Home Covid ଘରୁ ସଂଗ୍ରହ ହେବ ନମୂନା

ଘରୁ ସଂଗ୍ରହ ହେବ ନମୂନା

ଭୁବନେଶ୍ୱର : ବରିଷ୍ଠ ନାଗରିକମାନେ ଚାହିଁଲେ ସେମାନଙ୍କ ଘରୁ କରୋନା ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯିବ । ସେହିଭଳି ଯେଉଁ ବରିଷ୍ଠ ନାଗରିକମାନେ ଚାହିଁବେ ସେମାନଙ୍କୁ ଟିକାଦାନ କେନ୍ଦ୍ରକୁ ଆସିବାପାଇଁ ଗାଡି ପଠାଯିବ । ଆଜି ଏହି ସୂଚନା ଦେଇଛନ୍ତି ବିଏମ୍‍ସି କମିଶନର ସଞ୍ଜୟ ସିଂହ ।

ଶ୍ରୀ ସିଂହ କହିଛନ୍ତି ଯେ ରାଜଧାନୀରେ କିଛି ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ନିକଟରେ ସେମାନଙ୍କ ପିଲାମାନେ ନାହାନ୍ତି ଓ ସେମାନେ ନିଜେ ଗାଡି ଚଳାଇ ଆସିବା ଅବସ୍ଥାରେ ନାହାନ୍ତି । ଯଦି ଏହି ବରିଷ୍ଠ ନାଗରିକମାନେ ନିଜର କରୋନା ପରୀକ୍ଷା କରାଇବାକୁ ଚାହିଁବେ ତେବେ ଘର ଠିକଣା ଦେଲେ ସେମାନଙ୍କୁ ଘରକୁ ଗାଡି ଯାଇ ନମୂନା ସଂଗ୍ରହ କରିବ । ସେହିଭଳି ଟିକାଦାନ କେନ୍ଦ୍ରକୁ ଆଣି ଟିକା ଦେଇ ଘରେ ଛାଡିବାର ବ୍ୟବସ୍ଥା ହୋଇଛି ।

ବିଏମ୍‍ସି ଇଲାକାରେ ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନେ ତୁରନ୍ତ ୧୯୨୯ ନମ୍ବରକୁ ଫୋନ୍‍ କରି ପରାମର୍ଶ ନେବାକୁ କମିଶନର କହିଛନ୍ତି । ସେ କହିଛନ୍ତି ଯେ ଏହି ନମ୍ବରରେ ପୂର୍ବରୁ ୨୫ଟି ଲାଇନ୍‍ ଥିବାବେଳେ ଆଉ ୫ଟି ଲାଇନ୍‍ ଯୋଡାଯାଉଛି ।

ସେହିଭଳି ରାଜଧାନୀରେ ଶଯ୍ୟା ସଂଖ୍ୟା ବଢାଇବାକୁ କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି । ଅଧିକରୁ ଅଧିକ ଅକ୍ସିଜେନ୍‍ ସୁବିଧା ଥାଇ ଶଯ୍ୟା ବଢାଇବାକୁ ପ୍ରସ୍ତୁତି ଚାଲିଛି ।

ରାଜଧାନୀବାସୀ ସଟ୍‍ଡାଉନ୍‍ ଓ ଲକ୍‍ଡାଉନ୍‍ରେ ବିଶେଷ ସହଯୋଗ କରୁଥିବାରୁ କମିଶନର ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କହିଛନ୍ତି । ଯେଉଁମାନେ କୌଣସି କାମରେ ଘରୁ ବାହାରୁଛନ୍ତି ସେମାନେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହିତ ଗହଳିକୁ ନଯିବାପାଇଁ ଶ୍ରୀ ସିଂହ କହିବା ସହିତ ୧୯୨୯ ନମବରର ପରାମର୍ଶ ନେବାପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here