Home General ଘରଡିହ ଅପେକ୍ଷାରେ ୯୭୦୦ ବ୍ୟକ୍ତି

ଘରଡିହ ଅପେକ୍ଷାରେ ୯୭୦୦ ବ୍ୟକ୍ତି

ଭୁବନେଶ୍ୱର : ବସୁନ୍ଧରା ଯୋଜନାରେ ଘରଡିହ ପାଇବାକୁ ଏବେ ବି ରାଜ୍ୟରେ ୯୭୦୦ ପରିବାର ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରେ ବରଗଡ ଜିଲ୍ଲାରେ ସର୍ବାଧିକ ବ୍ୟକ୍ତି ରହିଛନ୍ତି ।

ରାଜ୍ୟରେ ବସୁନ୍ଧରା ଯୋଜନା ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବସୁନ୍ଧରା ଯୋଜନାରେ ଘରଡିହ ଯୋଗାଣ ପାଇଁ ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ମୋଟ୍‍ ୧,୦୬,୮୯୮ ଜଣ ଘରଡିହ ଶୂନ୍ୟ ବ୍ୟକ୍ତି ରାଜ୍ୟରେ ଚିହ୍ନଟ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୪୯,୨୦୦ ଜଣ ବ୍ୟକ୍ତି ପରବର୍ତ୍ତୀ ଯାଞ୍ଚ ସମୟରେ ଘରଡିହ ଜମି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇନଥିବା ଦୃଷ୍ଟିକୁ ଆସିଥିଲା । ଅବଶିଷ୍ଟ ୫୭,୬୯୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ୪୭,୯୯୮ ଜଣ ବ୍ୟକ୍ତିଙ୍କୁ ଘରଡିହ ଜମି ପ୍ରଦାନ କରାଯାଇଛି ଓ ୯୭୦୦ ଜଣ ବ୍ୟକ୍ତି ଘରଡିହ ପାଇବାକୁ ବାକି ରହିଛନ୍ତି ।

ସମସ୍ତ ଯୋଗ୍ୟ ବିବେଚିତ ଘରଡିହ ଶୂନ୍ୟ ପରିବାରମାନଙ୍କୁ ଯଥାଶୀଘ୍ର ଘରଡିହ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ତେବେ ଘରଡିହ ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୧୯୯୧ ଜଣ ବରଗଡ ଜିଲ୍ଲାରେ ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ୧୭୯୮, ସୁବର୍ଣ୍ଣପୁରରେ ୭୯୫, ଢେଙ୍କାନାଳରେ ୬୬୯, ପୁରୀରେ ୪୬୭, ସୁନ୍ଦରଗଡରେ ୪୫୮, ଦେବଗଡରେ ୪୪୫, ବୌଦରେ ୩୮୧, ଗଞ୍ଜାମରେ ୨୯୦ ଓ ଝାରସୁଗୁଡରେ ୨୬୩ ଜଣ ରହିଛନ୍ତି । ଖୋରଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜଣେ ହେଲେ କେହି ଘରଡିହ ପାଇବା ଅପେକ୍ଷା ନଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)