Home General ଗାନ୍ଧୀ ସ୍ମାରକୀ ପାଇଁ ବ୍ୟାପକ ପ୍ରସ୍ତୁତି

ଗାନ୍ଧୀ ସ୍ମାରକୀ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପ୍ରତିପାଳନ ପାଇଁ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଯାବତ୍‍ ବିଜେପି ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଘୋଷଣା କରାଯାଇନାହିଁ । ତେବେ ଏହି ପ୍ରତିପାଳନ ଲାଗି ବେସରକାରୀ ଭାବେ ଆୟୋଜିତ କେତେକ ପ୍ରସ୍ତୁତି ବୈଠକରେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଘୋଷଣା କରିଆସୁଛନ୍ତି ।

ଆସନ୍ତା ୨୩ ତାରିଖରୁ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶାଗସ୍ତର ଶତବାର୍ଷିକୀ ଆରମ୍ଭ ହେଉଥିବା ବେଳେ ଆଜି ରାଜଧାନୀରେ ବିଜେଡି ପକ୍ଷରୁ ଦୁଇଟି ବଡ଼ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଗୋଟିଏ ଶିବିର ବିଜେଡିର ପ୍ରାଦେଶିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟଟି କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାରରେ ଆୟୋଜିତ ହୋଇଛି ।

ବହୁସଂଖ୍ୟକ ଯୁବକ ଓ ଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରକ୍ତଦାନ କରି ଜାତିର ଜନକଙ୍କ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ମୋ ପରିବାର, ବିଜୁ ଛାତ୍ର ଜନତା, ବିଜୁ ଯୁବ ଜନତା ଦଳ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହେବ ବୋଲି ରକ୍ତଦାନ ଶିବିର ଅବସରରେ ଉଦ୍ୟୋକ୍ତାମାନେ ସୂଚାଇଛନ୍ତି ।

ଅନ୍ୟପକ୍ଷରେ ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଐତିହାସିକ ଗାନ୍ଧୀ ପୀଠ ବେରବୋଇଠାରୁ ଏକ ସ୍ମୃତି ପଦଯାତ୍ରା ବାହାରିଛି । ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ ଉତ୍ସବରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବହୁ ନେତା ଅଂଶଗ୍ରହଣ କରି ପ୍ରଥମ ଦିନରେ ପଦଯାତ୍ରୀମାନେ ୧୬ କିଲୋମିଟର ଚାଲିଥିଲେ ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏ ବର୍ଷ ଉତ୍କଳ ପ୍ରଦେଶ କମିଟି ଗଠନ, ଅସହଯୋଗ ଆନ୍ଦୋଳନ, ଖିଲାଫତ୍‍ ଆନ୍ଦୋଳନ ଓ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶହେବର୍ଷ ପୂର୍ତ୍ତି ପାଳନ କଂଗ୍ରେସ ରାଜ୍ୟର ସମସ୍ତ ବ୍ଲକ୍‍ ଓ ପୌରାଞ୍ଚଳରେ ପ୍ରତିପାଳନ କରିବା ପାଇଁ ଯାଉଛି ।

ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଏହି ବର୍ଷବ୍ୟାପୀ ପ୍ରତିପାଳନ ଲାଗି ବିଭିନ୍ନ ସ୍ଥାନରେ ବୈଠକମାନ କରାଯାଇ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଯୋଡ଼ାଯାଉଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ସାମାଜିକ ସଂଗଠନ, ଛାତ୍ର ଓ ଯୁବକମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି । ଏଭଳି ବୈଠକରେ ରାଜ୍ୟ ବିଜେପି କର୍ମକର୍ତ୍ତା ସଭାପତି ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଯୋଗଦେଇ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛନ୍ତି ।

ଇତିମଧ୍ୟରେ କେନ୍ଦ୍ର ସରକାର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ପାଳନ ଲାଗି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ବୈଠକରେ ଶତବାର୍ଷିକୀ ପ୍ରତିପାଳନ ଲାଗି ନିଷ୍ପତ୍ତି ନିଆଯାଇଛି । ତେବେ କେନ୍ଦ୍ର ସରକାର ଏଥିପାଇଁ କମିଟି ଗଠନ କରିଥିବା ବେଳେ ଓଡ଼ିଶାରେ ରାଜ୍ୟସ୍ତରୀୟ କମିଟି ସ୍ୱତନ୍ତ୍ର ଭାବେ ଗଠନ କରାଯାଇଥାଏ ।

ତେବେ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଓ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସରକାରୀ ସ୍ତରରେ ବିଚାର ବିମର୍ଶ ସହ କାର୍ଯ୍ୟକ୍ରମମାନ ସ୍ଥିର କରାଯାଉଛି । ଏହାଛଡ଼ା କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ, ବେରବୋଇ, ବ୍ରହ୍ମପୁର, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ଭାବେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପ୍ରତିପାଳନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।