Home Administration ଘରୋଇ ସଂସ୍ଥାଙ୍କୁ ୟୁଜର୍ସ ଫି ଦିଅନି

ଘରୋଇ ସଂସ୍ଥାଙ୍କୁ ୟୁଜର୍ସ ଫି ଦିଅନି

ଭୁବନେଶ୍ୱର : ବିଏମ୍‌ସି ଅଞ୍ଚଳରେ ପରିମଳ ସେବା ଯୋଗାଉଥିବା ଚୁକ୍ତିଭିତିକ ସଂସ୍ଥା ନାଗରିକ ଏବଂ ଅନୁଷ୍ଠାନ ମାନଙ୍କ ଠାରୁ ୟୁଜର୍ସ ଫି ଆଦାୟ କରିବା ବିଏମ୍‌ସି ର ଦୃଷ୍ଟିକୁ ଆସିଛି । ଏହି ଅନିୟମିତତା ଦୃଷ୍ଟିଗୋଚର ହେବାମାତ୍ରେ ବିଏମ୍‍ସି ପକ୍ଷରୁ ସମ୍ପୃକ୍ତ ସଂସ୍ଥାଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଦେବାପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।

ଏଥି ସହିତ ବେଆଇନ୍‍ ୟୁଜର୍ସ ଫି ଆଦାରେ ମାତିଥିବା ସଂପୃକ୍ତ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିବା ବିଏମ୍‍ସି ପକ୍ଷରୁ ସୂଚନା ମିଳିଛି । କୌଣସି ବ୍ୟକ୍ତି ବା ସଂସ୍ଥା ବିଏମ୍‌ସି ବ୍ୟତୀତ ଅନ୍ୟ କାହାରିକୁ ୟୁଜର୍ସ ଫି ନଦେବାପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ବିଏମ୍‌ସି ତରଫରୁ ଜାରି ହୋଇଥିବା ନୋଟିସ୍‌ରେ ନାଗରିକଗଣ, ଆପାର୍ଟମେଣ୍ଟ ଅଂଚଳ ସମୁହ, ଅଧିକ ବର୍ଜ୍ୟ ଉତ୍ପନ୍ନକାରୀ, ଗେଟେଡ୍ କମ୍ୟୁନିଟି, ମଲ୍‌, ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ, ଶିକ୍ଷାନୁଷ୍ଠାନ, ଅଣଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ, ଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ, ବୃହତ ଫାଷ୍ଟ୍ ଫୁଡ଼୍ ସଂସ୍ଥା ସମୁହ ଯଥା-କେଏଫ୍‌ସି, ଡ଼ୋମିନସ୍‌, ପିଜାହଟ୍‌, କାଫେ କଫି ଡ଼େ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ସିନେମାହଲ୍ ଏବଂ ମଲ୍ଟିପ୍ଲେକ୍ସ, ସୋରୁମ୍‌, ସର୍ଭିସ୍ ସେଣ୍ଟର ଓ ଗ୍ୟାରେଜ୍‌, ବିବାହ ଏବଂ କଲ୍ୟାଣମଣ୍ଡପ, ପ୍ରଦର୍ଶନୀ ଏବଂ ମେଳାଗୃହ, ଶିଳ୍ପରାଜି, ପ୍ରିଂଟିଂପ୍ରେସ୍‌, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଇତ୍ୟାଦିଙ୍କୁ ୟୁଜର୍ ଫି ଦେବାପାଇଁ ଅବଗତ କରାଯିବା ସହିତ ଏମାନେ କେବଳ ବିଏମ୍‌ସି କୁ ୟୁଜର୍ ଫି ଦିଅନ୍ତୁ ଏବଂ କୌଣସି ଘରୋଇ ସଂସ୍ଥାଙ୍କୁ ୟୁଜର୍ ଫି ଦିଅନ୍ତୁ ନାହିଁ ବୋଲି ଦର୍ଶାଯାଇଛି ।

ଉଲ୍ଲେଖନୀୟ ଯେ ବିଏମ୍‍ସି ଅଞ୍ଚଳରେ ପରିମଳ ସେବା ଯୋଗାଉଥିବା ଜାଗୃତି ୱେଲଫେୟାର ଅର୍ଗାନାଇଜେସନ, ପିଏମ୍‍ଆର କନସୋଟିୟମ ଏବଂ ରାମ୍‍କୀ ଏନଭାର୍ଣ୍ଣମେଣ୍ଟ ଇଞ୍ଜିନିୟର୍ସ ବର୍ଜ୍ୟବସ୍ତୁ ସଂଗ୍ରହ ସହିତ ଏ ବାବଦୀୟ ଅର୍ଥ ଆଦାୟ ଚଳାଇଥିଲେ । ବିଏମ୍‍ସି କାନକୁ ଏହି ଖବର ଆସିବାପରେ ଏବେ ଏହି ତିନି ସଂସ୍ଥାଙ୍କୁ କାହିଁକି ସେମାନଙ୍କର ଚୁକ୍ତି ବାତିଲ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଛି ।