Home General ଗାନ୍ଧୀଭବନ ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ

ଗାନ୍ଧୀଭବନ ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ

ଭୁବନେଶ୍ୱର : ଅନୁଗୁଳ ସହରରେ ଗାନ୍ଧୀଭବନ ନିର୍ମାଣ ପାଇଁ ଜମି ଯୋଗାଇଦେବା ସହ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ସେଠାରେ ଚାଲିଥିବା ସତ୍ୟାଗ୍ରହ ଆନ୍ଦୋଳନ ସ୍ଥଗିତ ରହିଛି । ଗାନ୍ଧୀଜୀ ତାଙ୍କର ଆଠଥରର ଓଡିଶା ଗସ୍ତ ସମୟରେ ଅନ୍ୟୁନ ୧୨ଟି ଜିଲ୍ଲା ପରିକ୍ରମା କରିଥିବା ଓ କେତେକ ସ୍ଥାନରେ ଏକାଧିକ ଦିନ ରହଣି କରିଥିବା ପରିପ୍ରେକ୍ଷୀରେ ଏହିସବୁ ଜିଲ୍ଲା ଓ ସ୍ଥାନଗୁଡିକରେ ମଧ୍ୟ ଗାନ୍ଧୀଭବନ ନିର୍ମାଣ ପାଇଁ ଦାବି ଉଠିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୩୪ ମସିହା ମଇ ମାସ ୬ତାରିଖରେ ଗାନ୍ଧୀଜୀ ଅନୁଗୁଳ ଗସ୍ତରେ ଆସି ଘର ନମିଳିବାରୁ ଗଛମୂଳେ ରହି ସଭାକାର୍ଯ୍ୟ କରିଥିଲେ । ସେଦିନ ସକାଳ ସାଢ ୮ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ସେ ଅନୁଗୁଳରେ ଅବସ୍ଥାନ କରିବାପରେ ମେରାମୁଣ୍ଡଳିରୁ ରେଳ ଯୋଗେ ପୁରୀ ଆସିଥିଲେ ।

ଗାନ୍ଧୀଜୀଙ୍କ ଏହି ଗସ୍ତର ସ୍ମୃତିରେ ଗାନ୍ଧୀଭବନ ନିର୍ମାଣ ପାଇଁ ଗତ କିଛିବର୍ଷ ଧରି ଦାବି ଉଠୁଥିଲା ଓ ଏଥିଲାଗି ଅତୀତରେ ଏକ ସ୍ଥାନ ଚିହ୍ନିତ ହୋଇଥିଲେ ବି ସରକାରୀ ଆଦେଶନାମା ବାହାରିନଥିଲା । ଚିହ୍ନିତ ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିବାରୁ ଏହାକୁ ବିରୋଧକରି ଅନୁଗୁଳରେ ଧାରଣା ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ଏବଂ ବିଶିଷ୍ଟ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଏହାର ନେତୃତ୍ୱ ନେଇଥିଲେ ।

ତିନି ଦିନ ଧରି ସତ୍ୟାଗ୍ରହ ଚାଲିବାପରେ ପ୍ରଶାସନ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ଗାନ୍ଧୀଭବନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବାରୁ ଇତି ମଧ୍ୟରେ ଶ୍ରୀମତୀ ମହାନ୍ତି ଧାରଣା ପ୍ରତ୍ୟାହାର କରିଛନ୍ତି ।

ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତର ଶତବାର୍ଷିକୀ ରାଜ୍ୟ ସରକାର ଏବର୍ଷ ପାଳନ କରୁଛନ୍ତି । ୧୯୨୧ରୁ ୧୯୪୬ ମଧ୍ୟରେ ଗାନ୍ଧୀଜୀ ଆଠଥର ଓଡିଶା ଗସ୍ତରେ ଆସିବା ସହ ପ୍ରାୟ ୬୯ଦିନ କଟାଇଛନ୍ତି । କଟକ, ଭଦ୍ରକ, ପୁରୀ,ଖୋରଧା, ଗଞ୍ଜାମ, ଗଜପତି, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଯାଜପୁର ଆଦି ଜିଲ୍ଲାକୁ ଗାନ୍ଧୀଜୀଙ୍କର ବ୍ୟାପକ ଗସ୍ତ ହୋଇଥିଲା ।

