Home Agriculture ଗ୍ରାମ୍ୟ କୃଷିକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଗ୍ରାମ୍ୟ କୃଷିକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଯୋଜନାଗୁଡ଼ିକର ସଠିକ୍‌ କାର୍ଯ୍ୟାନ୍ୱୟନ ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଗ୍ରାମ୍ୟ କୃଷିକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଉତ୍ତରାଞ୍ଚଳ ରାଜସ୍ୱ ଜୋନ୍‌ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରତ୍ୟେକ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ବୈଠକରେ ଚାଷୀମାନଙ୍କର ସମସ୍ୟା ସଂପର୍କରେ ଗ୍ରାମ୍ୟ କୃଷିକର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ।

ଫସଲରେ ରୋଗପୋକ ଲାଗିଲେ ତୁରନ୍ତ କୀଟଦମନ ନିମନ୍ତେ ଚାଷୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଦରକାର । ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଚୟନ ସମୟରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ନହୁଅନ୍ତି ସେଥି ନିମନ୍ତେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ଉପଲବ୍ଧ ଜମିରୁ ସର୍ବାଧିକ ଉତ୍ପାଦ ପାଇବା ନିମନ୍ତେ ସମନ୍ୱିତ କୃଷି କାର୍ଯ୍ୟ ଆପଣେଇବା, ମୃତ୍ତିକାର ସ୍ୱାସ୍ଥ୍ୟ ନିମନ୍ତେ ଅଧିକରୁ ଅଧିକ ବାୟୋ-ଫର୍ଟିଲାଇଜର ବ୍ୟବହାର ସହ କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଦିଗରେ ଚାଷୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ ।

ଆମ କୃଷି ଟୋଲ୍‌ ଫ୍ରି ମୋବାଇଲ୍‌ ସେବା ଓ ହ୍ୱାଟସ୍‌ଆପ୍‌ ଭିଡ଼ିଓ ଓ ବାର୍ତ୍ତାର ବହୁଳ ପ୍ରସାର କରି ଚାଷୀମାନଙ୍କୁ କୃଷି ସମ୍ବନ୍ଧୀୟ ଆବଶ୍ୟକ ସୂଚନା ଦେବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ସକି୍ରୟ ଭୂମିକା ଗ୍ରହଣ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ୫-‘ଟି’ର ଅନୁପାଳନପୂର୍ବକ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ଗ୍ରାମ୍ୟ କୃଷିକର୍ମୀମାନଙ୍କର ଅନ୍ୟ ରାଜ୍ୟର କୃଷି କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ ।