Home General ଚର୍ଚ୍ଚାରେ ତଦନ୍ତକାରୀ ସଂସ୍ଥା

ଚର୍ଚ୍ଚାରେ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ୪ମାସ ପୂରିବା ଆଗରୁ ଅଭିଯୁକ୍ତ ପୁଲିସ ଏଏସ୍‍ଆଇ ଗୋପାଳ ଦାସଙ୍କ ବିରୋଧରେ କ୍ରାଇମ୍‍ବ୍ରାଞ୍ଚ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଏବେ ରାଜନୈତିକ ବୟାନବାଜି ଜୋର୍‍ ଧରିଛି । ତେବେ ଏହି ହତ୍ୟାକାଣ୍ଡ ତଦନ୍ତ ପାଇଁ ଯେଉଁସବୁ ବିଦେଶୀ ଓ ଜାତୀୟସ୍ତରର ସଂସ୍ଥାମାନଙ୍କ ନାମ ପୂର୍ବରୁ ଉଠୁଥିଲା ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତିରେ ସେମାନଙ୍କର କୌଣସି ଭୂମିକା ନଥିବା ଜଣାପଡିଛି ।

ନବ ଦାସ ହତ୍ୟାକାଣ୍ଡର ‘କୋର୍ଟ ମନିଟର୍ଡ’ ତଦନ୍ତ ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଇବା ପାଇଁ କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ବିଧାନସଭା ଭିତରେ ଓ ବାହାରେ ଦାବି କରାଯାଉଥିବାବେଳେ ରାଜ୍ୟ ସରକାର ତଦନ୍ତର ତଦାରଖ କରିବା ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ । ତଦନ୍ତ ଆଧାରରେ ଅଭିଯୋଗ ଫର୍ଦ୍ଦ ଦାଖଲ କ୍ଷେତ୍ରରେ ଏହି ଅବସରପ୍ରାପ୍ତ ବିଚାରପତିଙ୍କର କ’ଣ ଅବଦାନ ରହିଛି ସେ ସଂକ୍ରାନ୍ତରେ କିନ୍ତୁ ଏବେ କିଛି ଚର୍ଚ୍ଚା ହେଉନାହିଁ ।

ସେହିଭଳି ରାଜ୍ୟ ପୁଲିସର ଜଣେ ଅଧିକାରୀ ଦିନଦ୍ୱିପ୍ରହରରେ ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ସର୍ବ ସମ୍ମୁଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପରିପ୍ରେକ୍ଷୀରେ ଘଟଣାର ସିବିଆଇ ତଦନ୍ତ ଲାଗି ବିଜେପି ବିଧାନସଭା ଭିତରେ ଓ ବାହାରେ ଦାବି କରି ଆସୁଥିଲା । ସିବିଆଇ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଏକ ତଦନ୍ତକାରୀ ସଂସ୍ଥା । କିନ୍ତୁ ଏଯାବତ୍‍ ଏହି ଘଟଣାର ତଦନ୍ତଭାର ସିବିଆଇ ନେଇନାହିଁ । ପୂର୍ବରୁ ଚିଟ୍‍ଫଣ୍ଡ ଦୁର୍ନୀତିର ତଦନ୍ତଭାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିବିଆଇକୁ ଦିଆଯାଇଥିବାବେଳେ ଏଥିରୁ କ୍ଷତିଗ୍ରସ୍ତ ଜମାକାରୀମାନେ କି ପ୍ରକାରର ଲାଭ ପାଇଛନ୍ତି ତାହା କେହି ସାର୍ବଜନୀନ କରୁନାହାଁନ୍ତି ।

ସେହିଭଳି ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଓ ସମ୍ବଲପୁର ଗଣ୍ଡଗୋଳ ଘଟଣାର ଏନ୍‍ଆଇଏ ତଦନ୍ତ ଲାଗି ବିଜେପି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବାସହ ଗଣମାଧ୍ୟମରେ ବାରମ୍ବାର ଏ ପ୍ରସଙ୍ଗ ଉଠାଇଥିଲା । ତେବେ ରାଜ୍ୟ ବିଜେପିର ଦାବି ମୁତାବକ କେନ୍ଦ୍ରର ବିଜେପି ସରକାର ଏହି ଘଟଣାର ଏନ୍‍ଆଇ ଓ ସିବିଆଇ ତଦନ୍ତ ଲାଗି କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ବି ଅଜଣା ରହିଯାଇଛି ।

