Home General ଗ୍ରାମୋଦ୍ୟୋଗ ଭବନ କେବେ?

ଗ୍ରାମୋଦ୍ୟୋଗ ଭବନ କେବେ?

ଭୁବନେଶ୍ୱର : ପ୍ରାୟ ୨୦ କୋଟି ଟଙ୍କାର ବ୍ୟୟ ଅଟକଳରେ ରାଜଧାନୀର ଖାରବେଳନଗର ଅଞ୍ଚଳରେ ଥିବା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ପରିସର ମଧ୍ୟରେ ୧୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ତାହାର କାମ ଏଯାବତ୍‍ ଆରମ୍ଭ ହୋଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୦୩ ଅକ୍ଟୋବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗ୍ରାମୋଦ୍ୟୋଗ ଭବନ ଲାଗି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ସେଥିରେ ସେତେବେଳର ବିଭାଗୀୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟସଭା ସଦସ୍ୟ ମନମୋହନ ସାମଲ, ବୋର୍ଡ ସଭାପତି ରମାରଞ୍ଜନ ବଳିଆରସିଂହ ପ୍ରମୁଖଙ୍କ ନାମ ଖୋଦେଇ ହୋଇ ରହିଛି ।

୧୯ବର୍ଷ ଧରି ବୋର୍ଡର ପ୍ରବେଶପଥ ନିକଟରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିଠାରୁ ପ୍ରାୟ ୩୦ ମିଟର ଦୂରରେ ଏହି ଶିଳାନ୍ୟାସ ଫଳକଟି ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଫଳକଟି ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିବାବେଳେ ସେଥିରେ ଖୋଦେଇ ହୋଇଥିବା ବିଶିଷ୍ଟ ଅତିଥିମାନଙ୍କ ନାମ ମଧ୍ୟରୁ ଅନେକ ବିବର୍ଣ୍ଣ ହୋଇଗଲେଣି । ତେବେ ଏହି ଭିତ୍ତିପ୍ରସ୍ତର ଅନୁଯାୟୀ କେବେ ଗ୍ରାମୋଦ୍ୟୋଗ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେଥିଘେନି ବିଭାଗୀୟ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁ ନାହାନ୍ତି ।

ତେବେ ବିଧାନସଭାରେ ପୂର୍ବରୁ ଦିଆଯାଇଥିବା ଉତ୍ତର ଅନୁଯାୟୀ ମୁଖ୍ୟମନ୍ତ୍ରୀ ୨୦୦୩ ତାରିଖରେ ଯେଉଁ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ଇନଟାକ୍‍ ଦ୍ୱାରା ୨୦୧୫ ଡିସେମ୍ବର ୨୨ ତାରିଖରେ ୨୦ କୋଟି ୭୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଥିଲା । ଏଥିସହିତ ଦିଲ୍ଲୀହାଟ ଢ଼ାଞ୍ଚାରେ ଏଠାରେ ୪୦ଟି ସ୍ଥାୟୀ ପ୍ରଦର୍ଶନ ମଣ୍ଡପ ଓ ଜାତୀୟ ସ୍ତରର ଗାନ୍ଧୀ ସଂଗ୍ରହାଳୟ ନିର୍ମାଣ ବାବଦରେ ଯଥାକ୍ରମେ ୪ କୋଟି ୧୪ଲକ୍ଷ ଓ ୧ କୋଟି ୪୪ ଲକ୍ଷ ଏହିପରି ଆଉ ୨୬ କୋଟି ୨୮ ଲକ୍ଷ ଟଙ୍କାର ଅଟକଳ ବୋର୍ଡ ତରଫରୁ କରାଯାଇଥିଲା । କିନ୍ତୁ ଇନଟାକ ଓ ଖଦି ବୋର୍ଡର ଅଟକଳ ମୁତାବକ ଅର୍ଥ ବରାଦ କରାଯାଇନାହିଁ ।

ଖଦି ବୋର୍ଡ ପରିସରରେ ଥିବା ଘରଦ୍ୱାର ଭାଙ୍ଗି କେତେବେଳେ ୨୦ ମହଲା ଘର ନିର୍ମାଣ କରାଯିବ ବୋଲି କୁହାଯାଉଛି ତ ଆଉ କେତେବେଳେ ୪ ମହଲା କଥା ଉଠୁଛି । ଏବେ ପୁଣି ୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏଠି ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ କଥା ଘୋଷଣା କରାଯାଇଥିଲା । ଏଥିଲାଗି ଖଦି ବୋର୍ଡ ପରିସରରେ ଥିବା ବହୁ ପୁରାତନ ଡାକଘରକୁ ଉଠାଇ ଦିଆଯାଇଛି ଏବଂ ବ୍ୟାଙ୍କକୁ ମଧ୍ୟ ଉଠାଇବା ପାଇଁ ପ୍ରସ୍ତାବ ରହିଛି ।

ନୂଆ ପ୍ରାସାଦ ପାଇଁ ଘର ଭଙ୍ଗା ହେବାକୁ ଥିବାରୁ ଖଦି ବୋର୍ଡ ମୁଖ୍ୟ ଦପ୍ତର ପରିସରରେ ଥିବା ଖଦି ଭଣ୍ଡାର ଅତି ମୁମୁର୍ଷୁ ଅବସ୍ଥାରେ ପଡିଛି । ଅନ୍ୟ ଘରଗୁଡିକର ଯେଭଳି ରକ୍ଷଣାବେକ୍ଷଣ ହେବା କଥା ତାହା ବି ହୋଇପାରୁ ନାହିଁ । ଖଦି ବୋର୍ଡର ଦଶା ଏଭଳି ହୋଇଥିବା ବେଳେ ସଭାପତି ପରେ ସଭାପତି ବଦଳୁଥିଲେ ମଧ୍ୟ ରାଜ୍ୟରେ ସୂତା ଓ ଖଦି ବସ୍ତ୍ର ଉତ୍ପାଦନ ବଢ଼ୁନାହିଁ । ଫଳରେ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟରୁ ଖଦି ବସ୍ତ୍ର କିଣି ବିକ୍ରୟ କରାଯାଉଛି । ୩୦ଟି ଜିଲ୍ଲା ମଧ୍ୟରୁ ଅନ୍ୟୂନ ୨୦ଟି ଜିଲ୍ଲାରେ ଖଦି ଭଣ୍ଡାର ନାହିଁ ।

ଖଦି ବୋର୍ଡର ଜାଗମରା ନିକଟରେ ଥିବା ବିସ୍ତୃତ ଜମିରୁ ଅନ୍ୟ ସଂସ୍ଥା ପାଇଁ କିଛି ଜମି ପୂର୍ବରୁ ଦିଆସରିଥିବା ବେଳେ ଏବେ ଯେତିକି ବି ଜମି ଅଛି ସେଥିରୁ ୩ ଏକରରୁ ଅଧିକ ଜବରଦଖଲକାରୀଙ୍କ କବଳରେ । ସରକାରୀ କଳ ମଧ୍ୟରେ ସମନ୍ୱୟର ଅଭାବ ଓ ଜବରଦଖଲକାରୀଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ଯୋଗୁଁ ଏହି ମୂଲ୍ୟବାନ ଭୂସମ୍ପତ୍ତି ଉଦ୍ଧାର କରାଯାଇପାରୁ ନାହିଁ । (ତଥ୍ୟ)