Home Agriculture ଚାଉଳ ରପ୍ତାନିରୁ ୨୦୦ କୋଟି ଆୟ

ଚାଉଳ ରପ୍ତାନିରୁ ୨୦୦ କୋଟି ଆୟ

ଭୁବନେଶ୍ୱର : ଓଡିଶାରୁ ଚାଉଳ ରପ୍ତାନି ବଢିବାରେ ଲାଗିଛି । ୨୦୨୧-୨୨ ବର୍ଷରେ ଓଡିଶା ଉନ୍ନତମାନର ଚାଉଳ ରପ୍ତାନିରୁ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରିଛି ।

ବୈଦେଶିକ ରପ୍ତାନି ବ୍ୟାପାର ମହାନିର୍ଦ୍ଦେଶକ ସନ୍ତୋଷ ଷଡଙ୍ଗୀ ଦେଶ ବିଶେଷକରି ଓଡିଶାରୁ ଚାଉଳ ରପ୍ତାନି ନେଇ କରିଥିବା ସମୀକ୍ଷାରୁ ଏହା ଜଣାପଡିଛି । ବିଦେଶରେ ଓଡିଶା ଚାଉଳକୁ ଲୋକେ ଅଧିକ ଭାବେ ଗ୍ରହଣ କରୁଛନ୍ତି ଏବଂ ଦେଶର ଏହି ପୂର୍ବାଞ୍ଚଳ ରାଜ୍ୟ ଅଧିକରୁ ଅଧିକ ଚାଉଳ ବିଦେଶକୁ ପଠାଇ ପାରିଥିବା ଅଧିକାରୀମାନେ କହିଛନ୍ତି । ସୁବାସିତ ଚାଉଳ ଯେଭଳି ଅଧିକ ପରିମାଣରେ ଓଡିଶାର ଚାଷୀମାନେ ରପ୍ତାନି କରିପାରିବେ ସେଥିପାଇଁ ଗୁରୁତ୍ୱଆରୋପ କରାଯାଉଛି । ଓଡିଶାରୁ ଚାଉଳ ରପ୍ତାନି କ୍ଷେତ୍ରରେ ପାରାଦୀପ ବନ୍ଦର ପ୍ରମୁଖ ଭୂମିକା ନିର୍ବାହ କରୁଥିବାବଳେ ଏଠାରୁ ବିଦେଶକୁ ଚାଉଳ ଯାଉଛି ।

୨୦୧୩-୧୪ ରେ ଭାରତରୁ ୨୯୨୫ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଅଣବାସମତି ଚାଉଳ ରପ୍ତାନି ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୬୧୧୫ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି । ଅନୁରୂପ ଭାବେ ଓଡିଶାରୁ ମଧ୍ୟ ଚାଉଳ ରପ୍ତାନି ପରିମାଣ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଓଡିଶାକୁ ଜାତୀୟ ଚାଉଳ ରପ୍ତାନି ପ୍ରୋତ୍ସାହନ ଫୋରମରେ ସାମିଲ କରିବାପରେ ଓଡିଶାରୁ ଅଣବାସମତି ଚାଉଳ ବିଦେଶକୁ ରପ୍ତାନି ହେବାରେ ଲାଗିଛି ।

ପାରାଦୀପ ବନ୍ଦର ବାଟେ ଓଡିଶାରେ ଭିଏତାନମକୁ ଅଣବାସମତି ଚାଉଳ ରପ୍ତାନି ହେଉଥିବାବେଳେ ଅନ୍ୟ ଦେଶ ବିଶେକରି ନେପାଳ, ବଙ୍ଗଳାଦେଶ, ସେନେଗାଲ, ମାଲେସିୟା ଏବଂ ଇରାକକୁ ଅଧିକ ଚାଉଳ ରପ୍ତାନିର ସୁଯୋଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓଡିଶାରୁ ଅଧିକ ଚାଉଳ ରପ୍ତାନି ପାଇଁ ତାଲିମ ସହିତ ରପ୍ତାନି ଭିତ୍ତିକ ଜ୍ଞାନକୌଶଳ ହାସଲ ଉପରେ ଗୁରୁତ୍ୱ ଦେଉଛନ୍ତି ।

