Home Agriculture ଘର ଦୁଆରେ ପୁଷ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ

ଘର ଦୁଆରେ ପୁଷ୍ଟି କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ଜନ୍ତାପାଇ ଗ୍ରାମରେ ‘ଘର ଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘର ଦୁଆର ମୁଁହରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବ । ଏହାଦ୍ୱାରା ମା’ ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ନିଶ୍ଚିତ ଭାବେ ଅନେକ ପରିମାଣରେ ହ୍ରାସ ପାଇବ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଉପସ୍ଥାପନ କରି କହିଥିଲେ ଯେ ‘ଘର ଦୁଆର ପୁଷ୍ଟି’ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ କଦଳୀ, ଲେମ୍ବୁ, ସଜନା ଛୁଇଁ, ଅମୃତଭଣ୍ଡା ଓ ଦେଶୀଆଳୁ ଚାରା ସହିତ ବାଇଗଣ, ଭେଣ୍ଡି, କଲରା, ଟମାଟୋ, କଞ୍ଚାଲଙ୍କା ଓ ପାଳଙ୍ଗ ଶାଗ ଆଦି ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଏହାଦ୍ୱାରା ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଅପପୁଷ୍ଟି ତଥା ରକ୍ତହୀନତାର ଶିକାର ହୋଇଥିବା ପିଲାମାନେ ତଥା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବରଦାନ ସାବ୍ୟସ୍ତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।
ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ କହିଥିଲେ ଯେ ଅପପୁଷ୍ଟି ଓ ପୁଷ୍ଟିହୀନତା ସମସ୍ୟାର ସ୍ଥାୟୀ ଓ ନିରନ୍ତର ସମାଧାନ ପାଇଁ ଏହା ଏକ ସଫଳ ଯୋଜନା ।

ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସମାରୀ ତାଙ୍ଗୁଲୁ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା ।

ଚାରି ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୂଲ୍ୟଯୁକ୍ତ ବଜାର ସୃଷ୍ଟି କରିବା ପାଇଁ ବିହନ ନିମନ୍ତେ ଆର୍ଥିକ ପ୍ରୋତ୍ସହନ ରାଶି ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ବିଶାଲ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡମା ରାବା, ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରାଜେଶ୍ୱରୀ ଖିଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦଗିରି ରାମକୃଷ୍ଣ ହୟଗ୍ରୀବ ଉପସ୍ଥିତ ଥିଲେ ।