Home News in Odia ଚର୍ଚ୍ଚାରେ କୋଟିଆ ଓ ଢିଙ୍କିଆ

ଚର୍ଚ୍ଚାରେ କୋଟିଆ ଓ ଢିଙ୍କିଆ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରିପ୍ରେକ୍ଷୀରେ କୋଟିଆ ଓ ଢିଙ୍କିଆ ଏବେ ଚର୍ଚ୍ଚାରେ । କିଛିମାସ ତଳେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ର୍ନିବାଚନ କରାଇଥିବାବେଳେ ଏବେ ଓଡିଶାର ଏହି ଅବିଚ୍ଛେଦ୍ୟ ଅଙ୍ଗରେ ରାଜ୍ୟ ତଥା କୋରାପୁଟ ଜିଲ୍ଲା ପ୍ରଶାସନ ନିର୍ବାଚନ କରାଇବାକୁ ଯାଉଛନ୍ତି । ଅନ୍ୟ ପକ୍ଷରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ବହୁ ଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତରେ ନିର୍ବାଚନକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି ।

ଜଗତ୍‍ସିଂହପୁର ଜିଲ୍ଲାର ପାରାଦୀପ ନିକଟବର୍ତ୍ତୀ ଢିଙ୍କିଆରେ ଆଗରୁ ପୋସ୍କୋ ଇସ୍ପାତ କାରଖାନା କରିବାକୁ ଚାହିଁଥିଲା । ତେବେ ସ୍ଥାନୀୟ ଲୋକେ ସେମାନଙ୍କ ଜୀବନ ଜୀବିକାର ସାହାରା ବିଶେଷକରି ପାନ, ମୀନ ଓ ଧାନରୁ ପ୍ରଚୁର ଆୟ ହେଉଥିବା ଏହି ଅଞ୍ଚଳରୁ ପୋସ୍କୋ ପାଇଁ ଜମି ଛାଡିବେ ନାହିଁ ବୋଲି ଜୀବନ ପଣ କରି ଆନ୍ଦୋଳନ ଚଳାଇବାରେ ପୋସ୍କୋ ପ୍ରକଳ୍ପ ବନ୍ଦ ରହିଥିଲା । ପୋସ୍କୋ ବିରୋଧି ଆନ୍ଦୋଳନ ସମୟରେ ବି ଢିଙ୍କିଆ ଅଞ୍ଚଳରେ ପଞ୍ଚାୟତ ର୍ନିବାଚନ କରାଇବା ମୁସ୍କିଲ ହୋଇପଡିଥିଲା ।

ଏବେ ଏଠାରେ ଜିନ୍ଦଲ ଇସ୍ପାତ କାରଖାନା କରିବାକୁ ଚାହୁଁଥିବାରୁ ସେହି କମ୍ପାନୀପାଇଁ ଜମି ଅଧିଗ୍ରହଣ ଓ ପାଚେରୀ ନିର୍ମାଣ କାମକୁ ପୁଣି ଢିଙ୍କିଆ ଅଞ୍ଚଳର ଲୋକେ ବିରୋଧ କରୁଛନ୍ତି । କିଛିଦିନ ମଧ୍ୟରେ ପୁଲିସ୍‍-ଆନ୍ଦୋଳନକାରୀ ସଂଘର୍ଷ ଲାଗି ରହିଛି । ପୁଲିସ୍‍ ତୁହାକୁ ତୁହା ଲାଠି ମାଡ ସହ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କଲାଣି । ଏବେ ଢିଙ୍କିଆ ଅଞ୍ଚଳରେ ପୁଲିସ୍‍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଘେନି ଅନ୍ୟ ଅଞ୍ଚଳର ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ ସୃଷ୍ଟି କରାଯାଉଛି ।

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳ ଓଡିଶାର ଅଭିଭାଜ୍ୟ ଅଙ୍ଗ । ତେବେ ଏହା ଉପରେ ପ୍ରାୟ ୫୦ବର୍ଷ ଧରି ଆନ୍ଧ୍ର ବାରମ୍ବାର ବିବାଦ ସୃଷ୍ଟି କରୁଛି । ଏ ପ୍ରସଙ୍ଗରେ ୧୯୬୮ରୁ ଏଯାବତ୍‍ ସୁପ୍ରିମ୍‍କୋର୍ଟରେ ଏକାଧିକ ମାମଲା ଚାଲିଲାଣି । ଅଦାଲତଙ୍କ ଅନ୍ତରୀଣ ଆଦେଶ ସତ୍ୱେ ଆନ୍ଧ୍ର ଓଡିଶାର କୋଟିଆ ଅଞ୍ଚଳରେ ପଞ୍ଚାୟତ ର୍ନିବାଚନ କରିବାପାଇଁ ଉଦ୍ୟମ କରିଥିଲା ଏବଂ କିଛି ଲୋକଙ୍କୁ ପ୍ରଲୋଭିତ କରି ଓ ଉସ୍‍କାଇ ମତଦାନ ମଧ୍ୟ କରାଇଥିଲା ।

କିଛି ମାସ ତଳେ ଓଡିଶା ଭିତରେ ପଶି ଆନ୍ଧ୍ରର ପଞ୍ଚାୟତ ର୍ନିବାଚନକୁ ବିଭିନ୍ନ ମହଲ ନାପସନ୍ଦ କରିଥିବାବେଳେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏବେ ଢିଙ୍କିଆ ଛଡା ରାଜ୍ୟର ଅନ୍ୟ ସବୁ ପଞ୍ଚାୟତରେ ନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ କୋଟିଆ ଅଞ୍ଚଳରେ ବି ତ୍ରିସ୍ତରୀୟ ପଞ୍ଚାୟତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବୈଧ ଭୋଟର ତାଲିକା ମଧ୍ୟ ଜାରି ହୋଇଛି । ତେବେ ପଞ୍ଚାୟତ ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ରଖି ଆନ୍ଧ୍ର ତରଫରୁ କୋଟିଆ ସମେତ ଅନ୍ୟ କେତେକ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ଭଳି କାର୍ଯ୍ୟ କରାଯାଉଛି । ପ୍ରଶାସନିକ, ରାଜନୈତିକ ଓ ସାମାଜିକ ସ୍ତରରେ ଓଡିଶା ପକ୍ଷରୁ ଏହାର ପ୍ରତିହତ କରାଯାଉଛି ।

ବିଶେଷକରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବାବେଳେ କୋଟିଆ ଅଞ୍ଚଳ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ଯେଭଳି କୋଟିଆ ଅଞ୍ଚଳରେ ଅଧିକ ସଂଖ୍ୟକ ଲୋକେ ନିର୍ଭୟରେ ମତଦାନ କରିପାରିବେ ଏବଂ ଶାନ୍ତି ଶୃଙ୍ଖଳାର ସହ ସମ୍ପୃକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମ ଶେଷ ହେବ ତାହା ଉପରେ ଉଭୟ ପୁଲିସ୍‍ ଓ ପ୍ରଶାସନିକ ଅଧିକାରୀମାନେ ବିଶେଷ ଗୁରୁତ୍ୱଆରୋପ କରୁଛନ୍ତି ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖିଥିବା ଜଣାପଡିଛି । (ତଥ୍ୟ)