Home Agriculture ଚାଉଳ ରପ୍ତାନି ୧୦୦୦ ଟନ୍‍ ଟପିବ

ଚାଉଳ ରପ୍ତାନି ୧୦୦୦ ଟନ୍‍ ଟପିବ

ଭୁବନେଶ୍ୱର :ଚଳିତ ଆର୍ଥିକ ବର୍ଷରେ ଓଡିଶାରୁ ବିଦେଶକୁ ଚାଉଳ ରପ୍ତାନି ପରିମାଣ ୧୦୦୦ ମେଟ୍ରିକ ଟନ୍‍ ଅତିକ୍ରମ କରିଯିବ । ଗତବର୍ଷ ଏହା ୭୦୦ ମେଟ୍ରିକ ଟନ୍‍ ଥିଲା । ଆଜି ପ୍ରଶ୍ନକାଳରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଓଡିଶା ଫେରିଥିବା ବହୁ ଯୁବକ ଏବେ କୃଷି କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଓଡିଶା ଏବେ ଲେମ୍ବୁ ଓ ଛତୁ ଚାଷ କ୍ଷେତ୍ରରେ ଦେଶରେ ଏକ ନମ୍ବରରେ ଥିବାବେଳେ ବାଇଗଣ ଭଳି ପନିପରିବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ରାଜ୍ୟ ସରକାର ଏବେ ଅର୍ଥକରୀ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ୱଆରୋପ କରୁଛନ୍ତି । ମନ୍ତ୍ରୀ କହିଛନ୍ତି ଯେ କୃଷି ବିଭାଗ ଅଧିନରେ ପନିପରିବା ସଂରକ୍ଷଣ ପାଇଁ ମୋଟ୍‍ ୪ଟି ଶୀତଳଭଣ୍ଡାର ରହିଛି । ସେଗୁଡିକର ଆହରଣ କ୍ଷମତା ୪୨୦୦ ମେଟ୍ରିକ ଟନ୍‍ । ଏହାଚଡା କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ସମବାୟ ବିଭାଗ ଅଧିନରେ ୧୮ଟି ଶୀତଳଭଣ୍ଡାର ରହିଛି ।

ଶୀତଳଭଣ୍ଡାର ଗୁଡିକରେ ବିଦ୍ୟୁତ୍‍ ଶୁଳ୍ପ ହ୍ରାସ ପାଇଁ କୃଷି ବିଭାଗ ପକ୍ଷରୁ ଓଇଆରସିଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ବିଦ୍ୟୁତ ଦର ୟୁନିଟ୍‍ ପିଛା ୪.୬୦ ଟଙ୍କାରୁ ୧.୭୦ ଟଙ୍କା ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଥିଲେ ଶୀତଳଭଣ୍ଡାର ଗୁଡିକର ଆଳୁ ୮ରୁ ୧୦ମାସ, ଗାଜର ୨ରୁ ୬ମାସ ଓ ଟମାଟୋ ସର୍ବାଧିକ ୧୪ଦିନ ରହିପାରିବ । ୨୦୧୫-୧୬ ପରଠାରୁ ଜାତୀୟ ଉଦ୍ୟାନ ମିଶନ ସହାୟତାରେ ରାଜ୍ୟରେ ୨୩ଟି ୫୦୦୦ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର କାର୍ଯ୍ୟ ଚାଲିଥିବାବେଳେ ୧୦୭ଟି ୩୦ ମେଟ୍ରିକଟନ୍‍ ଓ ୩୭୬ ଟି ୮ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ର୍ନିମାଣ କରାଯାଉଛି । ଛୋଟ ଛୋଟ ଶୀତଳଭଣ୍ଡାରରେ ମୁଖ୍ୟତଃ ପନିପରିବା ମହଜୁଦର ବ୍ୟବସ୍ଥା ହେଉଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ କରୋନା ଏବେ ରାଜ୍ୟର କୃଷି ବ୍ୟବସ୍ତା ପାଇଁ ଆର୍ଶୀବାଦ ହୋଇଛି । ମହାମାରୀ ସମୟରେ ଓଡିଶା ଫେରିଥିବା ବହୁ ଯୁବକ ଏବେ କୃଷି କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।