ଏପିଇଡିଏ ପକ୍ଷରୁ ଚାଉଳ ରପ୍ତାନିକୁ ବଢାଇବାପାଇଁ ବିଭିନ୍ନ ସହଯୋଗୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ କେନ୍ଦ୍ର ସରକାର ଚାଉଳ ରପ୍ତାନି ପ୍ରୋତ୍ସାହନ ଫୋରମ (ଆରଇପିଏଫ୍‍) ଗଠନ କରିଛନ୍ତି । ଆରଇପିଏଫରେ ଚାଉଳ ଶିଳ୍ପ, ରପ୍ତାନିକାରୀ, ଏପିଡାର ଅଧିକାରୀ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଓଡିଶା ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଆସାମ ଓ ଛତିଶଗଡ ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟର କୃଷି ନିର୍ଦ୍ଦେଶକମାନେ ପ୍ରତିନିଧି ଅଛନ୍ତି ।

୨୦୨୧-୨୨ ରେ ଭାରତ ବିଶ୍ୱର ୧୫୦ଟି ଦେଶକୁ ଚାଉଳ ରପ୍ତାନି କରିଛି । ଏଥି ମଧ୍ୟରେ ୭୬ଟି ଦେଶକୁ ଏକ ନିୟୁତ ଡଲାରରୁ ଅଧିକ ମୂଲ୍ୟର ଚାଉଳ ରପ୍ତାନି ହୋଇଛି । ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ ହେଉଛି ଭାରତରୁ ଅଣବାସମତି ଚାଉଳ ଆମଦାନୀ କରୁଥିବା ଅନ୍ୟତମ ପ୍ରମୁଖ ରାଷ୍ଟ୍ର । ଅନ୍ୟମାନଙ୍କ ମଧ୍ୟରେ ନେପାଳ, ବଙ୍ଗଳାଦେଶ, ଚୀନ୍‍, କୋଟେ ଡି ଆଇଭରୀ, ଟୋଗୋ, ସେନେଗାଲ, ଗୁଏନା, ଭିଏତନାମ, ଡିଜିବୌଟି, ମାଡାସ୍କାର, କାମେରୁନ ସୋମାଲିଆ, ମାଲେସିଆ, ଲାଇବେରିଆ ଏବଂ ୟୁଏଇ । ୨୦୨୦-୨୧ରେ ଭାରତ ୯ଟି ଦେଶକୁ ଅଣବାସମତି ଚାଉଳ ରପ୍ତାନି କରିଛି ।

ହୋଇଥିବା ଆକଳନ ଅନୁଯାୟୀ ୨୦୨୧-୨୨ ରେ ସମଗ୍ର ଦେଶରେ ୧୨୭.୯୩ ନିୟୁତ ଟନ୍‍ ଚାଉଳ ଉତ୍ପାଦନ ହୋଇଥିଲା ଯାହାକି ଗତ ୫ବର୍ଷ ମଧ୍ୟରେ ଉତ୍ପାଦନ ହୋଇଥିବା ଚାଉଳ ଠାରୁ ହାରାହାରି ୧୧.୪୯ ନିୟୁତ ଟନ୍‍ ଅଧିକ । ଏହି ୫ବର୍ଷରେ ବର୍ଷକୁ ହାରାହାରି ୧୧୬.୪୪ ନିୟୁତ ଟନ୍‍ ଚାଉଳ ଉତ୍ପାଦନ ହୋଇଥିଲା । ଚୀନ୍‍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର । ବିଶ୍ୱର ବିଭିନ୍ନ ଦେଶରେ ଭାରତୀୟ ଚାଉଳର ଚାହିଦା ବଢୁଥିବାରୁ ଚାଷୀମାନେ ଚାଉଳ ରପ୍ତାନିକୁ ଭଲ ଲାଭ ପାଇପାରୁଛନ୍ତି । ଚାଷୀଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ସାବ୍ୟସ୍ତ ହେବାରେ ଲାଗିଛି । (ତଥ୍ୟ)