Home News in Odia ଘରେ ଧାନ ଗଦା କଲେଣି ଚାଷୀ

ଘରେ ଧାନ ଗଦା କଲେଣି ଚାଷୀ

ଭୁବନେଶ୍ୱର : ଚାଷୀମାନେ ଧାନ ଆଣି ମୋ ଘରେ ଗଦା କଲେଣି । କହୁଛନ୍ତି ତୁମକୁ ଆମେ ଭୋଟ ଦେଇଛୁ, ଆମ ଧାନ ବିକ୍ରି ନହେଲେ ତୁମ ଘର ଆଗରେ ରଖିବୁ । ସରକାର ତୁରନ୍ତ ଏହାର ପ୍ରତିକାର କରନ୍ତୁ । ଆଜି ବିଧାନସଭାରେ ଏଭଳି କଥା କହିଥିଲେ ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ ।

ଶୂନ୍ୟକାଳରେ ଧାନର ଅଭାବିକ୍ରି ଉପରେ ଜୋରଦାର ଆଲୋଚନା ଚାଲିଥିବାବେଳେ ଶ୍ରୀମତୀ ଟେଟେ କହିଥିଲେ ଯେ ଗତ ଅଧିବେଶନ କାଳରେ ସର୍ବଦଳୀୟ ବୈଠକରେ ସରକାର ଚାଷୀଙ୍କର ସବୁ ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଏହା କହିବାପରେ ଆମେ ଗାଁକୁ ଯାଇ ସବୁ ଧାନ ସରକାର ନେଇଯିବେ ବୋଲି ଚାଷୀଙ୍କୁ କହିଥିଲୁ । ହେଲେ ଇତି ମଧ୍ୟରେ ୧୫ଦିନ ବିତିଗଲାଣି । ସେମାନଙ୍କୁ ଟୋକନ ମିଳିଲା ନାହିଁ କି ସରକାର ଧାନ ଉଠାଇଲେ ନାହିଁ ।

ଟୋକନ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ପଚାରିଲେ ସେ କହୁଛନ୍ତି ଟୋକନ ଖୋଜୁଛନ୍ତି । ଜିଲ୍ଲାପାଳ କ’ଣ ଟୋକନକୁ ଜଙ୍ଗଲରେ ନା ପଡୋଶୀ ରାଜ୍ୟରେ ଯାଇ ଖୋଜୁଛନ୍ତି କି ବୋଲି ଶ୍ରୀମତୀ ଟେଟେ କ୍ଷୋଭର ସହିତ କହିଥିଲେ । ଏଥି ସହିତ ବାଚସ୍ପତି ତୁରନ୍ତ ଏ କ୍ଷେତ୍ରରେ ହସ୍ତକ୍ଷେପ ପାଇଁ ଦାବି କରିଥିଲେ ।

କେବଳ ଶ୍ରୀତୀ ଟେଟେ ନୁହନ୍ତି ବିଜେପି ଓ କଂଗ୍ରେସର ଜଣଙ୍କ ପରେ ଜଣେ ବିଧାୟକ ଧାନର ଅଭାବି ବ୍ରିକି ନେଇ ସେମାନେ କିଭଳି ସମସ୍ୟାରେ ପଡୁଛନ୍ତି ତାହା ବଖାଣିଥିବାବେଳେ ଦେବଗଡର ବିଜେପି ବିଧାୟକ ଆଜି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଥିଲା ଅତ୍ୟନ୍ତ ସମ୍ବେଦନଶୀଳ ।