Home Health ଘରୋଇ ଡାକ୍ତରଖାନାରେ ରକ୍ତ ବେପାର

ଘରୋଇ ଡାକ୍ତରଖାନାରେ ରକ୍ତ ବେପାର

ଭୁବନେଶ୍ୱର : ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାରରୁ ରକ୍ତଦାତାଙ୍କ ମାଧ୍ୟମରେ ରକ୍ତ ସଂଗ୍ରହକୁ ବହୁ କର୍ପୋରେଟ ଓ ଘରୋଇ ଡାକ୍ତରଖାନା ବିରୋଧ କରିବା ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଅଯଥା ଖର୍ଚ୍ଚାନ୍ତ ସହ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏହି ସମସ୍ୟା ଦିନକୁ ଦିନ ଉତ୍କଟତର ହେବାରେ ଲାଗିଛି ।

ଯେଉଁ କର୍ପୋରେଟ ଓ ଘରୋଇ ହସ୍ପିଟାଲଗୁଡିକର ନିଜସ୍ୱ ରକ୍ତଭଣ୍ଡାର ରହିଛି ସେହି ଡାକ୍ତରଖାନାଗୁଡିକରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ କେବଳ ସେହିମାନଙ୍କ ରକ୍ତଭଣ୍ଡାର ମାଧ୍ୟମରେ ରକ୍ତ ସଂଗ୍ରହ ପାଇଁ ବାଧ୍ୟ କରାଯାଉଛି । ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାରରୁ ରକ୍ତ ଆଣିବା ପାଇଁ ଏହି ଡାକ୍ତରଖାନାଗୁଡିକ ରିକ୍ୟୁଜିସନ ଦେବା କ୍ଷେତ୍ରରେ କୁନ୍ଥୁକୁନ୍ଥୁ ହେଉଛନ୍ତି ।

ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାରଗୁଡିକରେ ସଂଗ୍ରହ କରାଯାଉଥିବା ରକ୍ତର ଜଣ୍ଡିସ୍‍ (ହେପାଟାଇଟିସ୍‍ ବି ଓ ସି), ମ୍ୟାଲେରିଆ, ଏଡ୍‍ସ ଆଦିର ପରୀକ୍ଷା ସହିତ ରକ୍ତ ଗ୍ରୁପିଙ୍ଗ ଓ ମ୍ୟାଚିଙ୍ଗ ଏକ ପ୍ରକାର ମାଗଣାରେ କରାଯାଇଥାଏ । ରକ୍ତଦାତାମାନଙ୍କ ଠାରୁ ସଂଗୃହୀତ ରକ୍ତର ଏଭଳି ପରୀକ୍ଷା କରାଯିବା ପରେ ଡାକ୍ତରଙ୍କ ରିକ୍ୟୁଜିସନ ଆଧାରରେ ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାରଗୁଡିକ ୪ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ପ୍ରୋସେସିଂ ଫି’ ନେଇ ରକ୍ତ ଯୋଗାଇଥାନ୍ତି । ତେବେ ଆଉ କେତେକ କ୍ଷେତ୍ରରେ ଏହି ରକ୍ତଭଣ୍ଡାରଗୁଡିକ ସରକାରଙ୍କ ନୀତି ଅନୁଯାୟୀ ସଂପୃକ୍ତ ମାଗଣାରେ ବି ନିର୍ଦ୍ଦିଷ୍ଟ ବର୍ଗର ରୋଗୀମାନଙ୍କ ପାଇଁ ଯୋଗାଇଥାନ୍ତି । ସଂଖ୍ୟାଧିକ ବେସରକାରୀ ରକ୍ତଭଣ୍ଡାରରେ ଟେଷ୍ଟିଂ ଫି’ ଦେଢ଼ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି ।

