Home News in Odia ଚପଲ, ଡଷ୍ଟବିନ୍‍ ଫିଙ୍ଗିଲେ

ଚପଲ, ଡଷ୍ଟବିନ୍‍ ଫିଙ୍ଗିଲେ

ଭୁବନେଶ୍ୱର : ବିଜେପି ସଦସ୍ୟମାନେ ଆଜି ବାଚସ୍ପତିଙ୍କ ଆସନ ଉପରକୁ ଚପଲ, ମାଇକ୍ରୋଫୋନ୍‍ ସମେତ ଗୃହ ଭିତରେ ଥିବା ଡଷ୍ଟବିନ୍‍ ଫୋପାଡିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକଟ କରି ବିଜେପି ବିଧାୟକମାନେ ଏଭଳି ପ୍ରତିବାଦ କରିଥିବାବେଳେ ଚପଲ କିଏ ଫିଙ୍ଗିଛି ତାହାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହୁ ନାହାନ୍ତି ।

ଆଜି ବିଧାନସଭାରେ କଂଗ୍ରେସ ପକ୍ଷରୁ ଖଣି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବାପରେ ତାହାକୁ ନେଇ ବିରୋଧି ସଦସ୍ୟମାନେ ଶୂନ୍ୟକାଳରେ ହଟଗୋଳ କରିଥିଲେ । କାହିଁକି ମୁଲତବି ଅଗ୍ରାହ୍ୟ ହେଲା ତାହା ଉପରେ ଦୀର୍ଘ ଆଲୋଚନା ପରେ ଦୁଇ ବିରୋଧିଦଳ ପକ୍ଷରୁ ଏଥିପାଇଁ ବାଚସ୍ପତିଙ୍କୁ ଦାୟୀ କରାଯାଇଥିଲା ।

ବିରୋଧିଙ୍କ ହଟଗୋଳ ଯୋଗୁଁ ଶୂନ୍ୟକାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ସହିତ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ । ତେବେ ବାଚସ୍ପତି ଗୃହ କାର୍ଯ୍ୟକୁ ୩୦ମିନିଟ୍‍ ବୃଦ୍ଧି କରିବା ସହିତ ବିଧାନସଭାରେ ବିଲ୍‍ ପାରିତ ପାଇଁ ପଦକ୍ଷେପ ନେଇଥିଲେ ।

ପ୍ରଥମେ ଲୋକାୟୁକ୍ତ ସଂଶୋଧନ ବିଲ୍‍ ୨୦୨୧ କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିଥିଲେ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ରାଜକିଶୋର ଦାସ ସଂକ୍ଷିତ ମତ ଦେବାପରେ ଏହାର ପାଶ୍‍ ହୋଇଥିଲା । ସେହିଭଳି ସମିତି ପଞ୍ଜିକରଣ ସଂଶୋଧନ ବିଲ୍‍ ୨୦୨୧କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଆଗତ କରିଥିବାବେଳେ ତାହା ମଧ୍ୟ ଧ୍ୱନିମତରେ ପାରିତ ହୋଇଥିଲା ।

ତେବେ ବିଲ୍‍ ପାଶ୍‍ ସମୟରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟଗୋଳ କରିଥିଲେ । ଏହି ସମୟରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ଆସନ ଉପରକୁ କିଛି ଫୋପାଡୁଥିବା ଲକ୍ଷ୍ୟ କରାଯାଇଥିଲା । ଦୁଇଟି ବିଲ୍‍ ପାଶ୍‍ ପରେ ବାଚିସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ଏହାପରେ ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ବାହାରକୁ ଆସି ବାଚସ୍ପତିଙ୍କ ଆସନ ଉପରକୁ ଚପଲ, ମାଇକ୍ରୋଫୋନ୍‍ ଓ ଡଷ୍ଟବିନ୍‍ ଫିଙ୍ଗା ଯାଇଥିବା କହିଥିଲେ । ହେଲେ ଚପଲ କିଏ ଫିଙ୍ଗିଛି ସେ ନେଇ କିଛି ସ୍ପଷ୍ଟ କରିନଥିଲେ । ବାଚସ୍ପତିଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକଟ ସହିତ ପ୍ରତିବାଦରେ ଏହା କରାଯାଇଥିଲା ବିଜେପି ନେତାମାନେ କହିଥିଲେ ।