Home Energy ଅତ୍ୟାଧୁନିକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ

ଅତ୍ୟାଧୁନିକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ବିଦ୍ୟୁତ ଗ୍ରାହକ ମାନଙ୍କୁ ଗୁଣାତ୍ମକ ସେବା ଯୋଗାଣ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତ୍ୟାଧୁନିକ ଗ୍ରାହକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ‘‘ପ୍ରଯୁକ୍ତିବିଦ୍ୟା ଆଧାରିତ ଏହି ନୂଆ ବ୍ୟବସ୍ଥା ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ।

ଏଥିରେ ସ୍ମାର୍ଟ ମିଟର ରିଡିଂ, ସ୍ମାର୍ଟ ଗ୍ରୀଡ୍‌, ପ୍ରି-ପେଡ୍‌ ମୋଡ୍‌ ସହ ଛାତ ଉପର ସୌର ପ୍ରକଳ୍ପରୁ ଉତ୍ପନ ୟୁନିଟ୍‌ର ସଠିକ୍‌ ହିସାବ ଆଦିର ବ୍ୟବସ୍ଥା ସନ୍ନିବେଶିତ ହୋଇଛି’’ । ବ୍ୟବସ୍ଥାଟିକୁ ‘‘ପୂର୍ଣ୍ଣମାତ୍ରାରେ ୩୬୦ ଡିଗ୍ରୀ ତୃଟି-ମୁକ୍ତ ଓ ଦୃଶ୍ୟମାନ କରି ସେବାଯୋଗାଣରେ ଗୁଣାତ୍ମକ ରୂପାନ୍ତରଣ ସହ ବିଦ୍ୟୁତ ଯୋଗାଣରେ ହେଉଥିବା ବୈଷୟିକ ଓ ବ୍ୟବସାୟିକ (ଏ. ଆଣ୍ଡ ଟି.) କ୍ଷତି କମାଇବା’’ ପାଇଁ ଶ୍ରୀ ମହାପାତ୍ର ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ କହିଥିଲେ ଯେ ନୂଆ ବ୍ୟବସ୍ଥା ରାଜ୍ୟର ପ୍ରାୟ ୭୩ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ତ୍ୱରିତ ବିଦ୍ୟୁତ ସଂଯୋଗ, ନିର୍ଭୁଲ ବିଲ୍‌, ବିଭିନ୍ନ ମୋଡ୍‌ରେ ଅନ୍‌ଲାଇନ୍‌ ବିଲ୍‌ ପୈଠ ବ୍ୟବସ୍ଥା ଆଦି ଯୋଗାଇବ । ଏହା ଛଡ଼ା ସ୍ୱତନ୍ତ୍ର ଗ୍ରାହକ ସେବାକେନ୍ଦ୍ର, କେନ୍ଦ୍ରୀୟ ହେଲ୍‌ପ୍‌-ଡେକ୍ସ ଏବଂ ଅତ୍ୟାଧୂନିକ ଡାଟା ସେଣ୍ଟର ଆଦିର ବ୍ୟବସ୍ଥା ରହିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ନୂଆ ବ୍ୟବସ୍ଥାରେ ଗ୍ରାହକ ସୁବିଧା ପାଇଁ ବହୁ-ମୁଖୀ ପ୍ରଯୁକ୍ତି-ବିଦ୍ୟା ମଡେଲ୍‌ ପ୍ରୟୋଗ କରାଯାଇଛି । କ୍ଲାଉଡ୍‌ ରେ ଆପଦକାଳୀନ ତଥ୍ୟ ପୁନରୁଦ୍ଧାର ବ୍ୟବସ୍ଥା ରହିଛି । ଟି.ପି.ଏନ୍‌.ଓ.ଡି.ଏଲ୍‌(ପୂର୍ବର ନେସ୍କୋ), ଟି.ପି.ଡବ୍‌ଲ୍ଲ୍ୟୁ.ଓ.ଡି.ଏଲ୍‌(ପୂର୍ବର ଓ୍ୱେସ୍କୋ) ଏବଂ ଟି.ପି.ଏସ୍‌.ଓ.ଡି..ଏଲ୍‌(ପୂର୍ବର ସାଉଥ୍‌କୋ) ଅଂଚଳ ଅନ୍ତର୍ଭୁକ୍ତ ୫୧୭ଟି ବିଦ୍ୟୁତ ବିତରକ କଂପାନୀ କାର୍ଯ୍ୟାଳୟକୁ ପ୍ରଯୁକ୍ତିବିଦ୍ୟା, କମ୍ପ୍ୟୁଟର ଏବଂ ନେଟ୍‌ୱାର୍କ ଯନ୍ତ୍ରପାତି ଆଦି ସହ ନବୀକୃତ କରାଯିବ ।

