Home News in Odia ଗ୍ରାମାଞ୍ଚଳରେ ସଂଗରୋଧ ବ୍ୟବସ୍ଥା କର

ଗ୍ରାମାଞ୍ଚଳରେ ସଂଗରୋଧ ବ୍ୟବସ୍ଥା କର

73
0

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ କାରଣରୁ ଅନ୍ୟ ରାଜ୍ୟମାନଙ୍କରେ ଲକ୍‌ଡାଉନ କଟକଣା ଜାରୀ ରହିଥିବାରୁ ସେହିସବୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ପୁଣି ଥରେ ଓଡିଶା ଫେରିଲେଣି । ଗତ ଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ରାଜ୍ୟ ସରକାର ସେଥିରୁ କିଛି ଶିଖିପାରିଲେ ନାହିଁ ।

ଏବେ ଓଡିଆ ପ୍ରବାସୀ ଓଡିଶା ଫେରିବା ପରେ ତାଙ୍କର ନା ଟେଷ୍ଟିଂ ହେଉଛି ନା ସେମାନଙ୍କୁ ସଂଗରୋଧରେ ରଖାଯାଉଛିି । ସଂକ୍ରମଣର ଦ୍ୱିତୀୟ ଲହରରେ ଗତ କିଛି ଦିନ ହେଲା ଓଡିଶାରୁ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ବର୍ତମାନଠାରୁ ରାଜ୍ୟ ସରକାର ଉଚିତ୍ ଓ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ରାଜ୍ୟ ସରକାର ଏହି ପରିସ୍ଥିତିରେ ରାଜ୍ୟର ସମସ୍ତ ସୀମାନ୍ତବର୍ତୀ ଅଂଚଳବାସୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବା ସହ ସମସ୍ତଙ୍କର ଟେଷ୍ଟିଂ ବ୍ୟବସ୍ଥା କରନ୍ତୁ । ଗତ ବର୍ଷ ଗ୍ରାମାଂଚଳରେ ସଂଗରୋଧର ବ୍ୟବସ୍ଥା ହୋଇଥିଲା । ଏଥି ପାଇଁ ବ୍ୟବହୃତ ବହୁ ସାମଗ୍ରୀର କୁଆଡେ ଗଲା ବୋଲି ଏବଂ ଚଳିତ ବର୍ଷ ସ୍ଥିତି ଅଧିକ ଭୟାଭୟ ଥିବା ସତ୍ୱେ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଗ୍ରାମାଂଚଳରେ ସଂଗରୋଧ ପ୍ରସଙ୍ଗରେ କାହିଁକି ତତ୍ପରତା ପ୍ରକାଶ କରୁନାହାନ୍ତି ? ୨ୟ ଲହରରେ ସଂକ୍ରମଣ ଗ୍ରାମାଂଚଳରେ ଅଧିକ ବ୍ୟାପୁଥିବାରୁ ସେଠାରେ ସଂଗରୋଧ ବ୍ୟବସ୍ଥା ଯଥାଶୀଘ୍ର ସୁଦୃଢ କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ବେଗରେ ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ଟେଷ୍ଟିଂ ସଂଖ୍ୟାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଏବେ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି ଟେଷ୍ଟିଂ ରିପୋର୍ଟ । ଟେଷ୍ଟିଂ ରିପୋର୍ଟ ଆସିବା ବେଳକୁ ୫ ରୁ ୬ ଦିନ ଲାଗୁଛି ଏବଂ ଏହା ଭିତରେ ସଂକ୍ରମିତ ବ୍ୟକ୍ତିଟି ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ସଂଭାବନା ରହୁଛି । ତେଣୁ ତୁରନ୍ତ ରିପୋର୍ଟ ପ୍ରଦାନ ସହ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜିଟାଲ ଉପାୟରେ / ମୋବାଇଲ ମାଧ୍ୟମରେ ଟେଷ୍ଟିଂ ରିପୋର୍ଟ କେମିତି ମିଳିବ ସେ ନେଇ ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ସରାକାରଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଟେଷ୍ଟିଂ ଏବଂ ଟୀକାଦାନ ସ୍ଥାନରେ ଅବ୍ୟବସ୍ଥା ଆଉ ଗୋଟିଏ ବଡ ସମସ୍ୟା ସୃଷ୍ଟି କରିଛି । ଅବ୍ୟବସ୍ଥା କାରଣରୁ ଲୋକଙ୍କୁ ବହୁତ ସମୟ ଧରି ଖରାରେ ଛିଡା ହେବାକୁ ପଡୁଛି । ଲମ୍ବା ଧାଡିରେ ଠିଆ ହୋଇ ଅନେକ ଚେତାଶୂନ୍ୟ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଖରାରୁ ରକ୍ଷା ପାଇବା ପାଇଁ ଟେଷ୍ଟିଂ ଏବଂ ଟୀକାପ୍ରଦାନ ସ୍ଥାନରେ ଟେଂଟ୍ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ଏହା ସହ ସାରା ରାଜ୍ୟରେ ଡୋର ଟୁ ଡୋର ଯାଇ ଟେଷ୍ଟିଂ କିପରି କରିହେବ, ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

ଏବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ କୋଭିଡ୍ ରୋଗୀ ଦେଖାଦେଉଛନ୍ତି । ଗ୍ରାମାଂଚଳରେ ଏହି ସଂକ୍ରମଣ ହାରକୁ ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଗ୍ରହଣ କରି ଗ୍ରାମାଂଚଳରେ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି’ ଗଠନ କରାଯାଉ । ଏହି କମିଟିରେ ସେହି ଅଂଚଳର ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ୍ କଲେ କୋଭିଡ୍ ମୁକାବିଲା ଆହୁରି ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here