ଓଡ଼ିଶା ଭିତରେ ଓ ଓଡ଼ିଶା ବାହାରେ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ୍‍, ନାର୍କୋ ଆଦି ପରୀକ୍ଷା କ୍ରାଇମ୍‍ବ୍ରାଞ୍ଚ କରାଇଥିଲା । ଏହି ହତ୍ୟାକାଣ୍ଡର ତଦନ୍ତରେ ଆମେରିକାର ଫେଡେରାଲ୍‍ ବ୍ୟୁରୋ ଅଫ୍‍ ଇନ୍‍ଭେଷ୍ଟିଗେସନ୍‍ର ସହଯୋଗ ଲୋଡି ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଗତ ଫେବୃୟାରୀ ମାସରେ ଅନୁରୋଧ କରିଥିବା ସମ୍ବାଦ ବେଶ୍‍ ଚର୍ଚ୍ଚିତ ହୋଇଥିଲା । ତେବେ ଏହି ଚିଠି କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ôଚଲା କି ନାହିଁ, ଯଦି ପହଞ୍ôଚଥିଲା ତାହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଏବଂ ଯଦି ଚିଠି ନ ପହଞ୍ôଚଲା ତାହା ପଛର କାରଣ କ’ଣ? ସେ ସଂକ୍ରାନ୍ତରେ କେହି ଖୋଳତାଡ଼ କରିଛନ୍ତି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ।

ନବ କିଶୋର ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ୮୯ଜଣଙ୍କୁ ସାକ୍ଷୀ ଭାବେ ଦର୍ଶାଇଛି । ସାକ୍ଷ୍ୟ ପ୍ରମାଣ, ଜେରା ଜମାନବନ୍ଦୀ ଆଦି ପାଇଁ କେତେଦିନ ସମୟ ଲାଗିବ ତାହା ଏବେ କହିବା ମୁସ୍କିଲ୍‍ । ଏହି ମାମଲା ଫୌଜଦାରୀ ଅଦାଲତରେ ସରିବ ନା ପରେ ତାହା ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ଯିବ ତାହା ମଧ୍ୟ ଅସ୍ପଷ୍ଟ । ବିହାରରେ ଜଣେ ଜିଲ୍ଲାପାଳଙ୍କ ହତ୍ୟା କରି ଜେଲ୍‍ରେ ଥିବା ଅପରାଧୀଙ୍କୁ ସେଠିକାର ସରକାର ଖଲାସ କରିଥିବାବେଳେ ମଡେଲ୍‍ ଜେସିକା ଲାଲ୍‍ ହତ୍ୟାକାରୀ ମନୁ ଶର୍ମାଙ୍କୁ ବି ଦିଲ୍ଲୀ ସରକାର କ୍ଷମା କରିଦେଇଛନ୍ତି । ବିଲ୍‍କିସ୍‍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ଗଣଧର୍ଷଣକାରୀ ଓ ଗଣହତ୍ୟାକାରୀଙ୍କୁ ମଧ୍ୟ ରାଜକ୍ଷମା ଦିଆଯାଇଛି । ନରୋଦାପାଟିଆ ଗଣହତ୍ୟା ଘଟଣା ସତ ହୋଇଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଏ ପରିପ୍ରେକ୍ଷୀରେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଭାଗ୍ୟ ଓ ଭବିଷ୍ୟତ କ’ଣ ତାହା ବଡ଼ ପ୍ରଶ୍ନବାଚୀ । ଏହି ହତ୍ୟାକାଣ୍ଡ ବିଧିର ବିଧାନ ଥିଲା ନା ଏହା ପଛରେ ଷଡ଼ଯନ୍ତ୍ର ଥିଲା ଓ ହତ୍ୟାକାଣ୍ଡର ପରଦା ପଛର ଖଳନାୟକମାନେ କିଏ ଏବଂ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା କେବଳ ଶ୍ରୀଜଗନ୍ନାଥଙ୍କୁ ଜଣା ବୋଲି ଆଲୋଚନା ଚାଲିଛି । ଇତିମଧ୍ୟରେ ମଇ ୨୯ ତାରିଖରେ ନବ ଦାସଙ୍କ ହତ୍ୟାକାଣ୍ଡର ୪ମାସ ପୁରିଛି ଏବଂ ଇତିମଧ୍ୟରେ ତାଙ୍କ ଝିଅ ଦୀପାଳି ଉପନିର୍ବାଚନରେ ଲକ୍ଷାଧିକ ଭୋଟ ପାଇ ବିଧାୟିକା ହୋଇଛନ୍ତି । (ତଥ୍ୟ)