନ ସ୍ନାତକ ଡିଗ୍ରୀଧାରୀଙ୍କ ସଂଖ୍ୟା ପ୍ରାୟ ୪୩ହଜାର ଥିବାବେଳେ ୨୦୧୨ ବିବିଏ, ୧୬୮୩ ବିସିଏ ଓ ୮୭୯ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି । ସେହିଭଳି ଚାକିରି ଅପେକ୍ଷାରେ ଥିବା ପଞ୍ଜିକୃତ ଇଞ୍ଜିନିୟରିଂ ଡିଗ୍ରିଧାରୀଙ୍କ ସଂଖ୍ୟା ୯୪୮୭ ଥିବାବେଳେ ଆଇନ୍‍ ଡିଗ୍ରୀଧାରୀଙ୍କ ସଂଖ୍ୟା ୪୪୦ ରହିଛି ।

ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ଥିବା ୧୧,୩୫୮ଜଣ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ମଧ୍ୟରେ ୩୪୯୭ ଜଣ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଥିବାବେଳେ କଳାରେ ୨୯୨୪, ବିଜ୍ଞାନରେ ୧୭୦୦, ବାଣିଜ୍ୟରେ ୧୭୨୯ , କୃଷିରେ ୪୨ ଓ ଡାକ୍ତରୀ ପାଠ ପଢିଥିବା ୧୯ ଜଣ ସ୍ନାତକୋତ୍ତର ଡିଗ୍ରୀଧାରୀ ରହିଛନ୍ତି ।

ସେହିଭଳି ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ଥିବା ଡିପ୍ଲୋମା ଡିଗ୍ରୀଧାରୀଙ୍କ ସଂଖ୍ୟା ୩୩,୭୪୭ ହୋଇଥିବାବେଳେ ୩୯ହଜାର ଆଇଟିଆଇ ଡିଗ୍ରୀଧାରୀ ରହିଛନ୍ତି । ଶିକ୍ଷକ ଚାକିରି ପାଇଁ ବିଏଡ୍‍ ପାଠ ପଢିଥିବା ୨୮ହଜାରରୁ ଅଧିକ କେବାର ଚାକିରି ଅପେକ୍ଷାରେ ଥିବାବେଳେ ୧୨,୮୮୫ ଜଣ ସି.ଟି ସ ୨୮୪ଜଣ ଏମ୍‍.ଏଡ୍‍ ଡିଗ୍ରୀଧାରୀ ବି ରହିଛନ୍ତି ।

ଏହି ସମସ୍ତଙ୍କ ବ୍ୟତିତ ଆହୁରି ପ୍ରାୟ ୪୨ହଜାର ଯୁବକ ଯୁବତୀ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ରହିଛନ୍ତି । ଚାକିରି ପ୍ରତ୍ୟାଶୀମାନଙ୍କୁ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ୨୦୧୬-୧୭ ମସିହାରେ ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରିଛନ୍ତି । ସେନା ବାହିନୀରେ ନିଯୁକ୍ତି ଲାଗି ବିଭିନ୍ନ ଜିଲ୍ଲାରେ ସେନା ନିଯୁକ୍ତି ରାଲି ଆୟୋଜନ ହେଉଥିବାବେଳେ ଏଥିରେ ୫ହଜାରରୁ ଅଧିକ ନିଯୁକ୍ତି ପାଇଥିବା ଜଣାଯାଇଛି । ସେହିଭଳି ଜିଲ୍ଲା ସ୍ତରରେ ୨୪୬ଟି ନିଯୁକ୍ତିମେଳା ଆୟୋଜନ ହୋଇଥିବାବେଳେ ଏହା ମାଧ୍ୟମରେ ଏକ ଲକ୍ଷ ୩୧ହଜାରର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।