Home General ଘର ଅପେକ୍ଷାରେ ୩ଲକ୍ଷ

ଘର ଅପେକ୍ଷାରେ ୩ଲକ୍ଷ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଏବେ ବି ପାଖାପାଖି ୩ଲକ୍ଷ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରେ ଘର ପାଇପାରି ନଥିବାବେଳେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବାସହୀନମାନଙ୍କ ଯୋଗୁଁ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ଓ ବେଆଇନ୍‍ ବସ୍ତିନିର୍ମାଣ ବି ବଢି ଚାଲିଛି ।

ସହରାଞ୍ଚଳର ଗରିବ, ବସ୍ତିବାସିନ୍ଦା, ଅର୍ଥନୈତିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକଙ୍କୁ ରାଜୀବ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନା ଏବଂ ସହରାଞ୍ଚଳ ଗରିବଙ୍କ ପାଇଁ ମୌଳିକ ସେବା ଯୋଜନାରେ ବିଭିନ୍ନ ସମୟରେ ବାସଗୃହ ଯୋଗାଣ ହୋଇଛି । ୨୦୦୯ ରୁ ୨୦୧୫ ମଧ୍ୟରେ ରାଜ୍ୟର ସହରାଞ୍ଚଳରେ ଗରିବ ଲୋକଙ୍କ ଘର ଯୋଗାଇବାପାଇଁ ଦୁଇଟି ପ୍ରମୁଖ ଯୋଜନା କାର୍ଯ୍ୟକାରୀ ହୋଇଛି । 

ଭୁବନେଶ୍ୱର ଓ ପୁରୀ ସହରାଞ୍ଚଳରେ ସହରୀ ଗରିବ ପାଇଁ ମୌଳିକ ସେବା ଯୋଜନାରେ ୧୭୭୮ ଟି ବାସଗୃହ ଯୋଗାଇ ଦିଆଯାଇଛି । ଏ ବାବଦରେ ବ୍ୟୟ ହୋଇଛି ପାଖାପାଖି ୪୭କୋଟି ଟଙ୍କା । ସେହିଭଳି ଏହି ସମୟ ଅବଧି ମଧ୍ୟରେ ୩୩ଟି ପୌରାଞ୍ଚଳରେ ସମନ୍ୱିତ ଗୃହ ଓ ବସ୍ତି ବିକାଶ ଯୋଜନାରେ ୧୧,୨୯୬ଟି ବାସଗୃହ ଯୋଗାଇ ଦିଆଯାଇଛି । ଏବାବଦରେ ପାଖାପାଖି ୧୭୨କୋଟି ଟଙ୍କା ବ୍ୟୟ ହୋଇଛି ।

ତେବେ ୨୦୧୩ ମସିହାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ରାଜୀବ ଆୱାସ ଯୋଜନା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୭୭୩ଟି ବାସଗୃହ ଯୋଗାଣ ହୋଇଥିବାବେଳେ ପ୍ରାୟ ୩୬୦ କୋଟି ଟଙ୍କା ବ୍ୟୟ ହୋଇଛି । ସେହଭଳି ୨୦୧୪ ମସିହାରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୧ହଜାରରୁ ଅଧିକ ବାସଗୃହ ଯୋଗାଯାଇ ସାରିଲାଣି । ଏ ବାବଦରେ ୧୪୬୦କୋଟି ଟଙ୍କା ବ୍ୟୟ ହୋଇସାରିଥିବାବେଳେ ଆସନ୍ତାବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ତେବେ ଏତେସବୁ ଯୋଜନାରେ ସହରାଞ୍ଚଳ ଗରିବଙ୍କୁ ଘର ଯୋଗାଯାଇ ସାରିଥିଲେ ବି ବର୍ତ୍ତମାନ ସୁଦ୍ଧା ଆହୁରି ୩ଲକ୍ଷ ହିତାଧିକାରୀ ଘର ପାଇବାକୁ ରହିଥିବା ସରକାର ଦର୍ଶାଉଛନ୍ତି । ତେବେ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବରେ ଲାଗିଛି । ବିଶେଷକରି ସରକାରୀ ଯୋଜନାରେ ଘରଟିଏ ପାଇଲାପରେ ପରିବାର ଭାଗ ଭାଗ ହୋଇ ଅଧିକ ଘର ଦାବି କରୁଛନ୍ତି । ସେହିଭଳି ସରକାରୀ ଜମିରେ ଘର କରିଥିବା ଲୋକଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ କରାଯାଉଥିବାରୁ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ଓ ବସ୍ତି ବୃଦ୍ଧିର ଏହା ପ୍ରମୁଖ କାରଣ ପାଲଟିଛି ।

ଖୋଦ ରାଜଧାନୀରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି । ସରକାରୀ ଜମି ସହିତ ରାସ୍ତାକଡ, କନଜରଭେନ୍ସି ଆଦିରେ ବି ପ୍ରତଦିନ ନୂଆ ନୂଆ ବସ୍ତି ଗଢି ଉଠୁଛି । ଏହାକୁ ନିୟନ୍ତ୍ରଣ କରାନଗଲେ ଯେତେ ସରକାରୀ ଯୋଜନା କାର୍ଯ୍ୟକାରୀ କଲେ ବି ସହରଞ୍ଚଳରେ ବାସହୀନଙ୍କ ସଂଖ୍ୟା ବଢି ବଢି ଚାଲିଥିବ ଓ ଜବରଦଖଲ ଜମି ମୁକୁଳାଇବାପାଇଁ ମାମଲା ଲଢି ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବେ । (ତଥ୍ୟ)