Home General ଗାନ୍ଧୀଙ୍କୁ ନେଇ ଓଡ଼ିଆରେ ଚଳଚ୍ଚିତ୍ର

ଗାନ୍ଧୀଙ୍କୁ ନେଇ ଓଡ଼ିଆରେ ଚଳଚ୍ଚିତ୍ର

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଗାନ୍ଧୀଜୀ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଏହି ଚଳଚ୍ଚିତ୍ରରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସହିତ ସ୍ୱାଧୀନତା ସଂଗ୍ରାମରେ ଗୌରବାବହ ସ୍ମୃତି ବହନ କରୁଥିବା ବିଭିନ୍ନ ସ୍ଥାନ ପ୍ରଦର୍ଶିତ ହୋଇଛି ।

ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତାକାଲି ଏହି ପ୍ରାମାଣିକ ଚଳଚ୍ଚିତ୍ର ଦୂରଦର୍ଶନ ସମେତ ୪ଟି ଟିଭି ଚ୍ୟାନେଲ୍‍ରେ ପ୍ରସାରିତ ହେଉଥିବା ଜଣାପଡ଼ିଛି । ଦିନ ୧୧ଟା ବେଳେ କନକ ଟିଭିରେ, ଅପରାହ୍ଣ ୩ଟାରେ କଳିଙ୍ଗ ଟିଭିରେ, ରାତି ୮ଟାରେ ନନ୍ଦିଘୋଷ ଟିଭିରେ ଓ ରାତି ୯ଟାରେ ଦୂରଦର୍ଶନରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ପ୍ରାମାଣିକ ଚିତ୍ର ପ୍ରସାରିତ ହେବାର କାର୍ଯ୍ୟସୂଚୀ ରହିଛି ।

ଚଳଚ୍ଚିତ୍ର ନିର୍ଦ୍ଦେଶନା ସହ ଜଡ଼ିତ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଗବେଷକ ହିମାଂଶୁ ଶେଖର ଖଟୁଆ ଏହି ପ୍ରାମାଣିକ ଚିତ୍ରର ସଂଯୋଜନା ଓ ସମ୍ପାଦନା କରିଥିବା ସଂସ୍କୃତି ବିଭାଗ ସୂତ୍ରରୁ ଜଣାପଡ଼ିଛି । ୧୯୨୧ ମାର୍ଚ୍ଚ ମାସରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରକୁ ହୋଇଥିଲା । ସେହିପରି ୧୯୨୫ରେ ତାଙ୍କର ଦ୍ୱିତୀୟ ଗସ୍ତ କଟକକୁ ହୋଇଥିଲା । ପ୍ରଥମ ଗସ୍ତ ସମୟରେ ଉକ୍ରଳମଣି ଗୋପବନ୍ଧୁ ଦାସ ଓ ଦ୍ୱିତୀୟ ଗସ୍ତ ସମୟରେ ଉକ୍ରଳ ଗୌରବ ମଧୁସୂଦନ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେହିପରି ୧୯୨୭ରେ ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ପାରଳାଖେମୁଣ୍ଡିରେ ଡିସେମ୍ବର ୩ରୁ ଆରମ୍ଭ ହୋଇ ବ୍ରହ୍ମପୁର, ରମ୍ଭା, ବାଣପୁର, ବୋଲଗଡ଼, ପୁରୀ, ସାକ୍ଷୀଗୋପାଳ, ବାଲେଶ୍ୱର, ସୋର, ପୀରହାଟ, ଚାରବାଟିଆ, କଟକ ଆଦି ସ୍ଥାନକୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ୧୯୨୮ରେ ଗାନ୍ଧୀଜୀଙ୍କ ଚତୁର୍ଥ ଗସ୍ତ ଡିସେମ୍ବର ମାସରେ ସମ୍ବଲପୁରକୁ ହୋଇଥିଲା ।

୧୯୩୪ ମେ’ ୫ ତାରିଖରେ ଗାନ୍ଧୀଜୀଙ୍କ ଅବିସ୍ମରଣୀୟ ଓଡ଼ିଶା ଗସ୍ତ ଝାରସୁଗୁଡ଼ାରେ ଆରମ୍ଭ ହୋଇ ସମ୍ବଲପୁର, ବାମୁର, ଅନୁଗୁଳ ଦେଇ ପୁରୀ ଆସିଥିଲା । ପୁରୀରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ମେ’ ୯ ତାରିଖରୁ ବିନା ପ୍ରାକ୍‍ ପ୍ରସ୍ତୁତିରେ ପ୍ରଚଣ୍ଡ ଖରାରେ ୬୫ ବର୍ଷ ବୟସ୍କ ଗାନ୍ଧୀଜୀ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖ ପର୍ଯ୍ୟନ୍ତ କଟକ ଯାଏଁ ହୋଇଥିଲା । ପରେ ସେହିମାସ ୨୧ ତାରିଖରେ ତାଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ବୈରୀ ରେଳଷ୍ଟେସନରୁ ଆରମ୍ଭ ହୋଇ ଚମ୍ପାପୁର, ସତ୍ୟଭାମାପୁର, କେନ୍ଦ୍ରାପଡ଼ା, ବରୀ, ଭଣ୍ଡାରୀପୋଖରୀ ଦେଇ ଭଦ୍ରକ ପର୍ଯ୍ୟନ୍ତ ଆସିଥିଲା ।
ଜୁନ୍‍ ୮ ତାରିଖରେ ଗାନ୍ଧୀଜୀ ଓଡ଼ିଶାରୁ ବିଦାୟ ନେଇଥିଲେ ।

ତାଙ୍କର ସପ୍ତମ ଐତିହାସିକ ଓଡ଼ିଶା ଗସ୍ତ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ବେରବୋଇ ଗାଁକୁ ହୋଇଥିବା ବେଳେ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ରେଳ ଯୋଗେ ଶେଷ ଗସ୍ତ ହୋଇଥିଲା ୧୯୪୬ ଜାନୁଆରୀ ମାସରେ । ଏଥିରୁ ଅନେକ ସ୍ଥାନ ସହିତ ଇରମ୍‍, ପାପଡ଼ାହାଣ୍ଡି, ମାଥିଲି, ଲୁଣିଆ, କାଇପଡ଼ା, ତୁରିଗଡ଼ିଆ, ନିମାପଡ଼ା ଆଦି ସ୍ୱାଧୀନତା ସଂଗ୍ରାମରେ ରକ୍ତତୀର୍ଥଗୁଡ଼ିକ ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ଜଣାଯାଇଛି ।(ତଥ୍ୟ)