Home Agriculture ଘରୋଇ ବ୍ୟାଙ୍କ୍‍ ପ୍ରୀତି ପାଇଁ ଚାଷୀ ହୀନସ୍ତା

ଘରୋଇ ବ୍ୟାଙ୍କ୍‍ ପ୍ରୀତି ପାଇଁ ଚାଷୀ ହୀନସ୍ତା

ଭୁବନେଶ୍ୱର : କୃଷି ବିଭାଗର ଘରୋଇ ବ୍ୟାଙ୍କ ପ୍ରୀତି ଯୋଗୁଁ ଏବେ ଚାଷୀମାନେ ନାନା ହୀନସ୍ତା ହେଉଛନ୍ତି । ବିଶେଷକରି ରାଜ୍ୟର ବିହନ ଚାଷୀମାନେ ପଞ୍ଜିକରଣ ଅର୍ଥ ପଇଠ ପାଇଁ ଏବେ ଚାଷ ବାସ ଛାଡି ବ୍ୟାଙ୍କ୍‍ ଦୁଆଡେ ଧାଡି ବାନ୍ଧୁଛନ୍ତି ।

ରାଜ୍ୟର ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ସରକାର ପିଣ୍ଡବିହନ ଯୋଗାଇଥାନ୍ତି । ଏହି ବିହନ ପାଇଁ ସେମାନଙ୍କୁ ଓଡିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାରେ ନିଜର ସମସ୍ତ ଠିକଣା, ଚାଷ ଜମିର ପରିମାଣ, ସ୍ଥାନ ଆଦି ସଂକ୍ରାନ୍ତରେ ପଞ୍ଜିକରଣ କରିବାକୁ ପଡିଥାଏ । ସେହିଭଳି ପଞ୍ଜିକରଣ ସମୟରେ ବିହନ ବସ୍ତାର ଟ୍ୟାଗ୍‍ ନମ୍ବରକୁ ଗୋଟି ଗୋଟି କରି ଦରଜ କରିବାକୁ ପଡିଥାଏ । କାରଣ ଉତ୍ପାଦନ ପରବର୍ତ୍ତୀ ସମୟରେ ସେହି ଅନୁଯାୟୀ ଚାଷୀଙ୍କ ଠାରୁ ପ୍ରମାଣିକ ବିହନ ସରକାର ଖରିଦ କରିଥାନ୍ତି ।

ତେବେ ଓଡିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ୱେବସାଇଟ୍‍ରେ ଚାଷୀମାନେ ପଞ୍ଜିକରଣ ପରେ ସେମାନଙ୍କୁ ବିହନ ବାବଦୀୟ ଅର୍ଥ ପଇଠ କରିବାକୁ ପଡିଥାଏ । ପଞ୍ଜିକରଣର ଅନ୍ତିମ ପର୍ଯ୍ୟାୟରେ ଅର୍ଥ ରାଶି ଲେଖାଯାଇ ଗୋଟିଏ ନିର୍ଦ୍ଧିଷ୍ଟ ଘରୋଇ ବ୍ୟାଙ୍କ୍‍ର ରସିଦ ଆସିଯାଉଛି । ତାହାକୁ ପ୍ରିଣ୍ଟ କରି ଚାଷୀମାନେ ବ୍ୟାଙ୍କ୍‍ରେ ଅର୍ଥ ପଇଠ କରିବାକୁ ଗଲାବେଳକୁ ନାନ ପ୍ରକାର ହୀନସ୍ତା ହେଉଛନ୍ତି । ଏହି ଘରୋଇ ବ୍ୟାଙ୍କ୍‍ର ଶାଖା ଗାଁ ଗହଳରେ ସେଭଳି ନଥିବା ଯୋଗୁଁ ଚାଷୀମାନେ କାମ ଦାମ ଛାଡି ଦୂର ଦୂରାନ୍ତକୁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି । କେତେବେଳେ ନେଟ୍‍ ନାହିଁ ତ ଆଉ କେତେବେଳେ ସିଷ୍ଟମ ଖରାପ କହି ସେମାନଙ୍କୁ ଫେରାଇ ଦିଆଯାଉଛି ।

ସେହିଭଳି ଅନ୍ୟ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍ଗୁଡିକ ରସିଦ ଦେଖି ମୁହଁ ମୋଡୁଛନ୍ତି । ନାନା ବାହାନା ଦେଖାଇ ଚାଷୀଙ୍କୁ ଫେରାଇ ଦେଉଛନ୍ତି । ଘରୋଇ ବ୍ୟାଙ୍କ୍‍ ସହ ଯଦି ସରକାର ଏଭଳି ଚୁକ୍ତି କରିଛନ୍ତି ତେବେ ସେମାନେ କାହିଁକି ଅର୍ଥ ରଖିବେବୋଲି କେତେକ ସ୍ଥଳରେ ମନ୍ତବ୍ୟ ଦେଉଛନ୍ତି । ଏଥିଯୋଗୁଁ ବିହନ ଆଣି ଚାଷ କରିବା କଷ୍ଟ ଠାରୁ ବିହନ ପଞ୍ଜିକରଣ ଅର୍ଥ ପଇଠ କଷ୍ଟ ବଳି ଗଲାଣି । ଅଧିକାଂଶ ସ୍ଥାନରେ ଚାଷୀମାନେ ଅନ୍‍ଲାଇନ୍‍ ମାଧ୍ୟମରେ ଅର୍ଥ ପଇଠ କରିପାରୁ ନାହାନ୍ତି ।

ଚାଷୀମାନଙ୍କର କହିବା କଥା ଯେ ବର୍ତ୍ତମାନ ଯୁଗରେ ବିଜୁଳି ବିଲ୍‍ ଠାରୁ ଆରମ୍ଭ କରି ଟେଲିଫୋନ୍‍, ପାଣି ଓ ଅନ୍ୟାନ୍ୟ ଦେୟ ବିଭିନ୍ନ ବ୍ୟାଙ୍କ୍‍ ପୋର୍ଟାଲ ଓ ଆପ୍‍ରେ ଦେବାର ସୁବିଧା ହେଲାଣି । ରାଜ୍ୟ ସରକାରଙ୍କ ଓଡିଶା ଅନ୍‍ଲାଇନ୍‍ ପୋର୍ଟାଲରେ ବି ଦେୟ ପଇଠର ବ୍ୟବସ୍ଥା ଅଛି । ହେଲେ ଚାଷୀମାନଙ୍କ ପାଇଁ ସେଠାରେ ସହଜ ବ୍ୟବସ୍ଥା ନକରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‍କୁ ଦଉଡିବାକୁ ବାଧ୍ୟ କରାଯାଉଥିବାରୁ ସେମାନେ ହଇରାଣ ହରକତ ହେବା ସାର ହେଉଛି । ତୁରନ୍ତ ପଞ୍ଜିକରଣ ବାବଦ ଅର୍ଥ ପଇଠ ପାଇଁ ଏହାଧିକ ବ୍ୟାଙ୍କ୍‍ରେ ଅର୍ଥ ନେବାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରୁଛନ୍ତି । ନଚେତ ଆଗାମୀ ଦିନରେ ଏହା ରାଜ୍ୟର ବିହନ ଉତ୍ପାଦନ ଉପରେ ଗୁରୁତର ପ୍ରତିକୂଳ ପକାଇବ ।