Home Administration ଚାଉଳ ଦୁର୍ନୀତି ଧରିଲେ ସିଏଜି

ଚାଉଳ ଦୁର୍ନୀତି ଧରିଲେ ସିଏଜି

ଭୁବନେଶ୍ୱର : ଓଡିଶାର ପାଞ୍ଚଟି ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ୩୩୯୮ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଆତ୍ମସାତ କରାଯାଇଥିବା ଘଟଣା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏହି ରିପୋର୍ଟ ଆଜି ବିଧିବଦ୍ଧ ଭାବେ ରାଜ୍ୟ ବିଧାସଭାରେ ଉପସ୍ଥାପନ କରାଯାଇଛି ।

ଅନୁଗୁଳ, ଆଠମଲ୍ଲିକ, ଛେଣ୍ଡିପଦା, କଣିହାଁ ଓ ପାଲଲହଡାରେ ଥିବା ଆଇସିଡିଏସ୍‍ ପ୍ରକଳ୍ପଗୁଡିକରେ ଏଭଳି ଅନିୟମିତତା ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହି ୫ଟି ପ୍ରକଳ୍ପ ପାଇଁ ୨୦,୨୩୩.୯୮ କୁଇଣ୍ଟାଲ ଚାଉଳ ବିତରଣ କରାଯାଇଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ରେକର୍ଡରେ ଦର୍ଶାଯାଇଥିବାବେଳେ ଏଡବ୍ଲ୍ୟୁସି ରେକର୍ଡ ଅନୁଯାୟୀ ଏହି ଆଇସିଡିଏସ୍‍ ପ୍ରକଳ୍ପଗୁଡିକରେ ମାତ୍ର ୧୬,୮୩୫.୭୩ କୁଇଣ୍ଟାଲ ଚାଉଳ ଅଡିଟ୍‍ ପରିସରଭୁକ୍ତ ସମୟ ମଧ୍ୟରେ ମିଳିଥିବା ଦର୍ଶାଯାଇଛି ।

୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏହି ପ୍ରକଳ୍ପଗୁଡିକରେ ଯେତେ ଚାଉଳ ବିତରଣ କରାଯାଇଥିବା ଦର୍ଶାଯାଇଛି ବାସ୍ତବରେ ତାହାଠାରୁ ୩୩୯୮.୨୫କୁଇଣ୍ଟାଲ ଚାଉଳ କମ୍‍ ବିତରଣ ହୋଇଛି । ଏହି ଆତ୍ମସାତ୍‍ ଚାଉଳର ମୂଲ୍ୟ ୧କୋଟି ୧୩ଲକ୍ଷ ୮୧ହଜାର ଟଙ୍କାର ହେବବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟର ବିବରଣୀ ଅନୁଯାୟୀ ଏଡବ୍ଲ୍ୟୁସିଗୁଡିକ ଦ୍ୱାରା ପ୍ରାପ୍ତ ଏବଂ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଏବଂ ସିଡିପିଓଙ୍କ ଦ୍ୱାରା ପ୍ରମାଣିତ ଚାଉଳର ପରିମାଣକୁ ଅଡିଟ୍‍ ବିଚାରକୁ ନେଇଥିଲେ । ଅଡିଟ୍‍ରେ ଦର୍ଶାଯିବା ପରେ ୫ଟି ନମୂନା ଆଇସିଡିଏସ୍‍ ପ୍ରକଳ୍ପର ପ୍ରାରମ୍ଭିକ ଚାଉଳ ପରିମାଣ, ପ୍ରାପ୍ତି ପରିମାଣ, ବ୍ୟବହୃତ ପରିମାଣ ଏବଂ ଅବଶେଷ ପରିମାଣ ସଂଶୋଧନ କରାଯାଇଥିଲା । ମୋଟାମୋଟି ଭାବେ ୧.୧୪କୋଟି ଟଙ୍କା ମୂଲ୍ୟର ୩୩୯୮ କୁଇଣ୍ଟାଲ ଚାଉଳ ସ୍ୱଳ୍ପ ବିତରଣ କରାଯାଇଥିଲା ।

ନିଅଣ୍ଟ ପରିମାଣକୁ ଘୋଡାଇବାପାଇଁ ପୟାସରେ ଅନେକ ସଂଶୋଧନ ହୋଇଥିବା ବିଷୟ ଅଡିଟ୍‍ ଦେଖିବାକୁ ପାଇଥିଲେ । ସିଏଜି ଉଲ୍ଲେଖ କରିଛନ୍ତି ଯେ ଏହିପରି ଭାବେ ସେତେବେଳର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଇଚ୍ଛାକୃତ ଅବହେଳା ଯୋଗୁଁ ୧.୧୪କୋଟି ଟଙ୍କା ମୂଲ୍ୟର ୩୩୯୮ କୁଇଣ୍ଟାଲ ଚାଉଳ ଆତ୍ମସାତ ହୋଇଥିଲା ଏବଂ ସିଡିପିଓମାନଙ୍କ ବିନା କାଉଣ୍ଟର ସାର୍ଟିଫିକେଟରେ ଦେୟ ପ୍ରଦାନ କରାଯାଇଥିଲା ।

ଏ ପ୍ରସଙ୍ଗରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଚାଉଳର ସ୍ୱଳ୍ପ ଯୋଗାଣକୁ ଆକଳନ କରିବାପାଇଁ ସରକାର ସମ୍ପୃକ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ କେନ୍ଦ୍ରଗୁଡିକର ନଥିପତ୍ରର ପୁନଃ ଯାଞ୍ଚ କରିବା ଉଚିତ୍‍ । ଏଠାରେ ଉଲ୍ଲେଖନୀୟ ଯେ ଅନୁଗୁଳ ଆଇସିଡିଏସ୍‍ରେ ୨୬୪ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ଆଠମଲ୍ଲିକରେ ୨୨୬, ଛେଣ୍ଡିପଦାରେ ୧୯୧, କଣିହାଁରେ ୧୭୬ ଓ ପାଲଲହଡାରେ ୧୮୮ଟି ଅଙ୍ଗନବାଡି କେନ୍ଦ୍ର ରହିଛି ।

ସିଏଜି କହିଛନ୍ତି ଯେ ବିପୁଳ ପରିମାଣର ଚାଉଳ ସ୍ୱଳ୍ପ ଯୋଗାଣ ଯୋଗୁଁ ଶିଶୁମାନେ ଏସ୍‍ଏନ୍‍ପି ଯୋଜନା ଅଧିନରେ ପୁଷ୍ଟିକର ଖାଦ୍ୟ ଯେତେ ପରିମାଣରେ ପାଇଥାନ୍ତେ ସେଥିରୁ ବଞ୍ଚିତ ହୋଇଛନ୍ତି ଏବଂ ଏହାକୁ ଆଖଆଗରେ ରଖି ସରକାର ଉତ୍ତରଦାୟିତ୍ୱ ସ୍ଥିର କରିବା ଉଚିତ୍‍ । (ତଥ୍ୟ)

LEAVE A REPLY

Please enter your comment!
Please enter your name here