Home Education ଘଣ୍ଟା କଟକଣା ଛାତ୍ରଛାତ୍ରୀଙ୍କୁ ସମସ୍ୟା

ଘଣ୍ଟା କଟକଣା ଛାତ୍ରଛାତ୍ରୀଙ୍କୁ ସମସ୍ୟା

ଭୁବନେଶ୍ୱର : ପରୀକ୍ଷାର୍ଥୀଙ୍କ ପାଇଁ ଏବେ ଘଣ୍ଟା କଟକଣା ସମସ୍ୟା ହୋଇଛି । ଗୋଟିଏ ପଟେ ପରୀକ୍ଷା ହଲ୍‍କୁ କର୍ତ୍ତୃପକ୍ଷ ଘଣ୍ଟା ନେଇ ଯିବାକୁ ବାରଣ କରୁଥିବାବେଳେ ଅନ୍ୟ ପଟେ ପରୀକ୍ଷାହଲ୍‍ରେ କାନ୍ଥଘଣ୍ଟା ନଥିବାରୁ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି ।

ରାଜ୍ୟରେ ଦଶମ ଓ ଏକାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିଲାଏ ପ୍ରାୟ ଦୁଇବର୍ଷ ପରେ ଅଫଲାଇନ୍‍ରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରରେ କପି ଜଗିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ ହୋଇଥିବାବେଳେ ପିଲାଙ୍କୁ ଘଣ୍ଟାପିନ୍ଧି ଯିବାକୁ ଅନୁମତି ମିଳୁନି । ତେବେ ଶିକ୍ଷାନୁଷ୍ଠାନ କୋଠରୀରେ କର୍ତ୍ତୃପକ୍ଷ କାନ୍ଥଘଣ୍ଟା ବ୍ୟବସ୍ଥା କରିନଥିବାରୁ ପରୀକ୍ଷାର୍ଥୀମାନେ ସମୟକୁ ନେଇ ହୀନସ୍ତା ହେଉଛନ୍ତି ।

ଗତକାଲି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ । ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ପିଲାମାନଙ୍କୁ ସାଙ୍ଗରେ ଆଣିଥିବା ମୋବାଇଲ୍‍, ବ୍ୟାଗ୍‍, ଖାତାପତ୍ର ସହିତ ହାତଘଣ୍ଟାକୁ ବି ପରୀକ୍ଷାହଲ୍‍ ବାହାରେ ରଖିବାକୁ ପଡିଥିଲା । ତେବେ ପିଲାମାନେ ପରୀକ୍ଷା ହଲ୍‍ରେ ପ୍ରବେଶ କରିବାପରେ ସେଠାରେ ଘଣ୍ଟାନଥିବା ଦେଖି ସମସ୍ୟାରେ ପଡିଥିଲେ । ସମୟ ଅନୁସାରେ ପରୀକ୍ଷା ଖାତାରେ ଉତ୍ତର ଲେଖି ଦାଖଲ କରିବାକୁ ଥିବାରୁ ସେମାନେ ବାରମ୍ବାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମୟ ପଚାରୁଥିଲେ । ଏଥିଯୋଗୁଁ ଅନ୍ୟ ପିଲାମାନେ ବି ଅସୁବିଧାରେ ପଡୁଥିଲେ ।

ଯୁକ୍ତ ଦୁଇ ପରୀକ୍ଷାପାଇଁ ସରକାର ଯେଭଳି ସିସିଟିଭି ଓ ଫ୍ୟାନ୍‍ ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ଅନୁଯାୟୀ ପ୍ରତ୍ୟେକ ପରୀକ୍ଷା କୋଠାରୀରେ ଅତି କମ୍‍ରେ ଗୋଟିଏ କରି କାନ୍ଥଘଣ୍ଟା ଲଗାଇବାକୁ ଦାବି ହେଉଛି । କାରଣ ନିଜ ନିଜ ହାତଘଣ୍ଟାକୁ ବାହାରେ ରଖିଦେଇ ଆସୁଥିବା ଛାତ୍ରଛାତ୍ରୀମାନେ ସମୟ ଜାଣିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଧୂଆ ମୂଳା ଅଧୂଆ ମୂଳା ନ୍ୟାୟରେ କର୍ତ୍ତୃପକ୍ଷ ଡିଜିଟାଲ ଘଣ୍ଟା ସହିତ ସମସ୍ତ ପ୍ରକାର ଘଣ୍ଟା ଏପରିକି ପୁରୁଣାକାଳିଆ ଘଣ୍ଟାକୁ ବି ପରୀକ୍ଷା ହଲ୍‍କୁ ଛାଡୁ ନାହାନ୍ତି । ଏହା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି ।

ଏହା କେବଳ ଏହି ଗୋଟିଏ ପରୀକ୍ଷା କେନ୍ଦ୍ରର ସମସ୍ୟା ନୁହେଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛି । ଦୁଇ ବର୍ଷ ପରେ ପିଲାମାନେ ଅଫ୍‍ଲାଇନ୍‍ ପରୀକ୍ଷାରେ ବସୁଥିବାରୁ ଧାର୍ଯ୍ୟ ସମୟ ଭିତରେ ସମସ୍ତ ଉତ୍ତର ଲେଖିବାକୁ ଚେଷ୍ଟା କରୁଛନ୍ତି । ଯେହେତୁ ସେମାନଙ୍କ ପାଇଁ ସମୟ ଜାଣିବାର ଅବକାଶ ରହୁନାହିଁ ତେଣୁ ବହୁ ଛାତ୍ରଛାତ୍ରୀ ଉତ୍ତର ଜାଣିଥିଲେ ବି ବହୁ ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି । ତେଣୁ ଅବଶିଷ୍ଟ ବିଷୟର ପରୀକ୍ଷା ସରିବା ପୂର୍ବରୁ କର୍ତ୍ତୃପକ୍ଷ ପରୀକ୍ଷା ହଲ୍‍ରେ ଘଣ୍ଟା ଲଗାଇବାକୁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here