Home General ଘରୋଇ ସିଲିଣ୍ଡର ଅପବ୍ୟବହାରର ଯାଞ୍ଚ କର

ଘରୋଇ ସିଲିଣ୍ଡର ଅପବ୍ୟବହାରର ଯାଞ୍ଚ କର

ଭୁବନେଶ୍ୱର : ବ୍ୟବସାୟିକ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ରୋକିବାପାଇଁ କଡାକଡି ଯାଞ୍ଚ କରିବାକୁ ଓଡିଶା ଏଲପିଜି ବିତରକ ସଂଘ (ଓଏଲପିଜିଡିଏ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ ଓ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ର ମିଳିତ ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।

୧୯୬୫ ମସିହାରୁ ଏଲ୍‍ପିଜି ଯୋଗାଣ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଏପରିକି କୋଭିଡ ମହାମାରୀ ସମୟରେ ଯେତେବେଳେ ଲୋକେ ଘରୁ ବାହାରୁନଥିଲେ ସେତେବେଳେ ଏଲପିଜି ଯୋଗାଣ ଜାରି ରହିଥିଲା । ବର୍ତ୍ତମାନ ସରକାରଙ୍କ ସହାୟତାରେ ରାଜକୋଷକୁ ଅଧିକ ଅର୍ଥ ଯେଭଳି ଆସିପାରିବ ସେଥିପାଇଁ ସଂଘ ଆଗ୍ରହୀ ଥିବାବେଳେ ରାଜ୍ୟ ସରକାର ଏ କ୍ଷେତ୍ରରେ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି ।

ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ୟବସାୟିକ ଦରରେ ବିଜୁଳି ଯୋଗାଣ ଭଳି ଖାଦ୍ୟ ଲାଇସେନ୍ସ ପ୍ରଦାନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଯେଭଳି ବାଧ୍ୟତାମୂଳକ ଭାବେ ବ୍ୟବସାୟିକ ସିଲିଣ୍ଡର ବ୍ୟବହାର କରିବେ ସେଥିପାଇଁ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଯୋଗାଯାଉଥିବା ସିଲିଣ୍ଡର ଉପରୁ ୧୮ ପ୍ରତିଶତ ଜିଏସ୍‍ଟି ଆଦାୟ ହେଉଥିବାବେଳେ ଘରୋଇ ସିଲିଣ୍ଡର ଉପରୁ ୫ ପ୍ରତିଶତ ଆଦାୟ ହେଉଛି ।

ଓଡିଶାରେ ମାସିକ ୨୧,୭୩୩ ମେଟ୍ରିକ ଟନ୍‍ ବ୍ୟବସାୟିକ ଗ୍ୟାସ ବିକ୍ରି ହେଉଛି ଯାହାକି ୧୧,୪୩,୮୪୨ ଟି ୧୯ କିଲୋ ସିଲିଣ୍ଡର । ବ୍ୟବସାୟିକ ସିଲିଣ୍ଡର କାରବାରରେ ଯଦି ୧୦ ପ୍ରତିଶତ ଅଭିବୃଦ୍ଧି ହେବ ତେବେ ରାଜକୋଷକୁ ୩କୋଟି ଟଙ୍କାର ରାଜସ୍ୱ ଆସିବ ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି ।

ଅନ୍ୟ ପକ୍ଷରେ ଏଲ୍‍ପିଜି ବିତରକ ସଂଘ ପକ୍ଷରୁ କୁହାଯାଇଛି ଯେ ତୈଳ କାରବାର କରୁଥିବା କମ୍ପାନୀମାନେ ବିଭିନ୍ନ ଅସାମ୍ବିଧାନିକ ଉପାୟରେ ବଜାର ଅଂଶଧନ ବୃଦ୍ଧିର ଆଳ ଦେଖାଇ ବିତରକମାନଙ୍କୁ ହଇରାଣ କରିବା ସଂଗେ ସଂଗେ ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡରଗୁଡିକୁ ଅନାବଶ୍ୟକ ଭାବେ ଗଦାଇ ରଖୁଛନ୍ତି । ଘରୋଇ ଗ୍ରାହକମାନଙ୍କୁ ଯାଚି କରି ସିଲିଣ୍ଡର ଯୋଗାଣ ଉପଭୋକ୍ତା ଶୃଙ୍ଖଳା ଢାଞ୍ଚାକୁ ପ୍ରଭାବିତ କରୁଛି ବୋଲି ସେ ଦର୍ଶାଇଛନ୍ତି ।

ନିୟମ ଖିଲାପ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଉପରେ ଜୋରିମାନା ଲଗାଇବାପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବ୍ୟବସାୟିକ ସିଲିଣ୍ଡର ବ୍ୟବହାର କ୍ଷେତ୍ରରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ମନୋଭାବରେ ପରିବର୍ତ୍ତନ ହେବା ଆବାଶ୍ୟକ ବୋଲି କୁହାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଦାକ୍ଷିଣାତ୍ୟ ରାଜ୍ୟଗୁଡିକରେ ଯେଭଳି ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବସାୟିକ ସିଲିଣ୍ଡର ବ୍ୟବହାର ହେଉଛି ଓଡିଶାରେ ସେଭଳି ହେଉନାହିଁ । ତେଣୁ ସ୍ୱଚ୍ଛତା ଉପାୟରେ ଯେଭଳି ସିଲିଣ୍ଡର ବ୍ୟବହାର ହେବ ଏବଂ ଅଧିକରୁ ଅଧିକ ରାଜସ୍ୱ ରାଜ୍ୟ ରାଜକୋଷକୁ ଆସିପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । (ତଥ୍ୟ)