Home Health ଘରୋଇ କ୍ଲିନିକର ପୁଷମାସ

ଘରୋଇ କ୍ଲିନିକର ପୁଷମାସ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଭାବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ମୁହାଁ ହୋଇଥିବାବେଳେ ସାମାନ୍ୟ ଜ୍ୱର ଆସିଲେ ଲୋକେ ଏବେ ଡେଙ୍ଗୁ ପରୀକ୍ଷା ପାଇଁ ଧାଉଁଛନ୍ତି । ତେବେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭିଡ ଯୋଗୁଁ ଡେଙ୍ଗୁ ଏବେ ଘରୋଇ ନିଦାନ କେନ୍ଦ୍ରପାଇଁ ପୁଷମାସ ଭଳି ହୋଇଛି । ଡେଙ୍ଗୁ ପରୀକ୍ଷା ପାଇଁ ଘରୋଇ ନିଦାନ କେନ୍ଦ୍ରଗୁଡିକ ଯିଏ ଯେତେ ପାରୁଛି ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଛି ।

ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୭ରେ ପହଞ୍ଚିଛି । ଗତବର୍ଷ ଏହି ସମୟ ତୁଳନାରେ ରାଜ୍ୟରେ ପ୍ରାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ନଅ ଶହ ଅଧିକ ରହିଛି । ଖୋରଧା ଜିଲ୍ଲାରେ ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୨ ହୋଇଥିବାବେଳେ ଏଥିରୁ ହଜାରେରୁ ଅଧିକ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଫଳରେ ଡେଙ୍ଗୁକୁ ନେଇ ରାଜଧାନୀବାସୀ ଅଧିକ ଭୟଭୀତ ହୋଇ ପଡିଛନ୍ତି ।

ଏଥିପାଇଁ ସାମାନ୍ୟ ଜ୍ୱର ଆସିଲେ ଲୋକେ ଡେଙ୍ଗୁ ପରୀକ୍ଷା ପାଇଁ ଚାହୁଁଛନ୍ତି । ଏପରିକି ଥଣ୍ଡାଜ୍ୱର ପାଇଁ ଔଷଧ ଲେଖୁଥିବା ଡାକ୍ତରଙ୍କୁ ଅନୁରୋଧ କରି ଡେଙ୍ଗୁ ପରୀକ୍ଷା ପାଇଁ ଲେଖାଇ ନେଉଛନ୍ତି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ଏବେ ଡେଙ୍ଗୁ ପରୀକ୍ଷାପାଇଁ ଲୋକଙ୍କ ଲମ୍ବା ଲାଇନ୍‍ । ଲୋକଙ୍କ ଅଧିକ ଭିଡ ହେବାରୁ ସେଠାରେ ବିଳମ୍ବ ଦେଖି ଜ୍ୱର ଆକ୍ରାନ୍ତମାନେ ଏବେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେଉଛନ୍ତି ।

ଏଥିଯୋଗୁଁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଡେଙ୍ଗୁ ପରୀକ୍ଷାପାଇଁ ଘରୋଇ ନିଦାନ କେନ୍ଦ୍ରରେ ଭିଡ ଲାଗି ରହିଛି । ତେବେ ଖୋଦ ରାଜଧାନୀରେ ଏବେ ଡେଙ୍ଗୁ ପରୀକ୍ଷାପାଇଁ ଘରୋଇ ନିଦାନ କେନ୍ଦ୍ରରେ ଲୋକଙ୍କ ଠାରୁ ୭୦୦ ଟଙ୍କାରୁ ଆରମ୍ଭ କରି ୧୨୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ ହେଉଛି । ସେହିଭଳି ରକ୍ତରେ ଥିବା ପାଟ୍‍ଲେଟ୍‍ ପରିମାଣ ଜାଣିବାପାଇଁ ହେଉଥିବା ପରୀକ୍ଷା ସକାଶେ ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି ।

ଡେଙ୍ଗୁରୋଗୀଙ୍କ ଭିଡକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଥିବାବେଳେ ରକ୍ତ ପରୀକ୍ଷାପାଇଁ କିନ୍ତୁ ସେଭଳି ଠୋସ୍‍ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ରାତି ପାହିଲେ ଏବେ ଡେଙ୍ଗୁ ପରୀକ୍ଷାପାଇଁ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଧାଡି ଲଗାଉଛନ୍ତି । ଯେଉଁମାନେ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ଚାହୁଁନାହାନ୍ତି ଅଥବା ଯେଉଁ ରୋଗୀ ଅଧିକ ଗୁରୁତର ରହୁଛନ୍ତି ସେମାନେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେଉଛନ୍ତି ।

ଏଭଳି ସ୍ଥିତିରେ ଡେଙ୍ଗୁ ପରୀକ୍ଷାପାଇଁ ସରକାରୀ ଭାବେ ଅଧିକ ନମୂନା ସଂଗ୍ରହ କରିବା ସହିତ ଏହି ପରୀକ୍ଷାପାଇଁ ସରକାର ଦର ସ୍ଥିର କରିବାକୁ ଦାବି ହେଉଛି । ସେହିଭଳି ବିଭିନ୍ନ ନିଦାନ କେନ୍ଦ୍ରରେ କେଉଁ ମାନର ପରୀକ୍ଷା କରାଯାଉଛି ତାହାର ଯାଞ୍ଚ କରାଯିବା ଆବଶ୍ୟକ ହୋଇପଡିଛି । କାରଣ ରକ୍ତରେ ପାଟ୍‍ଲେଟ୍‍ ସ୍ତର ପାଇଁ ବିଭିନ୍ନ ଘରୋଇ ନିଦାନ କେନ୍ଦ୍ରରେ ହେଉଥିବା ପରୀକ୍ଷାରୁ ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବାରୁ ଏହାକୁ ନେଇ ରୋଗୀ ଓ ଚିକିତ୍ସକମାନେ ଚିନ୍ତାରେ ପଡୁଛନ୍ତି । (ତଥ୍ୟ)