ଏହି ଘରୋଇ ରକ୍ତଭଣ୍ଡାରଗୁଡିକ ବିଧି ବ୍ୟବସ୍ଥା ମୁତାବକ ରକ୍ତଦାନ ଶିବିର କରିପାରନ୍ତି ନାହିଁ । ଏମାନେ ମୁଖ୍ୟତଃ ନିଜ ଡାକ୍ତରଖାନାରେ ଅସ୍ତ୍ରୋପଚାର, ପ୍ରସବ ଓ ଅନ୍ୟ ଚିକିତ୍ସା ପାଇଁ ଥିବା ରୋଗୀଙ୍କୁ ରକ୍ତ ଯୋଗାଣ ଲାଗି ରକ୍ତଦାତା ଆଣିବାକୁ ବାଧ୍ୟ କରିଥାନ୍ତି ଏବଂ ରକ୍ତଦାତା ରକ୍ତ ଦେଇସାରିବା ପରେ ସଂପୃକ୍ତ ରୋଗୀଙ୍କୁ ବିନିମୟରେ ଯେଉଁ ରକ୍ତ ଦିଆଯାଏ ତାହା ଯୋଗାଇବା ପୂର୍ବରୁ ମୋଟା ଅଙ୍କର ଟେଷ୍ଟିଂ ଫି’ ଆଦାୟ କରୁଛନ୍ତି । କ୍ଷେତ୍ର ବିଶେଷରେ ଜଣେ ଜଣେ ରୋଗୀଙ୍କ ପାଇଁ ୨ରୁ ୫ ୟୁନିଟ୍‍ ପର୍ଯ୍ୟନ୍ତ ରକ୍ତ ଲାଗି ଅନ୍ୟ ଘରୋଇ ଡାକ୍ତରଖାନା ଲେଖୁଛନ୍ତି ଏବଂ ଗୁରୁତର ରୋଗୀଙ୍କୁ ଛାଡି ସେମାନଙ୍କ ସଂପର୍କୀୟମାନେ ଏଥିଲାଗି ରକ୍ତଦାତା ସଂଗ୍ରହରେ ବ୍ୟସ୍ତ ରହୁଛନ୍ତି । ରକ୍ତ ସଂଗ୍ରହ ପରେ ବହୁ କ୍ଷେତ୍ରରେ ଆବଶ୍ୟକ ନଥିବା ଦର୍ଶାଇ ରକ୍ତ ଦିଆଯାଉନାହିଁ ଏବଂ ସେମାନଙ୍କ ରକ୍ତଭଣ୍ଡାରରେ ଏଭଳି ଭାବରେ ସଂଗ୍ରହ କରାଯାଉଥିବା ରକ୍ତ ପ୍ୟାକେଟକୁ ଚୋରା ଲୁଚାରେ ୧୦ରୁ ୨୦ ହଜାର ଟଙ୍କାରେ ମଧ୍ୟ ବିକ୍ରି କରାଯାଉଥିବା ଘେନି କେତେକ ରୋଗୀ ଓ ସେମାନଙ୍କ ସଂପର୍କୀୟ ଅଭିଯୋଗ ଆଣୁଛନ୍ତି । ରକ୍ତ ଆବଶ୍ୟକ ନଥାଇ ଅଧିକ ୟୁନିଟ୍‍ ରକ୍ତ ପାଇଁ ରିକ୍ୟୁଜିସନ ଦେଇ ସଂପୃକ୍ତ ବେସରକାରୀ ଡାକ୍ତରଖାନାଗୁଡିକ ବସ୍ତୁତଃ ମଣିଷ ରକ୍ତରେ ଚୋରା ବେପାର କରୁଥିବା ଅଭିଯୋଗ ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ରକ୍ତଦାନ ଶିବିର ମାଧ୍ୟମରେ ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାରଗୁଡିକ ରକ୍ତ ସଂଗ୍ରହ କରନ୍ତି ଏବଂ ପ୍ରତି ବଦଳରେ ରକ୍ତ ଚାହୁଁଥିବା ରୋଗୀଙ୍କ ଲାଗି ସେମାନଙ୍କ ଦାତାଙ୍କଠାରୁ ବି ରକ୍ତ ନେଇ ନାମମାତ୍ର ପ୍ରୋସେସିଂ ଫି’ରେ ଯୋଗାଇଥାନ୍ତି । ଯେଉଁ ବ୍ୟକ୍ତି ଓ ସଂସ୍ଥାମାନେ ରକ୍ତଦାନ ଶିବିର ଆୟୋଜନ କରନ୍ତି ଓ ରକ୍ତଦାନ କରନ୍ତି ସେମାନଙ୍କୁ ସରକାରୀ ଓ ରେଡକ୍ରସ ରକ୍ତଭଣ୍ଡାର କର୍ତ୍ତୃପକ୍ଷ ଦେଇଥିବା ସାର୍ଟିଫିକେଟ ଆଧାରରେ ସେମାନେ ମାଗଣାରେ ବି ଆବଶ୍ୟକସ୍ଥଳେ ରକ୍ତ ସଂଗ୍ରହ କରିପାରନ୍ତି । କିନ୍ତୁ ଏଠାରୁ ରକ୍ତ ନେବା ପାଇଁ ବହୁ ଘରୋଇ ଡାକ୍ତରଖାନା କୁନ୍ଥୁକୁନ୍ଥୁ ହେଉଥିବାରୁ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଘେନି ଅଭିଯୋଗ ହେଉଛି । (ତଥ୍ୟ)