ସମନ୍ୱିତ ବିଦ୍ୟୁତ ଯୋଗାଣ ବିକାଶ ପ୍ରକଳ୍ପରେ କରାଯାଇଥିବା ଏହି ନୂଆ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୧୧୭ କୋଟି ଏବଂ କେନ୍ଦ୍ର ସରକାର ୪୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଡିଜିଟାଲ୍‌ ଏବଂ ଅନ୍‌ଲାଇନ୍ ମୋଡ୍‌ରେ ବିଭିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ହେବ । ବିତରକ କଂପାନୀମାନଙ୍କର ବିଭିନ୍ନ ଡିଭିଜନ୍‌ରେ ଥିବା ଯନ୍ତ୍ରପାତି, ଉପକରଣ ଏବଂ ଅନ୍ୟାନ୍ୟ ଅବ୍ୟବହୃତ ସାଧନର ରିଅଲ୍‌ ଟାଇମ୍‌ ତଥ୍ୟ ମିଳି ପାରିବ ।

ଫଳରେ ଆବଶ୍ୟକ ସ୍ଥାନକୁ ଏହା ତୁରନ୍ତ ନିଆଯାଇ କାମରେ ଲଗାଯାଇ ପାରିବ । ନୂଆ ବିଦ୍ୟୁତ୍‌ ସଂଯୋଗ, ବିଲ୍‌ ପେମେଣ୍ଟ, କୌଣସି ସଂଶୋଧନ ଆଦି ବିଷୟରେ ଗ୍ରାହକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ପ୍ରତିଟି ସଦ୍ୟତନ ସ୍ଥିତି ଜାଣିପାରିବେ । ପ୍ରତି ବିତରକ କଂପାନୀ ଅଂଚଳରେ ସ୍ୱତନ୍ତ୍ର ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରିବ ।

ନୂଆ ବ୍ୟବସ୍ଥା ମାଧ୍ୟମରେ ସେବା ଯୋଗାଣର ଗୁଣାତ୍ମକ ମାନ ବଢ଼ାଇବା ସହ ବିଦ୍ୟୁତ୍‌ ଯୋଗାଣରେ ବୈଷୟିକ ଏବଂ ବ୍ୟବସାୟିକ(ଏ. ଆଣ୍ଡ ଟି.) କ୍ଷତିକୁ ବର୍ତ୍ତମାନର ୩୦ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମାଇବାର ଲକ୍ଷ୍ୟ ରଖାଯାଇଛି । ବାର୍ଷିକ ୨ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଏ. ଆଣ୍ଡ ଟି. କ୍ଷତି କମାଇବା ପାର୍ଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଓଡ଼ିଶା ବିଦ୍ୟୁତ୍‌ ସରବରାହ ନିଗମ ଲିଃ(ଓ.ପି.ଟି.ସି.ଏଲ୍‌) ର ବରିଷ୍ଠ ଅଧିକାରୀ ପ୍ରକାଶ କରିଥିଲେ । ଓ.ପି.ଟି.ସି.ଏଲ୍‌ ମାଧ୍ୟମରେ ପ୍ରସ୍ତୁତ ଏହି ନୂଆ ବ୍ୟବସ୍ଥା ଫ୍ଲୁଏଣ୍ଟ୍‌ଗ୍ରୀଡ୍‌ ଏବଂ ବୋସେକ୍‌ ଇଣ୍ଡିଆଙ୍କ ବୈଷୟିକ ସହଯୋଗିତାରେ ପରିଚାଳିତ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଓ.ପି.ଟି.ସି.ଏଲ୍‌. ର ପରିଚାଳନା ନିର୍ଦ୍ଦେଶକ ସଂଜୟ ମିଶ୍ର, ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭଦ୍ରେଶଭାଇ ମେହେଟ୍ଟା ଜେନେରାଲ୍‌ ମ୍ୟାନେଜର ପ୍ରିୟଦର୍ଶନ ପାତ୍ରଙ୍କ ସମେତ ଟାଟା ପାୱାର ବିତରକ କଂପାନୀମାନଙ୍କର ବରିଷ୍ଠ ଅଧିକାରୀମାନେ ଏହି ଶୁଭାରମ୍ଭ ସଭାରେ ଯୋଗାଦେଇଥିଲେ ।

LEAVE A REPLY

Please enter your comment!
Please enter your name here