Home Administration ଗ୍ରୀଷ୍ମ-ପ୍ରବାହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଗ୍ରୀଷ୍ମ-ପ୍ରବାହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଭୁବନେଶ୍ୱର : ଚଳିତବର୍ଷ  ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର  ମୁକାବିଲା ନିମନ୍ତେ  ପ୍ରଶାସନିକ ପ୍ରସ୍ତୁତିକୁ  ଚୁଡାନ୍ତରୂପ ଦିଆଯାଇଛି ।  ଆଜି ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟସ୍ତରୀୟ  ପ୍ରସ୍ତୁତି କମିଟି ବୈଠକର  ଆଲୋଚନାରୁ ଏହା ଜଣାପଡିଛି ।  ରାଜ୍ୟ  ଲୋକସେବା ଭବନରୁ  ଡ଼ିଜିଟାଲ୍ ମୋଡରେ   ଅନୁଷ୍ଠିତ ଏହି ବୈଠକରେ  ଉନ୍ନୟନ କମିଶନର  ତଥା  ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ  ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ  ମୁକାବିଲା ସମ୍ବନ୍ଧିତ  କାର୍ଯ୍ୟପନ୍ଥା  ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ  ସେସବୁକୁ ପୂର୍ଣ୍ଣ  କର୍ମକ୍ଷମ ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ସମସ୍ତ ପାନୀୟ ଜଳ ଉତ୍ସର ବିଶୁଦ୍ଧିକରଣ ସହ  ନିୟମିତ ଯାଞ୍ଚ୍ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ  ଅଧିକ ସକ୍ରିୟ କରିବା ପାଇଁ  ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ ।

ନଳକୂପ ଓ କୁଅ ଆଦି ନିକଟରେ ପଶୁପକ୍ଷୀମାନଙ୍କ ନିମନ୍ତେ  ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ  ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପରେ  ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ ।  ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ  ପଶୁ ପକ୍ଷୀଙ୍କ ପାଇଁ  ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ  ଅନୁରୋଧ କରାଯାଇଥିଲା ।

ଭାରତୀୟ ପାଣିପାଗ ବିଭାଗ ବରିଷ୍ଠ ଅଧିକାରୀ କହିଥିଲେ ଯେ  ଯେତେବେଳେ କୌଣସି ସ୍ଥାନରେ  ସର୍ବାଧିକ ତାପମାତ୍ରା ଲଗାକାରଭାବେ ୪୫ ଡିଗ୍ରୀ ସେଲସିଅସ୍ ରୁ ଅଧିକ ରହେ  ସେତେବେଳେ ସାଧାରଣତଃ ଗ୍ରୀଷ୍ମପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ ।  ଏଥି ପାଇଁ ପ୍ରତ୍ରେକ  ପାଣିପାଗ  ସବ୍ ଡିଭିଜନରେ  ଦୈନିକ ତାପମାତ୍ରାର  ଅନୁଧ୍ୟାନ  କରାଯିବ । ବର୍ତ୍ତମାନ ରାଜ୍ୟରେ ପ୍ରାୟ  ୩୦ ଟି ସ୍ଥାନରେ  ତାପମାତ୍ରା ରେକର୍ଡ଼ କରାଯାଉଛି । 

ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଥିଲେ ଯେ  ଚଳିତ ବର୍ଷ  ଗ୍ରୀଷ୍ମ ପ୍ରବାହ  ମୁକାବିଲା ପ୍ରସ୍ତୁତି ଫେବୃଆରୀ ମାସରୁ  ଆରମ୍ଭ କରାଯାଇଛି ।  ଇତି ମଧ୍ୟରେ  ୨୦୨୨ ବର୍ଷ  ପାଇଁ  କାର୍ଯ୍ୟ ଯୋଜନା  ପ୍ରସ୍ତୁତ କରାଯାଇଛି ।  ନିର୍ଦ୍ଧାରିତ କାର୍ଯ୍ୟଧାରା ପଦ୍ଧତି (ଏସ୍.ଓ.ପି) ସମସ୍ତ ବିଭାଗମାନଙ୍କୁ ପଠାଯାଇଛି । ସଂପୃକ୍ତ ବିଭାଗମାନେ  ନିଜ ନିଜ  ମୁକାବିଲା ଯୋଜନାର କାର୍ଯ୍ୟାନ୍ୱୟନ  ଅଗ୍ରଗତି ବିଷୟରେ  ନିୟମିତ ଭାବେ  ସ୍ୱତନ୍ତ୍ର ରିଲିଫ୍‌ କମିଶନ ଅଫିସଙ୍କୁ ଅବଗତ କରାଇବା ପାଇଁ  ଶ୍ରୀ ଜେନା  ନିର୍ଦ୍ଦେଶ ଦେଇଥିଲେ ।

ପ୍ରତ୍ୟେକ ଜିଲ୍ଲାରେ  ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କର  ବୈଠକକରି  ଗ୍ରୀଷ୍ମ ପ୍ରବାହ  ସ୍ଥିତି ଉପରେ ସତର୍କ ଦୃଷ୍ଟି  ରଖିବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ବିପର୍ଯ୍ୟୟ ମୁକାବିଲା ଗ୍ରୁପ୍ ମାନେ  ପ୍ରତି ଦିନ  ବୈଠକ କରି    ସ୍ଥିତି ଏବଂ  ମୁକାବିଲା ପ୍ରସ୍ତୁତିର  ଅନୁଶୀଳନ କରିବାକୁ  କୁହାଯାଇଥିଲା ।  ଗ୍ରୀଷ୍ମ ପ୍ରବାହ  ବିଷୟରେ  ଆଗୁଆ ସତର୍କ  ସୂଚନାର ଉପଯୁକ୍ତ  ପ୍ରସାରଣ ନିମନ୍ତେ  ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରୀଷ୍ମ ପ୍ରବାହ, ଓ ଅଂଶୁଘାତ ସମ୍ବନ୍ଧିତ ସତର୍କତା ଗୁଡିକ ବିଷୟରେ  ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ମାନଙ୍କରେ  ବ୍ୟାପକ  ସଚେତନତା କାର୍ଯ୍ୟକ୍ରମ ଳଗାତର ଜାରି ରଖିବାକୁ ଉନ୍ନୟନ  କମିଶନର ଶ୍ରୀ  ଜେନା ଜିଲ୍ଲା ଓ ବ୍ଳକ୍ ସ୍ତରୀୟ  ଅଧିକାରୀମାନଙ୍କୁ  କହିଥିଲେ ।   ଏଥିରେ  ଗଣମାଧ୍ୟମ, ସ୍ୱଚ୍ଛାସେବୀ ସଂଘ, ପଞ୍ଚାୟତିରାଜ  ଅନୁଷ୍ଠାନ, ଗ୍ରାମ ସମୁଦାୟ ମାନଙ୍କୁ  ସକ୍ରିୟଭାବେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ  ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା,  ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ପାଖରେ ଓ.ଆର.ଏସ୍ ପ୍ୟାକେଟ ମହଜୁଦ, ପଶୁପକ୍ଷୀମାନଙ୍କ ନିମନ୍ତେ  ଜଳ ଓ ଚିକିତ୍ସା ବ୍ୟବସ୍ଥା, ଶ୍ରମିକ ମାନଙ୍କ ନିମନ୍ତେ  କାର୍ଯ୍ୟସ୍ଥଳୀରେ  ଜଳ ଓ ବିଶ୍ରାମ ସ୍ଥଳ ନିର୍ମାଣ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡି ମାନଙ୍କରେ  ସମୟ ନିର୍ଘଣ୍ଟରେ ଆବଶ୍ୟକୀୟ ପରିବର୍ତ୍ତନ, ଯାତ୍ରୀବାହି ଯାନବାହାନରେ ପାଣି ଓ ଅଧିକ ଭିଡ ନିୟନ୍ତ୍ରଣ, ଫାଷ୍ଟଏଡ୍  ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ ଯୋଗାଣ, କେନାଳରେ  ପାଣି ଛାଡିବା, ଅଂଶୁଘାତ ଆକ୍ରାନ୍ତ ଲୋକଙ୍କ ପାଇଁ  ସହାୟତା ଆଦି  ବିଷୟରେ  ସବିଶେଷ  ଆଲୋଚନା ହୋଇ  ଆବଶ୍ୟକୀୟ  ନିଷ୍ପତ୍ତିମାନ ନିଆଯାଇଥିଲା ।