ସେ ପୁରୀ, ସାକ୍ଷୀଗୋପାଳ, ଭଦ୍ରକ, କଟକ, ବ୍ରହ୍ମପୁର ଆଦି ସ୍ଥାନକୁ ଏକାଧିକ ଥର ଆସିଛନ୍ତି । ବେରବୋଇରେ ସର୍ବାଧିକ ୭ଦିନ ଅବସ୍ଥାନ କରିଥିବାବେଳେ ବାଲିଅନ୍ତା, ବୋଲଗଡ, କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ କଟକ ଆଦି ସ୍ଥାନରେ ସେ ମଧ୍ୟ ଏକାଧିକ ଦିନ ରହଣି କରିଛନ୍ତି । ତେଣୁ ଏହିସବୁ ଜିଲ୍ଲା ଓ ସ୍ଥାନଗୁଡିକରେ ଗାନ୍ଧୀଭବନ ନିର୍ମାଣ ପାଇଁ ଏବେ ସରକାରଙ୍କ ଉପରେ ଚାପ ପଡୁଛି । ଏହାଛଡା ଗାନ୍ଧୀଜୀ ଯେଉଁ ମାର୍ଗରେ ଓଡିଶାରେ ୧୯୩୪ରେ ପଦଯାତ୍ରା କରିଥିଲେ ସେହି ମାର୍ଗରେ ଥିବା ଗ୍ରାମଗୁଡିକୁ ଆଦର୍ଶ ଗାନ୍ଧୀଗ୍ରାମ ଭାବେ ଗଢିତୋଳିବା ଏବଂ ସ୍ୱାଧୀନତା ସଂଗ୍ରାମର ଶହୀଦ ପୀଠଗୁଡିକର ମଧ୍ୟ ବିକାଶ ଲାଗି ଦଳମତ ନିର୍ବିଶେଷରେ ଦାବି ଜୋର ଧରୁଛି ।

ଇତି ମଧ୍ୟରେ ରାଜ୍ୟ ସରକାର ଗାନ୍ଧୀଜୀଙ୍କ ଉପରେ ଅନେକଗୁଡିଏ ଉପାଦେୟ ପୁସ୍ତକ ପ୍ରକାଶ କରିବା ସହ ଗାନ୍ଧୀ-୧୫୦ ଓ ତାଙ୍କର ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସରକାର ଅନେକଗୁଡିଏ କାର୍ଯ୍ୟକ୍ରମ କରିଛନ୍ତି ଏବଂ ଆଉ କେତେଗୁଡିଏ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲେ ବି ଅଧୁରା ରହିଛି । ଏହାଛଡା ଗାନ୍ଧୀଜୀଙ୍କ ଓଡିଶା ଗସ୍ତର କେତେକ ପ୍ରମୁଖ ସ୍ଥଳୀକୁ ନେଇ ଗାନ୍ଧୀ ସର୍କିଟ୍‍ ସ୍ଥାପନା ଲାଗି ଅର୍ଥ ବରାଦ ହୋଇଥିଲେ ବି ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ।

ପୂର୍ବରୁ ରାଜଧାନୀରେ ଗାନ୍ଧୀଭବନ ଥିବାବେଳେ ପରବର୍ତ୍ତୀ ସମୟରେ ସେହି ସୌଧରୁ ଗାନ୍ଧୀଭବନ ଫଳକ ହଟାଇ ଦିଆଯାଇ ରାଜ୍ୟ ପାଠାଗାର କରାଯାଇଛି । ଏ ପରିପ୍ରେକ୍ଷୀରେ ପ୍ରତ୍ୟେକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦପ୍ତରକୁ ଗାନ୍ଧୀଭବନ ନାମରେ ନାମିତ କରିବା ଦାବି ବି ଉଠିଲାଣି । (ତଥ୍ୟ)