Home Cooperation ଘରେ ଘରେ ପହଞ୍ଚିବ ସମବାୟ ବାର୍ତ୍ତା

ଘରେ ଘରେ ପହଞ୍ଚିବ ସମବାୟ ବାର୍ତ୍ତା

ଭୁବନେଶ୍ୱର : ଘରେ ଘରେ ପହଞ୍ଚିବ ସମବାୟ ବାର୍ତ୍ତା । ଚଳିତ ମାସ ୧୪  ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ପାଇଁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକରେ ସମବାୟ ସପ୍ତାହ ପାଳନ ନେଇ ବିଷଦ୍ ଆଲୋଚନା କରାଯାଇ ଥିଲା । ସମବାୟ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ରାଜ୍ୟ ଅର୍ଥନୀତିରେ ସମବାୟ ଯୋଗଦାନ ଅର୍ଥନୀତିକୁ ପରିପୁଷ୍ଟ କରିବା ସହିତ କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକାର୍ଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ରାଜ୍ୟ ତଥା ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଦିଗରେ ସମବାୟର ମହତ୍ବପୂର୍ଣ୍ଣ ଅବଦାନ ରହୁଥିବାରୁ ସମବାୟ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫-ଟି ଶାସନ ପଦ୍ଧତିରେ ଓଡିଶା ସରକାର  ଏକ “ନୂତନ ଓଡିଶା, ସଶକ୍ତ ଓଡିଶା” ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବାବେଳେ ସମବାୟ କ୍ଷେତ୍ରରେ ମଧ୍ୟ ଓଡିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ।

ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଏଣୁ ସମବାୟର ବାର୍ତ୍ତା ଘରେ ଘରେ ପହଂଚାଇ ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ ରଖି ଚଳିତ ବର୍ଷ  ନିଖିଳ ଭାରତ ସମବାୟ ସପ୍ତାହ ପାଳନକୁ ବ୍ୟାପକ ଭାବେ ପାଳନ କରାଯିବା ନେଇ ବୈଠକରେ ଗୁରୁତ୍ବ ଆରୋପ କରାଯାଇଛି ।

ଏ ନେଇ ବିଭିନ୍ନ କାର୍ଯ୍ୟକ୍ରମ  ଆୟୋଜନ କରାଯିବା ନିମନ୍ତେ ସ୍ଥରିକୃତ ହୋଇଥିବା ପ୍ରକାଶ । ଏହି ଅବସରରେ ଏକ ସ୍ମରଣିକା , ମାର୍ଗଦର୍ଶୀକା  ଓ ସମବାୟ ସମାଚାରର ସ୍ବତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶିତ ହେବ । ସମନ୍ବୟ ଓ ସହଯୋଗ ରକ୍ଷାକରି ସମବାୟ ସପ୍ତାହ ପାଳନକୁ ସଫଳ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ବାଲ , ସ୍ବତନ୍ତ୍ର ସଚିବ ସନ୍ତୋଷକୁମାର ମିଶ୍ର , ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝି , ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି ପ୍ରସାଦ ଦୋରା , ସମବାୟ ୟୁନିୟନ ସଭାପତି ପ୍ରବାଶୀନୀ ଷଢଙ୍ଗୀ ଏବଂ ଯୁଗ୍ମସଚିବ ସଙ୍ଗ୍ରାମ କେଶରୀ ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।